ବାଣୀବିହାର ହଷ୍ଟେଲ୍‌ରେ ଚଢ଼ଉ, ୨୧୮ ରୁମ୍‌ ଅଣଛାତ୍ର ମୁକ୍ତ

ଉତ୍କଳ ବିଶ୍ବବିଦ୍ୟାଳୟରୁ ତଡ଼ା ଖାଇଲେ ଅଣଛାତ୍ର। ପୁଲିସ ଛାଉଣିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରାବାସଗୁଡ଼ିକରେ ଚଢ଼ଉ କରି ଅଣଛାତ୍ରକୁ ବାହାର କରିଛନ୍ତି। ଅଣଛାତ୍ରଙ୍କ କବ୍‌ଜାରେ ଥିବା ୫ଟି ଛାତ୍ରାବାସର ୨୧୮ ରୁମ୍‌ ଅଣଛାତ୍ର ମୁକ୍ତ ହୋଇଛି।

Utkal University

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରୁ ତଡ଼ା ଖାଇଲେ ଅଣଛାତ୍ର। ପୁଲିସ ଛାଉଣିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରାବାସଗୁଡ଼ିକରେ ଚଢ଼ଉ କରି ଅଣଛାତ୍ରକୁ ବାହାର କରିଛନ୍ତି। ଅଣଛାତ୍ରଙ୍କ କବ୍‌ଜାରେ ଥିବା ୫ଟି ଛାତ୍ରାବାସର ୨୧୮ ରୁମ୍‌ ଅଣଛାତ୍ର ମୁକ୍ତ ହୋଇଛି। ଆଗକୁ ପୁଣି ସେହି ରୁମ୍‌ଗୁଡ଼ିକ ଯେପରି ଅଣଛାତ୍ରଙ୍କ କବ୍‌ଜାକୁ ଚାଲି ନଯାଏ, ସେଥିପାଇଁ ରୁମ୍‌ଗୁଡ଼ିକରେ ତାଲା ପକାଯିବା ସହ ନୂତନ ଛାତ୍ରଙ୍କୁ ରୁମ୍‌ ଆଲର୍ଟ କରାଯାଇଛି। କ୍ୟାମ୍ପସରେ ଉତ୍ତେଜନା ସ୍ଥିତି ଆଶଙ୍କା ଥିବାରୁ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଫୋର୍ସ ଦୁଇ ଦିନ ପାଇଁ ରହିବେ। ଯଦି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ଦେଖାଦିଏ ତେବେ ସପ୍ତାହେ ଯାଏଁ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ସେପ୍ଟେମ୍ବର ୪ ସୁଦ୍ଧା ଛାତ୍ରାବାସରୁ ବାହାରି ଯିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଛାତ୍ରଙ୍କୁ କଡ଼ା ଚେତାବନୀ ଦେଇଥିଲେ। ମାତ୍ର ସେମାନେ ଛାଡ଼ି ଯାଇ ନ ଥିଲେ। ଯେଉଁଥିପାଇଁ ଆଜି ସକାଳୁ ହିଁ ଡିସିପି ପାହ୍ୟାର ଅଧିକାରୀ ଅନୁପ କାନୁନ୍‌ଗୋଙ୍କ ନେତୃତ୍ବରେ ୨ଜଣ ଅତିରିକ୍ତ ଡିସିପି, ୬ଜଣ ଏସିପି, ୭ଜଣ ଆଇଆଇସି, ୪୦ ଏସ୍‌ଆଇ ଏବଂ ୧୦ ପ୍ଲାଟୁନ୍‌ ଫୋର୍ସକୁ ନେଇ ଚଢ଼ଉ ଆରମ୍ଭ ହୋଇଥିଲା। ଯେଉଁଥିରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ସମେତ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ, ୱାଡେନ୍‌, ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଏବଂ ଅନ୍ୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ସାମିଲ ହୋଇଥିଲେ। ପ୍ରଥମେ ଛାତ୍ରବାସ-୩ରେ ଚଢ଼ଉ କରାଯାଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକା ହିସାବରେ ଛାତ୍ରାବାସ-୩ର ୧୮୦ରୁମ୍‌ରୁ ୧୪୦ ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ରହିଥିଲା। ଗୋଟିଏ ପରେ ଗୋଟିଏ ରୁମ୍‌ର ତାଲା ଭାଙ୍ଗିଥିଲା ପୁଲିସ। ରୁମ୍‌ ଭିତରେ ଥିବା ଅଣଛାତ୍ରଙ୍କ ବହି ଓ ଜିନିଷପତ୍ରକୁ ବାହାରକୁ କଢ଼ାଯାଇ ତାଲା ମରାଯାଇଥିଲା। ସମାନ ଢ଼ଙ୍ଗରେ ଛାତ୍ରାବାସ-୨ର ୪୦ ରୁମ୍‌, ଛାତ୍ରାବାସ-୧ର ୨୦ ରୁମ୍‌, ଛାତ୍ରାବାସ-୪ର ୧୫ ରୁମ୍‌ ଓ ଛାତ୍ରାବାସ-୫ର ୩ଟି ରୁମ୍‌ରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ହଷ୍ଟେଲ ରୁମ୍‌ରୁ ବହୁ ପରିମାଣରେ ମଦ ବୋତଲ, ହିଟର, ହୁକା ଟାଣିବା ସାମଗ୍ରୀ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe