ନାମ ଲେଖାଇବା ସୁଯୋଗ ଦେବାକୁ ନିର୍ଦ୍ଦେଶ

Advertisment

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ନାମଲେଖା ବିବାଦ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ନାମଲେଖା ବିବାଦ

ନାମ ଲେଖାଇବା ସୁଯୋଗ ଦେବାକୁ ନିର୍ଦ୍ଦେଶ

କଟକ : ୨୦୧୭-୧୮ ଶିକ୍ଷା ବର୍ଷରେ କଳା ଇତିହାସ ବିଭାଗର ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଜଣେ ଆବେଦନକାରିଣୀଙ୍କୁ ସୁଯୋଗ ଦେବା ଲାଗି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରିଣୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସର ବ୍ୟବସ୍ଥା କରିବା ଲାଗି ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ନାମ ଲେଖା ବିବାଦ ଯୋଗୁ ଆବେଦନକାରିଣୀଙ୍କ ବହୁ ସମୟ ନଷ୍ଟ ହୋଇଥିବା ବେଳେ ତାଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍‌ ବ୍ୟବସ୍ଥା କରାଯିବା ସପକ୍ଷରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନନ୍ତ ମୁଖାର୍ଜୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି କାରଣରୁ ୨୦୧୭-୧୮ ଶିକ୍ଷା ବର୍ଷରେ କଳା ଇତିହାସ ବିଭାଗରେ ଆବେଦନକାରିଣୀଙ୍କ ନାମ ଲେଖା ସମ୍ଭବ ନ ହୁଏ ତେବେ ପରବର୍ତ୍ତୀ ଶିକ୍ଷା ବର୍ଷ ୨୦୧୮-୧୯ରେ ତାଙ୍କୁ ନିଶ୍ଚିତ ଭାବେ ସୁଯୋଗ ଦେବା ପାଇଁ ଖଣ୍ଡପୀଠ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବି.କେ.କଲେଜ ଅଫ୍‌ ଆର୍ଟ ଆଣ୍ଟ୍‌ କ୍ରାଫ୍ଟରୁ ସ୍ନାତକରେ ପ୍ରଥମ ଶ୍ରେଣୀ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବେଦନକାରିଣୀ କଳା ଇତିହାସ ବିଭାଗରେ ସ୍ନାତକୋତ୍ତରରେ ନାମ ଲେଖାଇବା ପାଇଁ ୨୦୧୭, ଜୁଲାଇ ୧ରେ ଆବେଦନ କରିଥିଲେ। ଏହା ପରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗରେ ନାମ ଲେଖା ପୂର୍ବରୁ ଆପ୍ଟିଚ୍ୟୁଡ୍‌ ଟେଷ୍ଟ ଲାଗି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। କଳା ଇତିହାସ ବିଭାଗରେ ଆବେଦନକାରିଣୀ ଓ ଅନ୍ୟ ଜଣେ ପ୍ରାର୍ଥୀଙ୍କ ନାମ ତାଲିକାରେ ସ୍ଥାନ ପାଇଥିଲା। ଜୁଲାଇ ୭ରେ ଅନୁଷ୍ଠିତ ଟେଷ୍ଟରେ ଏହି ଦୁଇ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଜୁଲାଇ ୧୦ ତାରିଖରେ ବିଭିନ୍ନ ବିଭାଗରେ ନାମ ଲେଖା ପାଇଁ ଚୟନ କରାଯାଇଥିବା ଛାତ୍ରଛାତ୍ରୀଙ୍କ ପ୍ରକାଶିତ ତାଲିକାରେ କିନ୍ତୁ ଆବେଦନକାରିଣୀଙ୍କ ନାମ ନଥିଲା। ତାଲିକାରେ କଳା ଇତିହାସ ବିଭାଗର ଚିହ୍ନ ବର୍ଣ୍ଣ ନଥିଲା।

ଏପରି ପରିସ୍ଥିତିରେ ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦର୍ଶାଯାଇଥିଲା ଯେ ଯଦି କୌଣସି ବିଭାଗରେ ୫ରୁ କମ୍‌ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଆବେଦନ କରିଥାନ୍ତି, ତେବେ ଏହି ଏହି ପାଠ୍ୟକ୍ରମରେ ନାମ ଲେଖା ଚଳିତ ବର୍ଷ ସାମୟିକ ଭାବେ ବନ୍ଦ କରାଯାଇ ପାରିବ। ଚଳିତ ବର୍ଷ ମାତ୍ର ଦୁଇ ଜଣ କଳା ଇତିହାସ ବିଭାଗରେ ନାମ ଲେଖା ପାଇଁ ଥିବାରୁ ଏହି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନୁମତି ପ୍ରଦାନ କରାଯାଇ ନାହିଁ।  ଏହି ବିଭାଗରେ ସ୍ଥାୟୀ ଅଧ୍ୟାପକଙ୍କ ନଥିବାରୁ କାରଣରୁ ଅତିଥି ଅଧ୍ୟାପକଙ୍କ ଦ୍ୱାରା ପୂର୍ବରୁ ଶିକ୍ଷାଦାନ କରାଯାଉଥିଲା । ଆର୍ଥିକ କାରଣ ମଧ୍ୟ ଏପରି ନିଷ୍ପତ୍ତି ପଛରେ ରହିଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଦର୍ଶାଯାଇଥିଲା। ଭାଓଲିନ୍‌ ଓ ସୀତାର ସ୍ନାତକୋତ୍ତର ବିଭାଗରେ ଯଥାକ୍ରମେ ୩ ଜଣ ଓ ଜଣେ ପ୍ରାର୍ଥୀ ଥିବା ବେଳେ କର୍ତ୍ତୃପକ୍ଷ ଏହି ଦୁଇ ବିଭାଗରେ ନାମ ଲେଖା ପାଇଁ ଅନୁମତି ଦେଇଥିଲେ ବୋଲି ଆବେଦନକାରିଣୀ ଦର୍ଶାଇଥିଲେ। ଏପରି ପରିସ୍ଥିତିରେ କଳା ଇତିହାସ ବିଭାଗରେ ନାମଲେଖା ବନ୍ଦ କରାଯିବା ପାତର ଅନ୍ତର ନୀତିର ସ୍ପଷ୍ଟ ଉଦାହରଣ ବୋଲି ଆବେଦନକାରିଣୀଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe