ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି : ନବୀନ କେମିତି ଶ୍ରୀଜଗନ୍ନାଥ ଭକ୍ତ, ବଖାଣିଲେ ପାଣ୍ଡିଆନ୍

Advertisment
ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି : ନବୀନ କେମିତି ଶ୍ରୀଜଗନ୍ନାଥ ଭକ୍ତ, ବଖାଣିଲେ ପାଣ୍ଡିଆନ୍

ଭୁବନେଶ୍ବର : ‘‘ସେଦିନ ଥିଲା ୨୦୧୬ ମସିହା ଜାନୁଆରି ପହିଲା। ସବୁ ବର୍ଷ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ। ପଛରେ ମୁଁ ବସିଥିଲି। ଗୋଟିଏ କି ଦୁଇଟି ଜାଗାରେ ମୁଖ୍ୟମନ୍ତ୍ରୀ ହୋର୍ଡିଂରେ ଲାଗିଥିବା ମହାପ୍ରଭୁଙ୍କ ଫଟୋକୁ ନମସ୍କାର କରୁଥିବା ପୂର୍ବରୁ ମୁଁ ଦେଖିଥିଲି। ଭାବୁଥିଲି, ବୋଧହୁଏ ମହାପ୍ରଭୁଙ୍କ ଉପରେ ଆଖି ପଡିଯାଇଥିବ, ଏଣୁ ମୁଖ୍ୟମନ୍ତ୍ରୀ ପ୍ରଣାମ କରୁଛନ୍ତି। କିନ୍ତୁ ସେଦିନ ନିରେଖି ଦେଖିବା ପରେ ଜାଣିପାରିଲି ଯେ ଦୀର୍ଘ ୬୦ କିଲୋମିଟର ରାସ୍ତା କଡରେ ଯେଉଁଠି ଯେତେବେଳେ ମହାପ୍ରଭୁଙ୍କ ଫଟୋ ଦେଖୁଥିଲେ, ନମସ୍କାର କରୁଥିଲେ ମୁଖ୍ୟମନ୍ତ୍ରୀ। ଆଉ ଯେଉଁ ସମୟରେ ଶ୍ରୀମନ୍ଦିର ଭିତରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ କଲେ, ସେତେବେଳେ ମୁଁ ଲକ୍ଷ୍ୟ ରଖିଛି, ତାଙ୍କ ଆଖିରେ ଲୁହ ଜକାଇ ଆସିଥିଲା।’’

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଚିଠା ନକ୍ସା ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ମହାପ୍ରଭୁଙ୍କ ମଧ୍ୟରେ ଥିବା ନିବିଡତା ଉପରୁ ଏଭଳି ପରଦା ଉଠାଇଛନ୍ତି ୫-ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍। ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ଗଣମାଧ୍ୟମ ସାମ୍ନାରେ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ସେଦିନ ଶ୍ରୀମନ୍ଦିର ଭିତରେ ମୁଁ ଭିନ୍ନ ଏକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲି। ଆଉ ସେଦିନ ବାହାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ କିଛି ଗୋଟାଏ କରିବାକୁ ପଡିବ। ଲୋକେ ବହୁତ ଖୁସି ହେବେ। ସେଇଠୁ ଆରମ୍ଭ ହୋଇଥିଲା ପୁରୀ ବିକାଶର ନକ୍ସା ପ୍ରସ୍ତୁତି। ପୁରୀ ବିକାଶକୁ ନେଇ କାହା ମନରେ କିଛି ବି ଦ୍ବନ୍ଦ୍ବ ରହିବା କଥା ନୁହେଁ, କାରଣ ବିକାଶର ନକ୍ସା ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହେଁ, ଶ୍ରୀଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ।

ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ସେବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ପୁରୀକୁ ନୂଆ ଚେହେରା ଦେବା ଲାଗି ଯେତେବେଳେ ଯୋଜନା ହେଲା, ପ୍ରଥମେ ପୁରୀ ସହର ଉପରେ ଥିବା ବହୁ ପୁରାତନ ଜେଲ ସ୍ଥାନାନ୍ତରଣ କଥା ଉଠିଲା। ତତ୍କାଳୀନ ଜେଲ ଏଡି଼ଜି ଏହାକୁ ବିରୋଧ କଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଚାହିଁଲେ ପରିବର୍ତନ ହେବ ଓ ମାତ୍ର ୧୫ମାସ ଭିତରେ ପୁରୀ ଜେଲ ସ୍ଥାନାନ୍ତରଣ ହେଲା। ସେବେ କେହି ଭାବିନଥିଲେ, କାହିଁକି ହଠାତ୍ ପୁରୀ ଜେଲ ସ୍ଥାନାନ୍ତରଣ ଆବଶ୍ୟକ ପଡିଲା। ସତ ହେଲା, ପୁରୀର ବିକାଶ ପାଇଁ ସେବାଠାରୁ ମୁଖ୍ୟମନ୍ତ୍ରୀ ସ୍ଥିର କରିସାରିଥିଲେ, ଯାହା ଏତେବାଟ ଆସିଛି।

ଉଲ୍ଲେଖଯୋଗ୍ୟ ଯେ ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ପରେ ପୁରୀର ଧ୍ବସ୍ତବିଧ୍ବସ୍ତ ଚେହେରା ମୁଖ୍ୟମନ୍ତ୍ରୀଙ୍କୁ ବିଚଳିତ କରିଥିବା କଥା ସେ କହିଥିଲେ। ପୁରୀକୁ ବିଶ୍ବର ଏକ ପ୍ରମୁଖ ଐତିହ୍ୟସ୍ଥଳରେ ପରିବର୍ତନ କରିବା ସଂପର୍କରେ ତା ପରେ ଘୋଷଣା ହୋଇଥିଲା। ଆଜି ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କର ମହାପ୍ରଭୁଙ୍କ ପ୍ରତି ଭଲପାଇବା ସଂପର୍କରେ ଅବତାରଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe