ପଞ୍ଚାୟତିରାଜ ବିଭାଗରେ ଷ୍ଟ୍ରିଟ୍‌ ଲାଇଟ୍‌ ଟେଣ୍ଡର୍‌ରେ ଚଞ୍ଚକତା: କଂଗ୍ରେସ

Advertisment
ପଞ୍ଚାୟତିରାଜ ବିଭାଗରେ ଷ୍ଟ୍ରିଟ୍‌ ଲାଇଟ୍‌ ଟେଣ୍ଡର୍‌ରେ ଚଞ୍ଚକତା: କଂଗ୍ରେସ

ଭୁବନେଶ୍ବର : ପଞ୍ଚାୟତ ବିଭାଗ ଅଧୀନ ଗ୍ରାମୀଣ ଜଳଯୋଗାଣ ବିଭାଗରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ହୋଇଥିବା ଟେଣ୍ଡର୍‌ ଆହ୍ବାନରେ ଚଞ୍ଚକତା ହୋଇଛି। ଟେଣ୍ଡର୍‌ ପ୍ରକ୍ରିୟା ଓ ଦସ୍ତାବିଜ୍‌ରୁ ଏଥିରେ ଦୁର୍ନୀତିର ସ୍ପଷ୍ଟ ସୂଚନା ମିଳୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ‌ଯେ ଗ୍ରାମୀଣ ଜଳ ଯୋଗାଣ ବିଭାଗରେ ୨୯ଟି ଜିଲ୍ଲାରେ ଏଲଇଡି ଷ୍ଟ୍ରିଟ ଲାଇଟ୍‌ ଲଗାଇବା ପାଇଁ ଟେଣ୍ଡର୍‌ ହୋଇଥିଲା। ଏହି ଟେଣ୍ଡର୍‌ରେ କେତେକ ନିର୍ଦ୍ଦିଷ୍ଟ କମ୍ପାନିକୁ ସୁହାଇବା ଭଳି ବ୍ୟବସ୍ଥା କରାଯାଇଛି। ଏହାସହ ଯେଉଁ କାମ କମ୍‌ ଖର୍ଚ୍ଚରେ ହୋଇପାରି ଥାଆନ୍ତା, ତାହା ପାଇଁ ଅଧିକ ଖର୍ଚ୍ଚ କରିବା ଲାଗି ଟେଣ୍ଡର୍‌ରେ ସର୍ତ୍ତ ଧାର୍ଯ୍ୟ ହୋଇଛି। ନୂଆ ଟେକ୍ନୋଲୋଜିର ଉପଯୋଗ ଉପରେ ଗୁରୁତ୍ବ ଦିଆ ନଯାଇ ୯/୧୦ ବର୍ଷ ତଳେ ମିଳୁଥିବା ନିମ୍ନମାନର ଏଲଇଡି ଲାଇଟ୍‌ ଯୋଗାଣ ପାଇଁ ଟେଣ୍ଡର ପ୍ରସ୍ତୁତ କରାଯାଇଛି। ଏହି ଚଞ୍ଚକତା ଯୋଗୁଁ ରାଜକୋଷରୁ ୩୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବାଟମାରଣା ସହିତ ବର୍ଷକୁ ୫କୋଟିରୁ ଅଧିକ ବିଦ୍ୟୁତ ଶୁଳ୍କ ସରକାର ବହନ କରିବେ। ଟେଣ୍ଡର୍‌ରେ କେବଳ ବଜାଜ, ଫିଲିପ୍ସ,, କ୍ରମ୍ପଟନ, ହାଭେଲ୍ସ, ସୂର୍ଯ୍ୟାରୋଶନୀ ଏଲଇଡି ଲାଇଟ୍‌ ଯୋଗାଣ ପାଇଁ ଅନୁ ମୋଦନ କରାଯାଇଛି। ସମାନ ଗୁଣବତ୍ତା ଥିବା ଅନ୍ୟ ସଂସ୍ଥାର ଏଲଇଡି ଲାଇଟ୍‌ ଯୋଗାଣ ପାଇଁ କୌଣସି ସୁଯୋଗ ରଖାଯାଇ ନାହିଁ। ଏହି ୫ଟି କମ୍ପାନି ଭିତରୁ ସୂର୍ଯ୍ୟାରୋଶନୀର ମାଲିକ ଜଣେ ବିଜେପି ସାଂସଦ। ତେଣୁ ଏହି କମ୍ପାନିକୁ ଯୋଗ୍ୟ କରାଯିବା ପଛରେ କ’ଣ ରହସ୍ୟ ରହିଛି। ଦେଢ଼ ଶହ କୋଟି ଟଙ୍କାର ଟେଣ୍ଡ‌ର୍‌ରେ ଚଞ୍ଚକତା ସରକାରଙ୍କ ସ୍ବଚ୍ଛ ଶାସନକୁ ପଦାରେ ପକାଉଛି। ତେଣୁ ନର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ/କମ୍ପାନିର ସ୍ବାର୍ଥକୁ ନ ଦେଖି ଉଚ୍ଚ ଗୁଣବତ୍ତାର ଏଲଇଡି ଲାଇଟ୍‌ କିଭଳି ଲାଗିପାରିବ, ତାହା ସୁନିଶ୍ଚିତ କରାଯିବା ଦରକାର। ଏଭଳି ପରିସ୍ଥିତିରେ ଏଲଇଡି ଲାଇଟ୍‌ ଟେଣ୍ଡର ରଦ୍ଦ କରାଯିବ ବୋଲି ଶ୍ରୀ ଦାସ ଦାବି କରିଛନ୍ତି। ଅନ୍ୟମାନଙ୍କ ଭିତରେ ଦଳର ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe