ଲଘୁଚାପଜନିତ ବର୍ଷା ଓ ବନ୍ୟାରେ ଉଜୁଡ଼ିଲା ପରିବାଚାଷ, ଚିନ୍ତାରେ ଚାଷୀ

Advertisment
ଲଘୁଚାପଜନିତ ବର୍ଷା ଓ ବନ୍ୟାରେ ଉଜୁଡ଼ିଲା ପରିବାଚାଷ, ଚିନ୍ତାରେ ଚାଷୀ

ଛତିଆ : ଲଘୁଚାପଜନିତ ବର୍ଷା ଓ ପରେପରେ ନଦୀରେ ବନ୍ୟାଜଳ ଆସିବାରୁ ପରିବା ଚାଷୀଙ୍କର ଫସଲ ଉଜୁଡ଼ି ଯାଇଛି। ୧୦ ଦିନଦରି ଲଗାଣ ବର୍ଷା ତା’ପରେ ବନ୍ୟାପାଣି ମାଡ଼ି ବଡ଼ଚଣା ବ୍ଲକର ଚମ୍ପାପୁର, ନେଳିଆ ଓ ବଡ଼ଘୁମୁରି ପଞ୍ଚାୟତର ବହୁ ଚାଷୀଙ୍କ ଜମିରେ ହୋଇଥିବା ପରିବାଚାଷ ନଷ୍ଟ ହୋଇଯାଇଛି। ଚାଷୀମାନେ ଧାରକରଜ କରି ଟଙ୍କା ଆଣି ଏହି ଚାଷରେ ଲଗାଇଥିଲେ। ଅମଳ ସମୟରେ ପାଣି ପଶିଯିବାରୁ ସବୁ ପଚିଗଲା। ଋଣ ଶୁଝିବା ତ ଦୂରର କଥା ମୂଳ ବି ଚାଲିଯାଇଛି।

ଚମ୍ପାପୁର ପଞ୍ଚାୟତର ସାନବନ୍ଦାଳୋ, ସାବୋ, ନହରା, ଗୋପୀନାଥପୁର, ନେଳିଆ ପଞ୍ଚାୟତର ରଂଗିଦାସପୁର, ରାମପୁର, ସୁକୁଦେଇପୁର, ଗୋପପୁର, ପଦ୍ମନାଭପୁର ଓ ବଡ଼ଘୁମୁରି ପଞ୍ଚାୟତର ସକୁନ୍ତଳାପୁର, ଅହମଦପୁର, ନୂଆଗାଁ ଆଦି ଗ୍ରାମର ବହୁ ଚାଷୀଙ୍କ ଜମିରେ ପରିବା ନଷ୍ଟ ହୋଇଯାଇଛି। ଜମିରେ ବାଇଗଣ, ଜହ୍ନି, ଭେଣ୍ତି, କଲରା, କଖାରୁ, ଝୁଡ଼ଙ୍ଗ, ଶାଗ ଆଦି ବ୍ୟାପକ ଆକାରରେ ଚାଷ ହୋଇଥିଲା। ଗତକାଲିଠାରୁ ନଦୀ ପାଣି ବଢ଼ିବାରୁ ବିଲରେ ପାଣି ପଶିଥିଲା। ଫଳରେ ଗଛଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଦୁଇମାସ ତଳେ ଏହିପରି ଲଘୁଚାପ ବର୍ଷାରେ ଚାଷୀଙ୍କ ପରିବା ଫସଲ ନଷ୍ଟ ହୋଇଯାଇଥିଲା। ଏହାପରେ ଚାଷୀମାନେ ଜମିରେ ପୁଣିଥରେ ଚାଷ କରିଥିଲେ। କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ରାମଚନ୍ଦ୍ର ସ୍ବାଇଁ, ଅରୁଣ ଜଟ, ସୁବାସ ରଣା, ଅଶୋକ ଜଟ, ସୋମନାଥ ପ୍ରଧାନ, ହରିହର ବେହେରା, ରବୀନ୍ଦ୍ର ସାମଲ, ଶ୍ରୀଧର ପ୍ରଧାନ, ନିର୍ମଳ ପତିଆରି, ସଚ୍ଚିଦାନନ୍ଦ ପରିଡ଼ା, ପ୍ରଭାକର ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ଗୋପୀନାଥ ରାଉତ, କ୍ଷୀରୋଦ ମହାନ୍ତି, ନଟବର ମହାନ୍ତି, ଉମାକାନ୍ତ ମହାନ୍ତି, କୈଳାସ ପ୍ରଧାନ ଓ ନିରଂଜନ ପରିଡ଼ା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe