ପାରାଦୀପ ବନ୍ଦରରେ ପଡ଼ିଛି ୟୁରିଆ, ଚାଷୀ ବିକଳ

ସାର କମ୍ପାନିକୁ ଦୋଷ ଦେଲା ରେଳବାଇ

ବନ୍ଦରରେ ପଡ଼ିରହିଛି ୨୭ ହଜାର ଟନ୍ ସାର

Image Courtesy of The Times of India

ଭୁବନେଶ୍ବର : ପାରାଦୀପ ବନ୍ଦରରେ ପଡ଼ିଛି ୟୁରିଆ, କିନ୍ତୁ ଏଣେ ଚାଷୀ ଡହଳବିକଳ। କୃଷି ବିଭାଗ ଏଥିପାଇଁ ରେଳପଥକୁ ଦାୟୀ କରୁଥିବା ବେଳେ ରେଳପଥ ସାର କମ୍ପାନି ନ୍ୟାସନାଲ ଫର୍ଟିଲାଇଜର୍‌ ଲିମିଟେଡ୍‌କୁ ଦୋଷ ଦେଉଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି, ସାର ପରିବହନ ପାଇଁ ରେଳପଥ ରେକ୍‌ ଦେବାକୁ ପ୍ରସ୍ତୁତ ଅଛି, କିନ୍ତୁ କମ୍ପାନି ସାଇଡିଂ ଦେଉ ନଥିବାରୁ ଅସୁବିଧା ସୃଷ୍ଟି ହେଉଛି।

ରାଜ୍ୟରେ ୯୩ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆର ଆବଶ୍ୟକତା ରହିଛି। ସେଥିରୁ ୬୬ ହଜାର ମେଟ୍ରିକ୍‌ ଟନ୍‌ କେନ୍ଦ୍ର ସରକାର ଦେବେ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଗଲାଣି। କିନ୍ତୁ ଯେଉଁ ୨୭ହଜାର ୪୦୦ ମେଟ୍ରିକ୍‌ ଟନ୍‌ ୟୁରିଆ ପାରାଦୀପ, ଧାମରାକୁ ଆସିଛି, ତାହା ମଧ୍ୟ ଚାଷୀଙ୍କୁ ମିଳି ପାରୁନାହିଁ। ପାରାଦୀପ ବନ୍ଦରରୁ ରେଳବାଇ ରେକ୍‌ ଜରିଆରେ ସାର ପରିବହନ ହୋଇଥାଏ। କିନ୍ତୁ ରେକ୍‌ ସଂକଟକୁ ରେଳବାଇ ଅସ୍ବୀକାର କରିବା ସହ କହିଛି ଯେ ପାରାଦୀପ ବନ୍ଦରରେ ନ୍ୟାସନାଲ ଫର୍ଟିଲାଇଜର ଲିମିଟେଡ୍‌‌ର କେବଳ ଗୋଟିଏ ଟ୍ରାକ୍‌ ରହିଛି। ସେଠାରେ କେବଳ ଗୋଟିଏ ଲମ୍ବା ରେକ୍‌ ରହିପାରିବ। ଏଠାରେ ସାର ଯେତେ ଶୀଘ୍ର ଲୋଡିଂ ହେବ, ସେତେ ଶୀଘ୍ର ରେକ୍‌ ଯାଇପାରିବ। ଏଥିପାଇଁ ୪ରୁ ୫ଘଣ୍ଟା ଲାଗିଥାଏ। ମାତ୍ର ସଂପୃକ୍ତ କମ୍ପାନିର ସାଇଡିଂରେ ଲୋଡିଂ ବେଳକୁ ୮ରୁ ୧୦ଘଣ୍ଟା ଲାଗୁଛି। ଏତେ ସମୟ ବେଳକୁ ରେଳବାଇ ରେକ୍‌ ରଖି ପାରୁନାହିଁ। ନ୍ୟାସନାଲ ଫର୍ଟିଲାଇଜର୍‌ ଲିମି‌ଟେଡ୍‌ ବ୍ୟତୀତ ଅଧିଗୃହୀତ ଅନ୍ୟ ସାର କମ୍ପାନିର ସାର ଲୋଡିଂରେ କୌଣସି ଅସୁବିଧା ହେଉ ନଥିବା ରେଳବାଇ କହିଛି।

ଅଗଷ୍ଟ ମାସରେ ରେଳବାଇ ପକ୍ଷରୁ ୧୧୬ ରେକ୍‌ ସାର ପରିବହନ ହୋଇଛି। କେବଳ ଅଗଷ୍ଟରେ ୩୨୦୮୪୮.୫ ମେଟ୍ରିକ୍‌ ଟନ୍‌, ସେପ୍ଟେମ୍ବରରେ ୯୧୨୦୪.୫ ମେଟ୍ରିକ୍‌ ଟନ୍‌ ସାର ରେଳବାଇ ପରିବହନ କରିଛି। ଧାନମଣ୍ଡଳ, ଧାମରା ଏବଂ ପାରାଦୀପରୁ ୟୁରିଆ ସମେତ ସବୁ ସାର ପରିବହନ ପାଇଁ ରେକ୍‌ ବ୍ୟବସ୍ଥା କରିଛି। ଅନ୍ୟପକ୍ଷରେ ସମୟ ଗଡ଼ିବା ସହ ରାଜ୍ୟରେ ୟୁରିଆର ଆବଶ୍ୟକତା ବଢ଼ିବାରେ ଲାଗିଛି। ବର୍ଷା ଅଭାବରୁ ଧାନ ରୁଆ ହୋଇ ପାରୁନାହିଁ। ଅଣଧାନ ଚାଷ କରି ଅଧିକ ସାର ଦେବା ପାଇଁ ପରାମର୍ଶ ଦିଆଯାଉଛି। ସାର ପରିବହନ ପାଇଁ ରେଳବାଇ କିମ୍ବା ନ୍ୟାସନାଲ ଫର୍ଟିଲାଇଜର୍‌ ଲିମିଟେଡ୍‌; ସାର ସଂକଟ ପାଇଁ ଯିଏ ବି ଦାୟୀ ହୁଅନ୍ତୁ ନା କାହିଁକି, ଏ ସଂକ୍ରାନ୍ତରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଉଚିତ। କିନ୍ତୁ କାହିଁକି ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରାଯାଉନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଚାଷୀକୁଳକୁ ବ୍ୟଥିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe