ପ୍ରତାପୁର : ୭୫ ବର୍ଷ ବୟସରେ ରାସନକାର୍ଡ଼ ଖଣ୍ଡେ ପାଇବା ପାଇଁ ଏକାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଧାଇଁ ଧାଇଁ ଥକି ଗଲେଣି ଉର୍ବଶୀ। ହେଲେ ତାଙ୍କୁ କୌଣସି ସୁଫଳ ମିଳିପାରିନାହିଁ। ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତ ତଳସାହିର ଉର୍ବଶୀଙ୍କ ସ୍ୱାମୀ ରାଘବ ପ୍ରଧାନଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡ଼ିଛନ୍ତି। ଝିଅର ବାହାଘର ସରିଛି ଓ ଏକମାତ୍ର ପୁଅ ସ୍ତ୍ରୀଓ ପିଲାଙ୍କୁ ଧରି ଅଲଗା ରହୁଥିବା ବେଳେ ତାଙ୍କୁ ପଚାରୁନି।। ଏଭଳି ସ୍ଥିତିରେ ଉର୍ବଶୀଙ୍କ ପାଇଁ ଚଳିବା ପାଇଁ କଷ୍ଟସାଧ୍ୟ ହେଉଛି। ସରକାରୀ ସହାୟତା ଭାବେ କେବଳ ଭତ୍ତା ବାବଦକୁ ୫୦୦ ଟଙ୍କା ମିଳୁଛି।
ସେହିପରି ଭଙ୍ଗା ଦଦରା ଘରେ ଦିନ କାଟିବାକୁ ପଡ଼ୁଛି। ସରକାରଙ୍କ ପକ୍ଷରୁ ରାସନକାର୍ଡ଼ଟିଏ ମିଳିପାରିଲେ ସେ ଖୁସିରେ ବାକି ଜୀବନ କାଟିପାରନ୍ତେ ବୋଲି କହିଛନ୍ତି। ଏଥିପାଇଁ ସେ ବହୁ ପ୍ରାଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ତୁରନ୍ତ ତାଙ୍କୁ ରାସନକାର୍ଡ଼ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Follow Us