ପରିବା ବିକି କୁଟୁମ୍ବ ପୋଷୁଛନ୍ତି ଦୁଇ ନାବାଳକ ଭାଇ

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବାପା ଓ ଜେଜବାପା ଘରେ ଅଚଳ ହୋଇ ବସିରହିଛନ୍ତି

ପରିବା ବିକି କୁଟୁମ୍ବ ପୋଷୁଛନ୍ତି ଦୁଇ ନାବାଳକ ଭାଇ

ଆଳି: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଘରେ ଅଚଳ ହୋଇ ବସିରହିଥିବା ବାପା ଓ ଜେଜବାପାଙ୍କ ସହିତ ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷିବା ପାଇଁ ଗାଁ, ବଜାର,ହାଟ ବୁଲିବୁଲି ପନିପରିବା ବିକି ପରିବାର ଚଳାଉଛନ୍ତି ମା'ଛେଉଣ୍ଡ ନାବାଳକ ଛୋଟ,ଛୋଟ ଦୁଇଭାଇ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକ ସିଙ୍ଗିରି ଗ୍ରାମର ପ୍ରମୋଦ ମଲିକ।ଗାଁ, ଗାଁ ବୁଲି ଧୂପକାଠି ବିକି ପରିବାର ପ୍ରତିପୋଷଣ କରୁଥିଲେ। ଧୂପକାଠି ନେଇ ରାଜନଗର ଗୁପ୍ତି ଅଞ୍ଚଳକୁ ଯାଇଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଗୋଡ଼ ଅଚଳ ହୋଇପଡିଛି। ଅପରେସନ ପାଇଁ ୪୦ ରୁ ୫୦ ହଜାରଟଙ୍କା ଆବଶ୍ୟକ। ଅର୍ଥ ପାଉ ନାହାନ୍ତି କି ଚିକିତ୍ସା ହୋଇ ପାରୁ ନାହିଁ।

୪ ବର୍ଷ ତଳୁ ଷ୍ଟୋଭ ଫାଟି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପତ୍ନୀ। ଘରେ ଦୁଇପୁଅ ଓ ୮୨ ବର୍ଷର ବୁଢା ବାପା। ସମୁଦାୟ ପରିବାର ରହୁଛନ୍ତି ବଖୁରିକିଆ ଭଙ୍ଗା,ଦଦରା ପାଲପକା ଘରେ। ରୋଷେଇ ଶାଳ ପାଲଟିଛି ଘର ପାଖ ରାସ୍ତାକଡ଼ର ଖୋଲା ଆକାଶ ତଳ। ଦୁର୍ଘଟଣାରେ ପ୍ରମୋଦ ଅଚଳ ହୋଇ ଘରେ ପଡ଼ିରହିବା ପରେ ପରିବାରର ବୋଝ ପଡିଛି ଦୁଇ ପୁଅଙ୍କ ଉପରେ। ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ବଡପୁଅ ରୁଦ୍ର ଓ ଷଷ୍ଠ ଶ୍ରେଣୀର ୧୨ ବର୍ଷିୟ ସାନପୁଅ ରିଷିକାନ୍ତଙ୍କ କାନ୍ଧରେ ପଡିଛି କୁଟୁମ୍ବର ବୋଝ। ରୁଦ୍ର ଗାଁକୁ ଗାଁ ବୁଲି ପରିବା ବିକି ରୋଷେଇ ଭାର ସମ୍ଭାଳୁଥିବା ବେଳେ ସାନଭାଇ ରିଷିକାନ୍ତ ଆଳି, ପଟ୍ଟାମୁଣ୍ଡାଇର ହାଟ, ବଜାରରେ ପରିବା ବେପାର କରୁଛି। ବେଳେବେଳେ ସାଥୀ ହୋଇ ପରିବା ବିକୁଛନ୍ତି ହାଟ,ବଜାରରେ। ଯେଉଁ ବୟସରେ ପାଠପଢା,ସାଙ୍ଗସାଥୀ,ଖେଳମଉଜରେ ଦିନ ବିତିବା କଥା ସେଇ ବୟସରେ କୁଟୁମ୍ବ ଜଞ୍ଜାଳରେ ପେଷି ହୋଇ ଯାଉଛନ୍ତି ଦୁଇଭାଇ।

publive-image

ଏମିତି ସମୟରେ ଆହୁରି କିଲିବିଲି କରୁଛି କରୋନା ମହାମାରୀ। କେତେବେଳେ ଲକଡାଉନ ତ କେତେବେଳେ ସଟଡାଉନ। ପୁଣି କେତେବେଳେ ବଜାର,ହାଟରେ ପୁଲିସ କଟକଣା। ଏଥି ଯୋଗୁଁ ଅନେକ ସମୟରେ ପଚିନଷ୍ଟ ହେଉଛି ପନିପରିବା। ସହିବାକୁ ପଡ଼ୁଛି ଆର୍ଥିକ କ୍ଷତି। ସଂସାର ଜଞ୍ଜାଳର ବୋଝରେ ଦୁଇଭାଇ ପେଷି ହୋଇପଡୁଥିବା ବେଳେ ପରିବାରର ଦୁଃଖ ଦେଖି ଆଖିରୁ ଲୁହ ନିଗାଡୁଛନ୍ତି ପ୍ରମୋଦ ଓ ବୁଢାବାପା ଭଗବାନ।

"ସରକାର,ସ୍ବେଚ୍ଛାସେବୀ ସଂଗଠନ,ବଦାନ୍ୟ ବ୍ୟକ୍ତି କେହି ଯଦି ଚିକିତ୍ସା ପାଇଁ ସହାୟତାର ହାତ ବଢାନ୍ତେ ତେବେ ମୁଁ ସୁସ୍ଥ ହୋଇ ପୁଣି ବେପାର,ବଣିଜ କରି ପରିବାର ଚଳାଇ ପାରନ୍ତି। ମା'ଛେଉଣ୍ଡ ଛୁଆ ଦୁଇଟି ପାଠ ପଢି ପାରନ୍ତେ" ବୋଲି କାନ୍ଦିକାନ୍ଦି କହିଛନ୍ତି ପ୍ରମୋଦ। ଦୁଃଖ ଯନ୍ତ୍ରଣାରେ ପେଷି ହୋଇ ପଡ଼ୁଥିବା ପ୍ରମୋଦ,ନିରାଶା ଭିତରେ ଭବିଷ୍ୟତର ଆଶାବାଡ଼ି ଖୋଜୁଥିବା ରୁଦ୍ର ଓ ରିଷିକାନ୍ତଙ୍କର ଭରସା ଅଛି ନିଶ୍ଚୟ କେହି ବଦାନ୍ୟ ବ୍ୟକ୍ତି ଆଗେଇ ଆସିବେ, ଚିକିତ୍ସା ପାଇଁ ସହାୟତାର ହାତ ବଢାଇବେ,ପୁଣି ହସି ଉଠିବ ତାଙ୍କର ପରିବାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe