ଆସନ୍ତା ଶିକ୍ଷାବର୍ଷରୁ ଅସ୍ଥାୟୀ କ୍ୟାମ୍ପସ୍‌ରେ ପାଠପଢ଼ା

Advertisment

ବଡ଼ଚଣା ସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ

ବଡ଼ଚଣା ସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ

ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ କଲେଜ ପରୀକ୍ଷା

ଭୁବନେଶ୍ୱର : ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନମଣ୍ଡଳୀର ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ହେବ। ଦୁଇ ବର୍ଷ ହେଲା ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆଗେଇ ପାରିନାହିଁ। ବହୁ ବିଳମ୍ବରେ ୨୦୧୭ରେ ଏହାର ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ ପାଠପଢ଼ାରେ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏବେ ଏହି ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୧୮-୧୯ ଶିକ୍ଷାବର୍ଷରୁ ଦ୍ୱିତୀୟ କ୍ୟାମ୍ପସରେ ନୂତନ ପାଠ୍ୟକ୍ରମ ଖୋଲିବ। ଛାତ୍ରଛାତ୍ରୀଙ୍କ ନାମଲେଖା ବି କରାଯିବ। ଅସ୍ଥାୟୀ ଭାବେ ଚଣ୍ଡିଖୋଲସ୍ଥିତ ବି.ବି. କଲେଜରେ ପାଠପଢ଼ା ଚାଲିବ ବୋଲି ନିଷ୍ପତ୍ତି ହୋଇଛି।

ଦ୍ୱିତୀୟ କ୍ୟାମ୍ପସର ମାଷ୍ଟର ପ୍ଲାନ, ବିଲଡିଂ ପ୍ଲାନ୍‌, ଆର୍କିଟେକଚରାଲ ଡିଜାଇନିଂ କିଭଳି ହେବ ତାହାର ଚୂଡ଼ାନ୍ତ ରୂପରେଖ ଏହି ମାସ ୩୧ ସୁଦ୍ଧା ସ୍ପଷ୍ଟ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ କାର୍ଯ୍ୟକାରୀ ସଂସ୍ଥା ଚୟନ ମଧ୍ୟ ଉକ୍ତ ସମୟ ମଧ୍ୟରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୧୮ ଫେବ୍ରୁଆରି ଶେଷ ସୁଦ୍ଧା ଟେଣ୍ଡର ଆହ୍ଵାନ କରିବାକୁ କୁହାଯାଇଛି। ଯେ କୌଣସି ପ୍ରକାରେ ଏପ୍ରିଲ ୧୫ ସୁଦ୍ଧା ଦ୍ୱିତୀୟ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଧାନସଭା ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି।

ରାଜ୍ୟର ଏହି ପ୍ରମୁଖ ସରକାରୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଭିତ୍ତିଭୂମି ନିର୍ମଣ ଲାଗି ୨୦୧୭-୧୮ ଆର୍ଥିକ ବର୍ଷରେ ୨୪ କୋଟି ୯୭ ଲକ୍ଷ ୭୦ ହଜାର ୯୦୦ ଟଙ୍କା ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୧୦ କୋଟି ୬୭ ଲକ୍ଷ ୩୯ ହଜାର ୫୦୦ ଟଙ୍କା ଏବେ ସୁଦ୍ଧା ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଡେମିକ୍‌ ବ୍ଲକ୍‌, ପ୍ରଶାସନିକ କୋଠା ସହ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚଣ୍ଡୀଖୋଲର ବି.ବି. କଲେଜରେ ହେବାକୁ ଥିବା ଅସ୍ଥାୟୀ କ୍ୟାମ୍ପସର ଆନୁସଙ୍ଗିକ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଯୋଗାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି। ୨୦୧୮-୧୯ ଶିକ୍ଷାବର୍ଷରେ ଅସ୍ଥାୟୀ କ୍ୟାମ୍ପସରେ ପାଠପଢ଼ାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ଲାଗି ଅନୁରୋଧ କରାଯିବ ବୋଲି ମୁଖ୍ୟ ସଚେତକ ଶ୍ରୀ ଶତପଥୀ କହିଛନ୍ତି।

ଦ୍ୱିତୀୟ କ୍ୟାମ୍ପସର ରୂପରେଖ କିଭଳି ହେବ ତାହା ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ ଆଲୋଚନା ହେବ। କୁଳପତି ପ୍ରଫେସର ପଟ୍ଟନାୟକ ବୈଠକରେ ଅନୁମୋଦନ ନେଇ ସମସ୍ତ ନିର୍ମାଣ କାର୍ଯ୍ୟ ସହ ଶିକ୍ଷାଦାନ ଉପରେ ବିଭିନ୍ନ ବୈଷୟିକ କମିଟି ଗଠନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ, ପୂର୍ତ୍ତ ବିଭାଗର ଶାସନ ସଚିବ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି, ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ, ଗୃହ ଓ ରାସ୍ତା ନିର୍ମାଣର ମୁଖ୍ୟଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe