ନୀତି ବିଶୃଙ୍ଖଳା ପରେ ଛତିଶାନିଯୋଗ ସହ ଜରୁରୀ ବୈଠକ: ବାହୁଡ଼ାରେ ସଅଳ ପହଣ୍ଡି, ରଥଟଣା

Advertisment

ଛୋଟ ହେବ ରଥ ଦଉଡ଼ି, କମିବ ରଥ ଉପର ସେବକ ସଂଖ୍ୟା

ଛୋଟ ହେବ ରଥ ଦଉଡ଼ି, କମିବ ରଥ ଉପର ସେବକ ସଂଖ୍ୟା

ନୀତି ବିଶୃଙ୍ଖଳା ପରେ ଛତିଶାନିଯୋଗ ସହ ଜରୁରୀ ବୈଠକ: ବାହୁଡ଼ାରେ ସଅଳ ପହଣ୍ଡି, ରଥଟଣା

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରା ଓ ଶ୍ରୀଗୁଣ୍ଡିଚା ମନ୍ଦିର ନୀତିକାନ୍ତିରେ ଚରମ ବିଶୃଙ୍ଖଳା ପରେ ସରକାରଙ୍କ ଚେତା ପଶିଛି। ପ୍ରଶାସକ ଓ ସେବକଙ୍କ ଭିତରେ ସମନ୍ବୟ ରକ୍ଷା ପାଇଁ ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଶ୍ରୀମନ୍ଦିର ଛତିଶାନିଯୋଗର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୀତି ବିଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ସହ ସମୀକ୍ଷା କରାଯାଇଛି। ଆସନ୍ତା ୨୮ ତାରିଖ ବାହୁଡ଼ାଯାତ୍ରାରେ ଯେପରି ନୀତି ଶୃଙ୍ଖଳିତ ହେବ, ସେ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ବାହୁଡ଼ାଯାତ୍ରାରେ ସଅଳ ପହଣ୍ଡି ସହ ସଅଳ ରଥ ଟାଣିବାକୁ ନିଷ୍ପତ୍ତି ନିଆଯାଇଛି।

ଆର୍‌ଡିସି ଶ୍ରୀ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡା. କେ. ବିଶାଲ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଛତିଶାନିଯୋଗର ସଭାପତି, ସଂପାଦକ ଓ ବରିଷ୍ଠ ସେବାୟତ, ଦଇତାପତି ନିଯୋଗର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଆଜିର ବୈଠକରେ ନୀତି ଶୃଙ୍ଖଳା ଉପରେ ଆଲୋଚନା ହୋଇଛି। ମଙ୍ଗଳବାର ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ। ସନ୍ଧ୍ୟାଦର୍ଶନ ନୀତିକାନ୍ତି ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସନ୍ଧ୍ୟାଦର୍ଶନ ପରଦିନ ଯେହେତୁ ବାହୁଡ଼ାଯାତ୍ରା, ସେଥିପାଇଁ ସନ୍ଧ୍ୟାଦର୍ଶନ ଦିନ ଅପରାହ୍ନ ୫ଟାରୁ ଦର୍ଶନ ବନ୍ଦ କରି ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ସନ୍ଧ୍ୟାଦର୍ଶନ ଦିନ ବଡ଼ସିଂହାର ନୀତି ପରେ କୋଠ ସୁଆଁସିଆମାନେ ପହଣ୍ଡି ପାଇଁ ଚାରମାଳ ବାନ୍ଧିବାକୁ ପ୍ରବେଶ କରିବେ। ଚାରମାଳ ବାନ୍ଧିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିବ। ପରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ଆରମ୍ଭ ହେବ। ସେନାପଟା ଲାଗି ପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗିବ। ତଥାପି ଉଭୟ ଚାରମାଳ ଓ ସେନାପଟା ଲାଗି ୮ ଘଣ୍ଟା ଭିତରେ ଅର୍ଥାତ୍‌ ରାତି ୩ଟା ଭିତରେ ସେନାପଟା ଲାଗି ଶେଷ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ପରେ ମଙ୍ଗଳଆଳତି ସହ ଅନ୍ୟାନ୍ୟ ନୀତି ବଢ଼ିବ। ବାହୁଡ଼ା ଦିନ ସକାଳ ସାଢ଼େ ୭ଟାରୁ ପହଣ୍ଡି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପଟେ ରଥଯାତ୍ରା ବିଶୃଙ୍ଖଳା ଯେପରି ବାହୁଡ଼ା ଯାତ୍ରାରେ ନ ଘଟିବ, ସେଥିପାଇଁ ତିନି ରଥର ଦଉଡ଼ି ଛୋଟ କରିବାକୁ ନିଷ୍ପତ୍ତି ହୋଇଛି। ବଡ଼ ଦଉଡ଼ି ହେବାରୁ ଭକ୍ତମାନେ ରଥକୁ ଠିକ୍‌ରେ ଟାଣୁନାହାନ୍ତି, ପତାକା ଦେଖାଉଥିବା ଜେଟିପି, ପୁଲିସମାନେ ରଥ ନିୟନ୍ତ୍ରଣରେ ଫେଲ୍‌ ମାରୁଛନ୍ତି। ଏଣୁ ତିନି ରଥର ଦଉଡ଼ିକୁ ଛୋଟ କରି ରଥକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ବହୁ ସଂଖ୍ୟାରେ ସେବକ ରଥ ଉପରେ ଚଢ଼ୁଥିବାରୁ ରଥ ଗଡ଼ିବାରେ ସମସ୍ୟା ଉପୁଜୁଛି। ପହଣ୍ଡିରେ ବି ବିଶୃଙ୍ଖଳା ଦେଖାଦେଉଛି। ଏଥିପାଇଁ କମ୍‌ ସେବକରେ ପହଣ୍ଡି, ବାହୁଡ଼ାଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe