ଫିକା ପଡ଼ୁଛି ‘ଟିକା ଉତ୍ସବ’, ୧୦ ଜିଲ୍ଲାରେ ଟିକାକରଣ ଅଟକିଲା

ପୁରୁଷ ପ୍ରଜନନ କ୍ଷମତା ଉପରେ ଟିକାର ପ୍ରଭାବ ନାହିଁ: ଅନୁଧ୍ୟାନ

India TV News

ଭୁବନେଶ୍ବର : ରାଜ୍ୟରେ ଟିକାର ଅଭାବ ଜାରି ରହିଛି। ଗତକାଲି ୧୧ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଥିବା ବେଳେ ଆଜି ୧୦ଟି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେଣୁ ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ଦୈନିକ ୧ଲକ୍ଷ ଲୋକଙ୍କୁ ମଧ୍ୟ ଟିକା ଦେବା ସମ୍ଭବ ହେଉନାହିଁ। ଅପରପକ୍ଷରେ ରାଜ୍ୟରେ ଏବେ ଯେତିକି ଟିକା ମହଜୁଦ ଅଛି, ତାହିଁରେ ଆସନ୍ତା ୨ଦିନ ଟିକାକରଣ ହୋଇପାରିବ ବୋଲି କୁହାଯାଉଛି। ତେଣୁ ଖୁବଶୀଘ୍ର ଆଉ ଟିକା ନ ଆସିଲେ ଟିକାକରଣ ସଂପୂର୍ଣ୍ଣ ବନ୍ଦ ହୋଇଯିବା ନେଇ ଆଶଙ୍କା ଦେଖାଗଲାଣି।

ରାଜ୍ୟରେ ଆଜି ୫୫୬ ଟିକାଦାନ କେନ୍ଦ୍ରରେ ଟିକାକରଣ ହୋଇଛି। ଏଥିରେ ୬୩ଟି କେନ୍ଦ୍ର କେବଳ ‘କୋଭାକ୍ସିନ୍’ ଟିକା ଦିଆଯାଇଛି। ବୌଦ୍ଧ, ଗଜପତି, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ହୋଇପାରି ନାହିଁ। ଫଳରେ ରାଜ୍ୟରେ ‘ଟିକା ଉତ୍ସବ’ ସଂପୂର୍ଣ୍ଣ ଫିକା ପଡ଼ିଛି। ଏପରିକି ୮ଟି ଜିଲ୍ଲାରେ ୧୦ରୁ କମ୍ ଅଧିବେଶନ ସମ୍ଭବ ହୋଇପାରିଛି। ଆଜି ୪୫ବର୍ଷରୁ ଅଧିକ ୫୮,୧୮୨ଜଣଙ୍କୁ ପ୍ରଥମ ଓ ୧୧,୮୫୪ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଆଜି କୌଣସି ବ୍ୟକ୍ତିଙ୍କଠାରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ରାଜ୍ୟରେ ସମୁଦାୟ ୪୬ଲକ୍ଷ ୫୬ହଜାର ୪୫୦ଜଣ ଟିକା ନେଇ ସାରିଲେଣି।

ରାଜ୍ୟରେ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୫.୨ ପ୍ରତିଶତ ପ୍ରଥମ ଓ ୮୬.୬ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୮୬.୨ ପ୍ରଥମ ଓ ୮୫.୨ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

ଅପରପକ୍ଷରେ ଆସନ୍ତାକାଲି ସବୁ ଜିଲ୍ଲାରେ ଟିକାକରଣ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ। ମାତ୍ର ରାଜ୍ୟରେ ଯଥେଷ୍ଟ ପରିମାଣର ଟିକା ନ ଥିବାରୁ ସର୍ବାଧିକ ୨ଦିନ ଟିକାକରଣ ସମ୍ଭବ ହୋଇପାରିବ। ରାଜ୍ୟକୁ ପରବର୍ତ୍ତୀ ଟିକା କେବେ ଆସିବ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବା ସେ କହିଛନ୍ତି। ଗତକାଲି ରାଜ୍ୟରେ ୨ଲକ୍ଷ ଡୋଜ୍‌ର ‘କୋଭାକ୍ସିନ୍’ ଟିକା ପହଞ୍ଚିଛି। ମାତ୍ର ରାଜ୍ୟବ୍ୟାପୀ ଦିଆଯାଉଥିବା ‘କୋଭିସିଲ୍‌ଡ’ ଟିକାର ଯୋଗାଣରେ ଅନିୟମିତତା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe