ଅଙ୍ଗଦାନ କରି ଅମର ହୋଇଗଲେ ଉଷାରାଣୀ: ଦୁର୍ଘଟଣାରେ ଚାଲିଯାଇଥିଲା ଜୀବନ

ଆଖି, ଯକୃତ୍‌, ବୃକ୍‌କ ଦାନ କଲେ ପରିବା

ଅଙ୍ଗଦାନ କରି ଅମର ହୋଇଗଲେ ଉଷାରାଣୀ: ଦୁର୍ଘଟଣାରେ ଚାଲିଯାଇଥିଲା ଜୀବନ

ନବରଙ୍ଗପୁର: ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ହେଲେ ଅନ୍ତିମ ସଂସ୍କାର ପୂର୍ବରୁ ଅଙ୍ଗଦାନ କରି ଅମର ହୋଇଗଲେ। ତାଙ୍କ ଦାନ ଚକ୍ଷୁରେ ଅନ୍ୟ ଜଣେ ଦୁନିଆ ଦେଖିବା ସହ ଲିଭର୍‌, ବୃକ୍‌କ ପ୍ରତିରୋପଣରେ ନୂଆ ଜୀବନ ପାଇବେ ରୋଗୀ। ଦୁଃଖର ପାହାଡ଼ ଭିତରେ ଏପରି ପଦକ୍ଷେପ ନେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ନବରଙ୍ଗପୁର ସହର ଉପକଣ୍ଠ ପୋଡ଼ାଲଗୁଡ଼ା ଗ୍ରାମର ସ୍ବର୍ଗତ ଜେ. ଉଷାରାଣୀ (୪୦)ଙ୍କ ପରିବାର। ପୋଡ଼ାଲଗୁଡ଼ା ଗ୍ରାମର ସ୍ୱର୍ଗତଃ ଜେ. ଉଷାରାଣୀଙ୍କ ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ରପାତପା‌ଟନା ମଣ୍ଡଳ ପେଡ଼ାଲଗିଡ଼ି ଗ୍ରାମରେ ୨୦୧୧ରେ ବିବାହ ହୋଇଥିଲେ। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଗତ ୧୯ ତାରିଖରେ ଦିଅରଙ୍କ ନିର୍ବନ୍ଧକୁ ଯାଇ ଘରକୁ ଫେରୁଥିଲେ ଉଷାରାଣୀ। ଶ୍ରୀକାକୁଲମ ଜିଲ୍ଲା ହୀରାମଣ୍ଡଳମ୍ ନିକଟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଚିକିତ୍ସା ପାଇଁ ଶ୍ରୀକାକୁଲମସ୍ଥିତ ଜେମସ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୩ ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ ଗତ ୨୧ ତାରିଖ ମଧ୍ୟ ରାତିରେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍ ଘୋଷଣା କରିଥିଲେ। ଡାକ୍ତରଙ୍କ ସୂଚନା ଉଷାରାଣୀଙ୍କ ପରିବାରବର୍ଗଙ୍କୁ ମର୍ମାହତ କରିଥିଲା। ତେବେ ଏହି ଦୁଃଖ ସମୟରେ ଉଷାରାଣୀଙ୍କ ପରିବାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ସ୍ବାମୀ କ୍ରିଷ୍ଣା ରାଓ, ଝିଅ ନିକିତା, ପଲ୍ଲବୀ ଓ ପୁଅ ଯୁହିତ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ମେଡିକାଲ କର୍ତ୍ତୃପକ୍ଷ ଅଙ୍ଗଦାନ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଜେ. ଉଷାଙ୍କ ୨ଟି ଆଖିକୁ ରେଡ୍‌କ୍ରସକୁ ଦାନ କରାଯାଇଥିବା ବେଳେ ଯକୃତକୁ ବିଶାଖାପାଟଣାର ପିନାକେଲ୍‌ ହସ୍‌ପିଟାଲ, ଗୋଟିଏ ବୃକ୍‌କକୁ ବିଶାଖାପାଟଣାର କେଜିଏଚ୍‌ ଓ ଅନ୍ୟ ବୃକ୍‌କକୁ ଜେମ୍‌ସ ହସ୍‌ପିଟାଲକୁ ଦିଆଯାଇଛି। ଯାହାକି ଯକୃତ, ବୃକ୍‌କ ରୋଗରେ ପୀଡ଼ିତ ପରିବାର ପାଇଁ ବରଦାନ ସଦୃଶ୍ୟ ହୋଇଛି।
ଅନ୍ୟପକ୍ଷରେ, ଜେ. ଉଷାରାଣୀଙ୍କ ମୃତ୍ୟୁ ପରେ ମେଡିକାଲର ସମସ୍ତ ଡାକ୍ତର, ମେଡିକାଲ ଛାତ୍ର ଓ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମେଡିକାଲ ପକ୍ଷରୁ ଉଷାଙ୍କ ମୃତ ଶରୀରକୁ ନିଜ ଶ୍ବଶୁର ଘର ଗାଁକୁ ପଠାଯାଇଥିବା ଉଷାଙ୍କ ଭାଇ ପି. ପ୍ରଦୀପ କୁମାର କହିଛନ୍ତି। ଗୁରୁବାର ସଂଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ସଂସ୍କାର ବେଳେ ଆଖପାଖ ଗାଁର ହଜାରହଜାର ଲୋକେ ଶେଷ ଦର୍ଶନ କରି ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe