ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

Advertisment
ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

Odisha News Insight

ଭୁବନେଶ୍ବର : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଷଣୀୟ ଏୗତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ପ୍ରକଳ୍ପର କାର୍ଯ୍ୟ ଶେ‌ଷ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଜଣାପଡିଛି।

ପ୍ରକଳ୍ପ ଅଧୀନ ବିଭିନ୍ନ କାମର ଅଗ୍ରଗତି ସମୀକ୍ଷା କରି ଚଳିତ ବର୍ଷ ଡି‌ସେମ୍ବର ୩୦ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ସଂଗ୍ରହାଳୟରେ ଗୋପବନ୍ଧୁଙ୍କ ରଚିତ ପୁସ୍ତକ, ତାଙ୍କର କର୍ମମୟ ଜୀବନ, ସମର୍ପିତ ସେବା, ବନ ବିଦ୍ୟାଳୟରେ ଶିକ୍ଷାଦାନ, ସ୍ୱାଧୀନତା ଆଲୋଚନାରେ ସକ୍ରିୟ ଭୂମିକା ଓ ତତ୍‌କାଳୀନ ସମୟ ସମ୍ବନ୍ଧିତ ସ୍ମାରକୀମାନ ସ୍ଥାନିତ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଗୋପବନ୍ଧୁଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ କାର୍ଯ୍ୟକୁ ଠିକ୍ ଭାବ‌େ କରିବା, ଜନ୍ମପୀଠ ଓ ସଂଗ୍ରହାଳୟକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯିବ। ଏଥିପାଇଁ ପର୍ଯ୍ୟଟକ ସୁବିଧାକେନ୍ଦ୍ର, ସୂଚନା କେନ୍ଦ୍ର, ଜାତୀୟ ରାଜପଥ ନିକଟରେ ସୁଦୃଶ୍ୟ ହୋର୍ଡିଂ ଲଗାଯିବ। ଜନ୍ମପୀଠ ସହ କରାଯାଉଥିବା ବିଭିନ୍ନ ସୁବିଧାର ଉତ୍ତମ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟରେ ସ୍ଥାନୀୟ ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯିବ। ସୁଆଣ୍ଡୋ ଗ୍ରାମ ନିକଟସ୍ଥ ଭାର୍ଗବୀ ନଦୀରେ ନଦୀ-ସମ୍ମୁଖ ବିକାଶ ସହ ଭାସମାନ ଜେଟି ଓ ନୌବିହାର ସୁବିଧା କରାଯିବ। ଏହା ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ସ୍ଥାନୀୟ କିଛି ଲୋକଙ୍କ ପାଇଁ ଆଉ ଏକ ଜୀବିକା ନିର୍ବାହ ପନ୍ଥା ସୃଷ୍ଟି କରିବ।

publive-image OrissaPOST

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୁଦନ ପାଢ଼ୀ କହିଥିଲେ, ବର୍ତ୍ତମାନସୁଦ୍ଧା ଉତ୍କଳମଣିଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ ଓ ସଂଗ୍ରହାଳୟ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘର ପାଖରେ ଥିବା ପୁଷ୍କରିଣୀର ବିକାଶ ମଧ୍ୟ କରାଯାଇଛି। ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ର, ଫୁଡ୍ କୋର୍ଟ ଓ ସୂଚନା କେନ୍ଦ୍ରର କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୈତୃକ ବାସସ୍ଥାନରେ ସ୍ଥାପନ କରାଯିବାକୁ ଥିବା ୧୫ ଫୁଟର ସୁନ୍ଦର ପ୍ରତିମୂର୍ତ୍ତି ଓ ଏହାର ପ୍ଲାଟ୍‌ଫର୍ମ କାର୍ଯ୍ୟ ଆଗେଇ ଚାଲିଛି। ସୁଆଣ୍ଡୋ ଗ୍ରାମ ରାସ୍ତାର ବିକାଶ, ଗ୍ରାମରେ ଭୂତଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କାର୍ଯ୍ୟ ଚାଲୁ ରହିଛି। ସମୁଦାୟ ପ୍ରକଳ୍ପରେ ପ୍ରାୟ ୨୫.୨୫ କୋଟି ଟଙ୍କା ବିନିଯୋଗ ହେଉଛି। ଏଥିପାଇଁ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ଦେଇଛନ୍ତି। ଇତିମଧ୍ୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ସ୍ମାରକୀ ଟ୍ରଷ୍ଟ ଗଠନ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ଶେଷସୁଦ୍ଧା ପ୍ରକଳ୍ପ ଅନ୍ତର୍ଗତ ସମସ୍ତ କାମ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦେଶ ଦିଆଯାଇଛି। ପୀଠର ପରିଚ୍ଛନତା, ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଭାବେ ଆଲୋଚନା ହୋଇଥିଲା। ୫ବର୍ଷ ପାଇଁ ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ଦେବେ ବୋଲି ବୈଠକରେ ସ୍ଥିର ହୋଇଥିଲା। ବୈଠକରେ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ପୂର୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସଂସ୍କୃତି ବିଭାଗ ନିର୍ଦେଶକ ରଂଜନ ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଭାସୀ ଜରିଆରେ କ୍ଷେତ୍ରସ୍ତରୀୟ ସ୍ଥିତି ଅବଗତ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe