ଉଷା ଦେବୀ ଦେଲେ ରିପୋର୍ଟ

Advertisment

ଆଉ ପାଦେ ଆଗେଇଲା ବିଜେଡି ଆଭ୍ୟନ୍ତରୀଣ କନ୍ଦଳ

ଆଉ ପାଦେ ଆଗେଇଲା ବିଜେଡି ଆଭ୍ୟନ୍ତରୀଣ କନ୍ଦଳ

ଉଷା ଦେବୀ ଦେଲେ ରିପୋର୍ଟ

ଭୁବନେଶ୍ୱର: ବିଜେଡି, ବୈଜୟନ୍ତ ଓ ତୃତୀୟ ମହଲାକୁ ନେଇ ଦେଖାଦେଇଥିବା ବିବାଦ ଆଜି ଆଉଟିକିଏ ଆଗକୁ ବଢିଛି। ଗୋଟିଏ ପଟେ ପାଟକୁରା, ଆଳି ଓ ରାଜକନିକା ବିଜେଡି କର୍ମୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦଳ ବିରୋଧୀ କାର୍ଯ୍ୟ ସଂପର୍କରେ ଉଲ୍ଲେଖ କରି ସୁପ୍ରିମୋ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅନ୍ୟପଟରେ ସନ୍ଧ୍ୟାରେ କଟକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଉଷା ଦେବୀ ତାଙ୍କ ତଦନ୍ତ ରିପୋର୍ଟ ସୁପ୍ରିମୋଙ୍କୁ ପ୍ରଦାନ କରିଛନ୍ତି। ପୂର୍ବରୁ କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ତାଙ୍କ ରିପୋର୍ଟ ନବୀନଙ୍କୁ ଦେଇସାରିଥିବା ପରିପ୍ରେକ୍ଷୀରେ ଏବେ ସମୁଦାୟ ପ୍ରସଙ୍ଗଟି ଉପରେ ରାଜ୍ୟ ସଭାପତି କାର୍ଯ୍ୟାନୁଷ୍ଠାନ ନେବାର ବେଳ ଆସିଛି। ତେବେ ଘଟଣାଟି ସମ୍ବେଦନଶୀଳ ହୋଇଥିବା କାରଣରୁ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେ ନେଇ କେହି ଠଉରାଇ ପାରୁନାହାନ୍ତି। ଦଳରେ ଏ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗକୁ ନେଇ ବରିଷ୍ଠ-କନିଷ୍ଠଙ୍କ ମଧ୍ୟରେ ମତ ବିଭାଜନ ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। କାରଣ ଦଳର ଅଧିକାଂଶ ବରିଷ୍ଠ ନେତା କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି।

ପାଟକୁରା, ଆଳି ଓ କନିକା କର୍ମୀ ଆଣିଲେ ଅଭିଯୋଗ

ଉଲ୍ଲେଖଯୋଗ୍ୟ, ଆଜି ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ନେତା ଓ କର୍ମୀ ନବୀନଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ ସାଂସଦ ନା କେବେ ବ୍ଲକ କମିଟି ବୈଠକରେ ଯୋଗ ଦେଉଛନ୍ତି ନା ଜୋନାଲ କମିଟିରେ। ଦଳର କର୍ମକର୍ତ୍ତାଙ୍କ ସହିତ ସେ ସଂପର୍କରେ ବି ନାହାନ୍ତି। ପାଣ୍ଠି ଆବଣ୍ଟନ କ୍ଷେତ୍ରରେ ଦଳୀୟ କର୍ମୀ ଓ ନେତା ଅନ୍ଧାରରେ ରହୁଛନ୍ତି। ପାଟକୁରାକୁ ଆସିବା ବେଳେ ଦଳୀୟ କର୍ମୀଙ୍କୁ ଖବର ଦିଆଯାଉନାହିଁ। ଆଳି ଓ ରାଜକନିକା କର୍ମୀ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ସହିତ ସାଂସଦଙ୍କ ସଂପର୍କକୁ ନେଇ ଦଳରେ ଅସନ୍ତୋଷ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ଯେତେବେଳେ ଦଳ ସଂଘର୍ଷ କରୁଥିଲା, ସେତେବେଳେ ସାଂସଦ କିଛି ବି ସହଯୋଗ କରିନାହାନ୍ତି। ନିର୍ବାଚନମଣ୍ଡଳୀକୁ ଆସିବା ବେଳେ ପୂର୍ବରୁ ଖବର ତ ଦେଉନାହାନ୍ତି, ଯେଉଁମାନେ ଦଳ ବିରୋଧୀ ସେମାନଙ୍କ ସହିତ ସଂପର୍କ ରଖୁଥିବାରୁ ଦଳୀୟ ନେତା ଓ କର୍ମୀ ଅସୁଖୀ ହୋଇପଡିଲେଣି। ଗତ ୪ ବର୍ଷ ଧରି ସେ ଦଳୀୟ ନେତାଙ୍କ ସଂସ୍ପର୍ଶରେ ନାହାନ୍ତି।

ଉଲ୍ଲେଖଥାଉକି, ସାଲେପୁର ଓ ନିଶ୍ଚିନ୍ତକୋଇଲିର କର୍ମକର୍ତ୍ତାଙ୍କ ଅଭିଯୋଗର ତଦନ୍ତ କରିବା ଲାଗି ସୋମବାର ପର୍ଯ୍ୟବେକ୍ଷକ ଉଷାଦେବୀ ଗସ୍ତ କରିଥିଲେ। ଆଜି ସେ ତାଙ୍କର ରିପୋର୍ଟ ଦେଇଥିବା ‘ସମ୍ବାଦ’କୁ କହିଛନ୍ତି। ରିପୋର୍ଟରେ କଣ ଲେଖାଯାଇଛି, ସେ ନେଇ ପର୍ଯ୍ୟବେକ୍ଷକ ମୁହଁ ଖୋଲିନଥିଲେ ହେଁ, ସୁପ୍ରିମୋ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe