ଭୁବନେଶ୍ବର : ରେଳବାଇ, ରାଜପଥ, ବନ୍ଦର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟକୁ ଜୋରଦାର କରିବାକୁ ପଡ଼ିବ। ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ଓଡ଼ିଶା ପାଖରେ ତେଣୁ ଏବେ ନୁହେଁ ତ କେବେ ନୁହେଁ। ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଭାବରେ ଉଷା ପାଢ଼ୀଙ୍କ କାର୍ଯ୍ୟଭାର ଗ୍ରହଣ ପରେ ରାଜ୍ୟରେ ପରିବହନ ଏବଂ ଯୋଗାଯୋଗକୁ ସୁବ୍ୟବସ୍ଥିତ କରିବା ପାଇଁ ଟ୍ବିଟରରେ ତାଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗର ଅଫିସିଆଲ ଆଇଡିରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଉଷା ପାଢ଼ୀଙ୍କ ଆଲୋଚନାର ଫଟୋ ଟ୍ବିଟ୍ କରାଯାଇଛି।
ଓଡ଼ିଶା ରେଳ ୟୁଜର୍ସ ଲେଖିଛନ୍ତି, ରାଜ୍ୟରେ ରେଳ ଘନତ୍ବର ଅଭାବ ରହିଛି। ତେଣୁ ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ଥିବା ସମୟକୁ ଉପଯୋଗ କରିବାକୁ ପଡ଼ିବ। ଦିଲ୍ଲୀପ ପଣ୍ଡା ଟ୍ବିଟ୍ କରିଛନ୍ତି ଯେ ଉଷା ପାଢ଼ୀଙ୍କ ନେତୃତ୍ବରେ ଦୁର୍ଘଟଣା ହ୍ରାସ ଏବଂ ସଡ଼କ ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା ରହିଛି। ରଞ୍ଜିତ ରାଉତ ଉଷା ପାଢ଼ୀଙ୍କ ଯୋଗଦାନକୁ ସ୍ବାଗତ କରିଛନ୍ତି କିନ୍ତୁ ସାଗର ବେହେରା ଆନ୍ଦୋଳନର ଫଟୋ ସହିତ ବ୍ରହ୍ମପୁରରେ କେବେ ହେବ ବିମାନବନ୍ଦର ବୋଲି ପ୍ରଶ୍ନ କରିଛନ୍ତି। ସ୍କିଲ ଇନ ଓଡ଼ିଶା ପକ୍ଷରୁ ଉଷା ପାଢ଼ୀଙ୍କ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନକୁ ଟ୍ବିଟ କରାଯାଇଛି। ଏଥିରେ ମଧ୍ୟ ୟୁଜର୍ସମାନେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଛନ୍ତି। ଟ୍ବିଟର ବ୍ୟବହାରକାରୀ ରାଓ ଲେଖିଛନ୍ତି, ଗାଁରେ ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ କରିବା ସହିତ ପ୍ରତ୍ୟେକ ଗାଁ ଶିଶୁ ଏଠାରେ ପ୍ରଶିକ୍ଷଣ ପାଇଁ ସୁଯୋଗ ପାଇବ ଏଥିପ୍ରତି ଧ୍ୟାନ ଦେବା ପାଇଁ ଲେଖିଛନ୍ତି।
Follow Us