ନାନା ସମସ୍ୟାରେ ବୁଡି ରହିଛି ଗୋପ କଲେଜ

Advertisment
ନାନା ସମସ୍ୟାରେ ବୁଡି ରହିଛି ଗୋପ କଲେଜ

ଗୋପ : ଗୋପ କଲେଜ ଏବେ ନାନା ସମସ୍ୟାରେ ବୁଡି ରହିଛି। ନିମାପଡା କଲେଜ ଭଳି ଏହି କଲେଜର ଉନ୍ନତି ନିମନ୍ତେ କୌଣସି ପ୍ରକାର ଉଦ୍ୟମ ମଧ୍ୟ କରାଯାଉନାହିଁ। ୧୯୭୮ରେ ସ୍ଥାପିତ ଏହି କଲେଜ ଗୋପ ବ୍ଲକ୍‌ର ଏକମାତ୍ର ଡିଗ୍ରି କଲେଜ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ବାଣିଜ୍ୟ ଓ ଯୁକ୍ତ ୩ ବିଜ୍ଞାନ ଖୋଲିବାରେ ଅସମର୍ଥ ହୋଇଛି। ଏବେ ଯୁକ୍ତ ୨ରେ କଳାରେ ୫୧୨ ଓ ବିଜ୍ଞାନରେ ୨୫୬, ଧନ୍ଦାମୂଳକ ଶିକ୍ଷାରେ ୯୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଯୁକ୍ତ ୩ କଳାରେ ୭୬୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସମୁଦାୟ ୧୬୩୨ ଛାତ୍ରଛାତ୍ରୀଙ୍କ ଚଳପ୍ରଚଳ କରିବାରେ କଲେଜର ପରିସର ଯଥେଷ୍ଟ ହେଉନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରିକି ଏତେ ଜମି ଥାଇ ସୁଦ୍ଧା କଲେଜର ଏକ ଖେଳପଡିଆ ମଧ୍ୟ ନାହିଁ। ଏହି କଲେଜର ମୁଖ୍ୟ ସମସ୍ୟା ହେଉଛି ଜମିଜମା ଭିତ୍ତିକ।

ଜମି ସମସ୍ୟା ଯୋଗୁଁ ଏହାର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଗୋପ କଲେଜ ନାମରେ ସମୁଦାୟ ୨୪.୩୨ ଏଜର ଜମି ରହିଥିବା ବେଳେ କଲେଜର କାର୍ଯ୍ୟାଳୟ ଓ ଶ୍ରେଣୀ ପାଠପଢା ଚାଲିଛି ମାତ୍ର ୧.୫ ଏକର ଜମିରେ। ଅବଶିଷ୍ଠ ଜମି ଗୁଡିକ ବାୟାକୁଦା ମୌଜା ସ୍ଥିତ ତଥା ଏବେକାର ତହସିଲ ଏବଂ ଅଗ୍ନିଶମ କେନ୍ଦ୍ରକୁ ୧୧.୩୭ ଏକର ଲାଗି ରହିଥିବା ବେଳେ ଅନ୍ୟ ୧୧.୪୧ ଏକର ଜମି କଲେଜ ଠାରୁ ୭ କିଲୋମିଟର ଦୂର ଗଣେଶ୍ବରପୁର ପଞ୍ଚାୟତର କେସିଙ୍ଗା ମୌଜାରେ ରହିଛି। ମାତ୍ର ବାୟାକୁଦାରେ ଥିବା ଜମିରୁ ତିନି ଏକର ଜମିକୁ ସରକାର ନିଜ ନାମରେ ଅନାବାଦୀ ଭାବେ ରେକର୍ଡ କରିନେଇଥିଲେ ଯାହାର ଖବର କଲେଜର ପରିଚାଳନା ସମିତି ନିକଟରେ ନଥିଲା। ଗତ ୨୦୨୦ ମସିହାରେ କଲେଜ ପରିଚାଳନା ସମିତି ଜାଣିବା ପରେ କଲେଜ ତରଫରୁ ନିମାପଡା ସିଭିଲ୍ କୋର୍ଟରେ ଏକ ମାମଲା ରୁଜୁ କରାଯାଇ ନିଜସ୍ବ ଜମିଗୁଡିକୁ ଫେରାଇ ଆଣିବାକୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ କେସିଙ୍ଗା ମୌଜାରେ ଥିବା ଜମି ଗୁଡିକୁ ମଧ୍ୟ ଦୀର୍ଘ ଦିନ ହେବ ଚାଷୀ ମାନେ ମାଡି ବସିଛନ୍ତି ଏବଂ ସେଠାରୁ ମଧ୍ୟ କଲେଜ କୌଣସି ପ୍ରକାର ଆୟ ପାଇପାରୁନାହିଁ।

କଲେଜ କର୍ତ୍ତୃପକ୍ଷଙ୍କ ଏ ବିଷୟରେ ପଚାରିବାରେ ସେ କହିଲେ ଯେ ଆମେ ରେକର୍ଡ ଅନୁଯାୟୀ ସମସ୍ତ ଜମିର ଖଜଣା ସରକାରଙ୍କ ନିକଟରେ ଦାଖଲ କରିଚାଲିଛୁ କିନ୍ତୁ ଉକ୍ତ ଜମି ଗୁଡିକ ଆମ ଦଖଲରେ ନାହିଁ। ଆମେ ତାହାକୁ ଖୁବ୍ ଶୀଘ୍ର ଦଖଲକୁ ଆଣିବାକୁ ନିଷ୍ପତି ନେଇଛୁ। ତେବେ ପ୍ରଶ୍ନ ଉଠୁଛି ଯେ ଗୋପ କଲେଜ ନାମରେ ଥିବା ଜମି କେଉଁ ପରିସ୍ଥିତିରେ ଅନାବାଦୀ ଖାତାକୁ ଗଲା ଏବଂ ସେତେବେଳେ କାହିଁକି କଲେଜ ପରିଚାଳନା ସମିତି ବିରୋଧ କରିନଥିଲା। ପୁନଃ ଏବେ କେସିଙ୍ଗା ମୌଜାରେ ଥିବା ଜମି ଗୁଡିକୁ କାହିଁକି ଦଖଲକୁ ଆଣୁନାହାନ୍ତି। ଏଭଳି ଅନେକ ପ୍ରଶ୍ନ ର ପାହାଡ ଛିଡା କରାଇଛନ୍ତି ଗୋପ କଲେଜ ପରିଚାଳନା ସମିତି ଉପରେ। ଏପରିକି କଲେଜକୁ ବନ୍ଦ କରିଦେବା ନେଇ ଚକ୍ରାନ୍ତ ଚାଲିଥିବା କିଛି ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି। ଏ ନେଇ ଗୋପ କଲେଜର ଜମିଜମା ସମସ୍ୟା ବୁଝୁଥିବା ବରିଷ୍ଠ ପ୍ରାଧ୍ୟାପକ ବିଭୂତି ଭୂଷଣ ସେନାପତି କହିଛନ୍ତି ଯେ କଲେଜ ତରଫରୁ ଏ ନେଇ ମାମଲା ରୁଜୁ କରାଯାଇଛି ଏବଂ କେସିଙ୍ଗା ମୌଜାରେ ଥିବା ଜମି କୁ ତୁରନ୍ତ ଦଖଲକୁ ଆଣିବାକୁ ଚେଷ୍ଟା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe