ଉତ୍କଟ ହେଉଛି ଜଳକଷ୍ଟ, ବୋହୂ ପଳାଇଲେ ବାପଘର

ଉତ୍କଟ ହେଉଛି ଜଳକଷ୍ଟ, ବୋହୂ ପଳାଇଲେ ବାପଘର

ହାଟଡିହି: ଖରା ଆରମ୍ଭରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କାଠକଟା ଚତୁରିସାହିରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ଗାଁରେ ଥିବା ତିନିତିନିଟି ନଳକୂପ ଅଚଳ ହୋଇଯାଇଥିବାରୁ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଗାଁର ମହିଳାମାନେ ଦୁଇ କିଲୋମିଟର ଦୂରରେ ଥିବା ଏକ କୂଅରୁ ପାଣି ଆଣୁଛନ୍ତି। ସ୍ନାନଶୌଚ ପାଇଁ ମଧ୍ୟ ପାଣିର ସୁବିଧା ନାହିଁ। ତେଣୁ ଗାଁକୁ ବାହା ହୋଇ ଆସିଥିବା ନବବଧୂମାନେ ବାପଘରକୁ ପଳାଉଛନ୍ତି। କାଠକଟା ପଞ୍ଚାୟତ ଚତୁରିସାହିରେ ୫୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବାସ କରୁଛନ୍ତି। ଲୋକସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ। ଗ୍ରାମରେ ୩ଟି ନଳକୂପ ଥିଲେ ମଧ୍ୟ ଖରାଦିନେ ସେଥିରୁ ପାଣି ବାହାରୁନି। ଗାଁଠାରୁ କିଛି ଦୂରରେ ଥିବା ଏକ ନଳକୂପରୁ ଲୋକେ ପାନୀୟଜଳ ସଂଗ୍ରହ କରୁଥିବା ବେଳେ ଦୁଇ କିଲୋମିଟର ଦୂରରେ ଥିବା ଏକ ଖୋଲାକୂଅରୁ ସ୍ନାନଶୌଚ ପାଇଁ ପାଣି ଆଣିଥାନ୍ତି। ବେଳେ ବେଳେ ନଳକୂପରୁ ପାଣି ନବାହାରିଲେ କୂଅର ଦୂଷିତ ପାଣିକୁ ଲୋକେ ବ୍ୟବହାର କରୁଛନ୍ତି। ପାଣି ସମସ୍ୟା ପାଇ ଗାଁର ଦୁଇଜଣ ନବବଧୂ ଶାଶୂଘର ଛାଡ଼ି ବାପଘରକୁ ପଳାଇଥିବା ମାଳତୀ ଖଟୁଆ, ନିହାରିକା ସୋରେନ, ଉଲୁଙ୍ଗି ମାଝୀ, ହୀରାମଣି ମାଝୀ, ଜବାନୀ ମାଝୀ ପ୍ରମୁଖ କହିଛନ୍ତି।

ଗ୍ରାମର ହୀରାମଣି ମାଝୀଙ୍କ ପୁଅ ଗତ ୬ ମାସ ତଳେ ବିବାହ କରିଥିଲେ। ଏତେ ଦୂରରୁ ପାଣି ଆଣିବାରେ ସମସ୍ୟା ହେବାରୁ ନବବଧୂ ଜଣକ ନିଜ ବାପଘରକୁ ଚାଲିଯାଇଛନ୍ତି। ପାଣି ସୁବିଧା ହେଲେ ବୋହୂ ଆସିବ ବୋଲି ହୀରାମଣି ପ୍ରକା‌ଶ କରିଛନ୍ତି। ସେହିପରି ଗ୍ରାମର ଅନ୍ୟଜଣେ ନବବଧୂ ମଧ୍ୟ ପାଣି ସମସ୍ୟା ପାଇଁ ବାପଘରକୁ ଯାଇଥିବା ତାଙ୍କ ଶାଶୂଘର ଲୋକେ କହିଛନ୍ତି। ସେହିପରି ତିନିବର୍ଷ ହେବ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ସାହିରେ ପାଇପ୍‌ ବିଛାଯାଇଛି। ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି। ପାଇପ୍‌ରେ ପାଣି ଆସୁ ନଥିବା ବେଳେ ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ମୁହଁମାଡ଼ି ପଡ଼ିଛି। ସାହିଟି ଉଚ୍ଚ ସ୍ଥାନରେ ଥିବାରୁ ପାଣି ଆସୁ ନଥିବା ଦିବାନୀ ମାଝୀ, ତୁଳସୀ ଟୁଡ଼ୁ, ରଘୁନାଥ ମାଝୀ, ଧନେଶ୍ୱର ମାଝୀ କହିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ବିଚିତ୍ରନାଥ ଜେନାଙ୍କୁ ପଚାରିବାରୁ, ବର୍ଷବର୍ଷ ଧରି ଏହି ସାହିରେ ପାନୀୟଜଳ ସମସ୍ୟା ଲାଗି ରହିଛି। ଏନେଇ ବାରମ୍ବାର ପ୍ରଶାସନ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପଞ୍ଚାୟତ ପକ୍ଷରୁ ପ୍ରତିବର୍ଷ ଏପ୍ରିଲ୧୫ରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଛି। ଏବର୍ଷ ମଧ୍ୟ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି। ସେହିପରି କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ସ୍ୱାଇଁ କହିଛନ୍ତି, ଜଳକଷ୍ଟକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଆଜି କିଛି ନଳକୂପ ମରାମତି କରାଯାଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe