ବରଗଡ଼ ଜିଲ୍ଲାରେ କମୁଛି ପରିବା ଉତ୍ପାଦନ : ଆଳୁ, ପିଆଜ ଚାଷ ହ୍ରାସ

ବରଗଡ଼ ଜିଲ୍ଲାରେ କମୁଛି ପରିବା ଉତ୍ପାଦନ : ଆଳୁ, ପିଆଜ ଚାଷ ହ୍ରାସ

Homegardennet.com

ବରଗଡ଼ : କ୍ରମାଗତ ମରୁଡ଼ି ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି। ବାରମ୍ବାର ବର୍ଷାଭାବ ଜିଲ୍ଲାର ଚାଷୀଙ୍କ ମେରୁଦଣ୍ତ ଭା˚ଗି ଦେଇଛି। କେବଳ ବର୍ଷା ନୁହେଁ, ରୋଗପୋକ ଆହୁରି ଦାଉ ସାଧୁଛି। ପାଣିପାଗରେ ଅସ୍ବାଭାବିକ ପରିବର୍ତନ ଯୋଗୁଁ ତିନି ବର୍ଷ ହେଲା ଚକଡ଼ା ପୋକ ମାଡ଼ି ଯାଉଛି। ଅଦିିନିଆ ଝଡ଼ତୋଫାନ ଏବଂ କରକାମାଡ଼ ‌ଯୋଗୁଁ ଫଳନ୍ତି ଚାଷଜମି ଉଜୁଡ଼ି ସାରିଛି। ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବିକଳ୍ପ ଚାଷ ଉପରେ ସର୍ବଦା ଗୁରୁତ୍ବାରୋପ କରାଯାଉଛି। କିନ୍ତୁ ପରିବା ଚା‌ଷରେ ମଧ୍ୟ ଚାଷୀକୁ ଉଚିତ ପାଉଣା ମିଳୁନାହିଁ। ବଜାର ବ୍ୟବସ୍ଥା ଏବ˚ ଶୀତଳ ଭଣ୍ତାର ଅଭାବରୁ ଚାଷୀ ଦଲାଲଙ୍କ ହାତରେ ପଡ଼ି ଲୁଣ୍ଠିତ ହେଉଛନ୍ତି। ଫଳରେ ଚାଷୀମାନେ ପରିବା ଚାଷରୁ ବିରତ ହେବାକୁ ଲାଗିଛି। ଯଦ୍ବାରା ପରିବା ଉତ୍ପାଦନ ଜିଲ୍ଲାରେ ହ୍ରାସ ପାଉଛି।

ପରିସଂଖାନ ମଧ୍ୟ ଏକଥା ସ୍ପଷ୍ଟ କରୁଛି। ୨୦୧୮-୧୯ ରବି ଋତୁରେ ଜିଲ୍ଲାରେ ୧୨୬୫ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିଲା। ୧୩୦୯୨.୮ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହୋଇଥିଲା। ଯାହା ପରବର୍ତୀ ବର୍ଷ ଖସି ୧୨୮୬୫ ମେଟ୍ରିକ୍‌ ଟନ୍‌ରେ ପହଂଚିଥିଲା। ଏଥର ୧୨୧୧ ହେକ୍ଟରରେ ଆଳୁ ଚାଷ କରି ୧୨୬୩୧ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ଲକ୍ଷ୍ୟ ରହିଛି। ସ୍ଥାନୀୟ ବଜାରରେ ଜିଲ୍ଲାରେ ଚାଷ ହେଉଥିବା ଆଳୁ ନିଅଣ୍ଟ ପଡ଼ୁଛି। ଫଳରେ ବାହାର ରାଜ୍ୟରୁ ଆଳୁ ଆସିଲେ ଚାହିଦା ମେଣ୍ଟୁଛି। ସେହିପରି ଗତବର୍ଷ ୩୧୧୫ ହେକ୍ଟର ଜମିରେ ପିଆଜ ଚାଷ କରାଯାଇଥିଲା। ଯେଉଁଥିରୁ ୩୨,୦୮୫ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହୋଇଥିଲା। କିନ୍ତୁ ଏତକ ପିଆଜ ସ୍ଥାନୀୟ ବଜାରର ଚାହିଦା ପୂରଣ କରୁନଥିବାରୁ ନାସିକ୍‌ ପିଆଜ ଉପରେ ଭରସା ରହିଛି। ଆସନ୍ତା ରବି ଋତୁରେ ୩୧୦୫ ହେକ୍ଟରରେ ପିଆଜ ଚାଷ କରି ୩୧,୯୮୨ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ଲକ୍ଷ୍ୟ ରହିଛି। ତେଣୁ ଆସନ୍ତା ଋତୁରେ ପିଆଜ ପୁଣି ଅଭାବ ରହିବା ଆଶଂକା ରହିଛି।

publive-image geneticliteracyproject.org

୨୦୧୯-୨୦ ଖରିଫ୍‌ରେ ଜିଲ୍ଲାରେ ଅନ୍ୟ କିସମର ପରିବା ୨୮,୦୩୭ ହେକ୍ଟରରେ ଚାଷ ହୋଇ ୪,୧୨,୧୪୪ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହୋଇଥିଲା। ଆଗକୁ ରବି ଋତୁରେ ମାତ୍ର ୨୪,୨୩୪ ହେକ୍ଟରରେ ପରିବା ଚାଷ କରି ୩୫,୮୬୬୩ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ଲକ୍ଷ୍ୟ ରହିଛି। ତେଣୁ ଆସନ୍ତା ରବି ଋତୁରେ ପନିପରିବା ଦର ଅଧିକ ରହିବ ବୋଲି ବେପାରୀମାନେ ଆକଳନ କଲେଣି। ବରଗଡ଼ ଭଳି କୃଷିଭିତ୍ତିକ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ତାର ଟିଏ ଖୋଲି ନପାରିବା ଚାଷୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ତେଣୁ ନିଜ କଷ୍ଟୋପାର୍ଜିତ ପରିବାକୁ ଚାଷୀ ଅଭାବୀ ବିକ୍ରି ଆଶ˚କା କରି ଅତି ଶସ୍ତା ଦରରେ ଦଲାଲମାନଙ୍କୁ ଟେକି ଦେଉଛନ୍ତି। ଚାଷୀ ପରିବା ଆଣି ନିଜେ ବଜାରରେ ବିକ୍ରି କରିବା ମଧୢ ସମ୍ଭବ ହେଉନାହିଁ। ବିଲରୁ ପରିବା ବାହାରିଲେ ଦଲାଲ ସେଗୁଡ଼ିକୁ ହାତେଇ ନେଉଛନ୍ତି। ତେଣୁ ଏଭଳି ଝାମେଲା ଭିତରେ ଅତିଷ୍ଟ ହୋଇ ଚାଷୀମାନେ ପରିବା ଚାଷରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe