ଉତ୍କଳ ସାହିତ୍ୟ ସମାଜ କର୍ମକର୍ତ୍ତା ନିର୍ବାଚନ ଜୁଲାଇ ୨୧ରେ

Advertisment
ଉତ୍କଳ ସାହିତ୍ୟ ସମାଜ କର୍ମକର୍ତ୍ତା ନିର୍ବାଚନ ଜୁଲାଇ ୨୧ରେ

Wikimedia Commons

କଟକ : ଉତ୍କଳ ସାହିତ୍ୟ ସମାଜର କର୍ମକର୍ତ୍ତା ଓ କାର୍ଯ୍ୟ ନିର୍ବାହିକା ସମିତି ସଦସ୍ୟ ନିର୍ବାଚନ ଜୁଲାଇ ୨୧ତାରିଖରେ ଅନୁଷ୍ଠିତ ହେବ। ଜୁଲାଇ ୨୧ତାରିଖ ସକାଳ ୮ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଓ ସେହିଦିନ ଅପରାହ୍‌ଣ ୪ଟାରେ ଭୋଟ ଗଣତି ଆରମ୍ଭ ହୋଇ ଚୂଡାନ୍ତ ଫଳାଫଳ ପ୍ରକାଶ କରାଯିବ। ଅନୁଷ୍ଠାନର ଆଜୀବନ ସଦସ୍ୟ ତଥା ଓଡ଼ିଶା ଲୋକସେବା ଆୟୋଗର ପ୍ରାକ୍ତନ ସଦସ୍ୟ ଇଞ୍ଜିନିୟର ପ୍ରଭାତ କୁମାର ନନ୍ଦ ନିର୍ବାଚନ ପରିଚାଳନା ଦାୟିତ୍ୱ ନିର୍ବାହ କରିବେ। ଜୁଲାଇ ୧୮ତାରିଖ ସକାଳ ୯ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀଙ୍କୁ ଅନୁଷ୍ଠାନ କାର୍ଯ୍ୟାଳୟରୁ ପ୍ରାର୍ଥୀପତ୍ର ଫର୍ମ ଯୋଗାଇ ଦିଆଯିବ ଓ ସେହିଦିନ ଅପରାହ୍‌ଣ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ। ଜୁଲାଇ ୧୯ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ସେହିଦିନ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ସମୟ ରହିଛି। ଜୁଲାଇ ୧୯ତାରିଖ ସଂଧ୍ୟା ୭ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଜୁଲାଇ ୨୧ରେ ନିର୍ବାଚନ ଅନୁଷ୍ଠିତ ହେବ ‌ବୋଲି ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ସୂଚନା ଦେଇଛନ୍ତି। ନିର୍ବାଚନର ୩ ମାସ ପୂର୍ବରୁ ଉତ୍କଳ ସାହିତ୍ୟ ସମାଜର ଆଜୀବନ ବା ବାର୍ଷିକ ସଭ୍ୟସଭ୍ୟା ହୋଇଥିବା ବ୍ୟକ୍ତିମାନେ ହିଁ ଭୋଟ ଦେଇପାରିବେ। ଭୋଟ ଦେବା ପାଇଁ ସଭ୍ୟମାନେ ଉତ୍କଳ ସାହିତ୍ୟ ସମାଜ ସଭ୍ୟ ପରିଚୟ ପତ୍ର, ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ କାର୍ଡ, ପାସ୍ ପୋର୍ଟ, ଫଟୋ ଥିବା ବ୍ୟାଙ୍କ ପାସ୍‌ବୁକ୍ ଆଦି ମଧ୍ୟରୁ ଯେକୌଣସି ଗୋଟିଏ ଆଣିବା ଜରୁରୀ ଅଟେ। ତାହା ନହେଲେ ସଭ୍ୟସଭ୍ୟା ଭୋଟ ଦେଇପାରିବେ ନାହିଁ ‌ବୋଲି ସାଧାରଣ ସଂପାଦକ ଡକ୍ଟର ଚାନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe