Image Courtesy of Deccan Herald
ଭୁବନେଶ୍ବର : ରାଜ୍ୟରେ ଯେ କୌଣସି ସମୟରେ ପହଞ୍ଚିପାରେ ଟିକା। ଏ ନେଇ ସଂକେତ ଦେଇଛନ୍ତି କେନ୍ଦ୍ର ସରକାର। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ୧୯ଟି ରାଜ୍ୟକୁ ଟିକା ଯୋଗାଣକାରୀ ସଂସ୍ଥାରୁ ସିଧାସଳଖ ଟିକା ଆସି ପହଞ୍ଚିବ। ତେଣୁ ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ରାଜ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩.୨୮ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବା ଲାଗି ନିଷ୍ପତ୍ତି ହୋଇଛି। ମାତ୍ର ଏଥିପାଇଁ କାହାରିକୁ ବାଧ୍ୟ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଚାହିଁବେ ସେମାନଙ୍କୁ ଟିକା ପ୍ରଦାନ କରାଯିବ। ବାହୁରେ ଟିକା ପ୍ରଦାନ କରାଯିବ। ଟିକା ପ୍ରଦାନ କରିବା ଲାଗି ରାଜ୍ୟରେ ୨୯ହଜାର ଟିକାଦାନ କେନ୍ଦ୍ର ଚିହ୍ନଟ ହୋଇସାରିଛି। ମାତ୍ର ପ୍ରଥମ ପର୍ଯ୍ୟାୟରେ ଏତେ ସଂଖ୍ୟକ ଟିକାଦାନ କେନ୍ଦ୍ରର ଆବଶ୍ୟକତା ନ ଥିବାରୁ କିଛି ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଟିକା ପ୍ରଦାନ କରାଯିବ। ଟିକା ପ୍ରଦାନ କେନ୍ଦ୍ରରେ ମୁଖ୍ୟତଃ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ନିରୀକ୍ଷଣ ଗୃହ ରହିବ। ତେଣୁ ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଆସନ୍ତା ୮ ତାରିଖ ସୁଦ୍ଧା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି କରିଛନ୍ତି।
ଟିକା ପହଞ୍ଚିବା ପରେ ଏହାକୁ ଟିକାକରଣ ରୁମ୍ରେ ମହଜୁଦ ରଖାଯିବ। ଏହା ପରେ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଟିକାଦାନ କେନ୍ଦ୍ରକୁ ପଠାଯିବ। ସେଠାରେ ପୂର୍ବରୁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ଯାଞ୍ଚ କରାଯିବା ପରେ ଟିକାଦାନ କରାଯିବ। ଗତ ୨ତାରିଖରେ ମଧ୍ୟ ରାଜ୍ୟରେ ଟିକାଦାନ ନେଇ ଡ୍ରାଏ ରନ୍ ବା ପ୍ରାକ୍ ଅଭ୍ୟାସ ଶେଷ ହୋଇଛି। ଆସନ୍ତା ୮ତାରିଖରେ ପୁନର୍ବାର ଦେଶରେ ଡ୍ରାଏ ରନ୍ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
Follow Us