All About City
ଭୁବନେଶ୍ୱର : ଅଣ୍ଡା, ମତ୍ସ୍ୟ ଓ ଗୋଦୁଗ୍ଧ ଉତ୍ପାଦନରେ କିଛିଟା ଅଗ୍ରଗତି ହୋଇଛି। ମାତ୍ର ପରିବା ଚାଷରେ ଆମ ରାଜ୍ୟ କିଛି ପଛକୁ ପେଲି ହୋଇଯାଇଛି ବୋଲି କୁହାଯାଇପାରେ। କାରଣ ରାଜଧାନୀକୁ ଆସୁଥିବା ପରିବା ମଧ୍ୟରେ ଶତକଡ଼ା ୬୦ ଭାଗରୁ ବେଶି ବାହାର ରାଜ୍ୟର ଉତ୍ପାଦନ। ବର୍ଷ ତମାମ୍ ରାଜଧାନୀକୁ ବାହାର ରାଜ୍ୟରୁ ପରିବା ଆସୁଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଏମିତି ୫ଟି ରାଜ୍ୟରୁ ପରିବା ଆମଦାନୀ ହେଉଛି। ଆଳୁ, ପିଆଜ ସହିତ ପୋଟଳ, କୋବି, କାଙ୍କଡ଼, ଟମାଟ, ବାଇଗଣ, ବିଟ୍, ଗାଜର, ଅମୃତଭଣ୍ଡା, ବିନ୍ସ ଓ ସଜନ ଛୁଇଁ, କଖାରୁ, ସିମଳା ଲଙ୍କା ଆଦି ବହୁ ପରିବା ପାଇଁ ଆମକୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଛି। ଝୁଡ଼ଙ୍ଗ, ଭେଣ୍ଡି, ବାଇଗଣ, କାକୁଡ଼ି ଜହ୍ନି ଓ ଛଚିନ୍ଦ୍ରା ଭଳି କିଛି ସ୍ଥାନୀୟ ଉତ୍ପାଦନ ପରିବା ରାଜଧାନୀ ବଜାରକୁ ଆସୁଛି, ମାତ୍ର ତାହା ବର୍ଷର ସବୁ ସମୟରେ ନୁହେଁ। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆଳୁ ଓ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶରୁ ପିଆଜ ଆସେ।। ପଶ୍ଚିମବଙ୍ଗରୁ ମଧ୍ୟ କଖାରୁ, କାଙ୍କଡ଼, ପୋଟଳ, ବିନ୍ସ ଓ ଅମୃତଭଣ୍ଡା ଆଦି ଆମଦାନୀ ହେଉଛି। ବର୍ଷସାରା ରାଜଧାନୀ ବଜାରରେ ଦେଶୀ ପୋଟଳ ମିଳେ ନାହିଁ। କିନ୍ତୁ କଲକତି ପୋଟଳ, କାଙ୍କଡ଼ ଓ କଖାରୁ ମିଳେ। ବେଙ୍ଗାଲୁର୍ ଓ ଆନ୍ଧ୍ରପେଦେଶରୁ ଟମାଟ ବିନ୍ସ, ବିଟ୍, ଗାଜର, ବର୍ଷ ସାରା ଆସୁଛି। ରାଞ୍ଚିରୁ ଫୁଲକୋବି, ବନ୍ଧା କୋବି, ସିମଳା ଲଙ୍କା, ବିଟ୍, ଗାଜର ଆଦି ବର୍ଷ ତମାମ୍ ଆସୁଛି। ଆନ୍ଧ୍ରପ୍ରଦେଶରୁ ଟମାଟ୍, ବନ୍ଧା କୋବି, ବିନ୍ସ, ବିଟ୍ ଗାଜର ସହ ସଜନା ଛୁଇଁ ଆସୁଛି। ମୋଟ୍ ଉପରେ କହିଲେ, ରାଜଧାନୀ ବଜାରରେ ବିକ୍ରି ହେଉଥିବା ପ୍ରାୟ ସବୁ ପରିବା ବାହାର ରାଜ୍ୟରୁ ଆସୁଛି।
ତେବେ ସ୍ଥାନୀୟ ପରିବା ମଧ୍ୟରେ ବାଇଗଣ, ଝୁଡ଼ଙ୍ଗ, କାକୁଡ଼ି, କଲରା, ଜହ୍ନି ଆଦି ସ୍ଥାନୀୟ ଚାଷୀମାନଙ୍କ ଦ୍ବାରା ରାଜଧାନୀକୁ ଆସିଥାଏ। କନ୍ଧମାଳ, କଟକ ଆଠଗଡ଼, ବାଙ୍କୀ, ଦଶପଲ୍ଲା, କଣାସ, ବ୍ରହ୍ମଗିରି, ବାରଙ୍ଗ, ପିପିଲି, ବଳଙ୍ଗା ଆଦି ଅଞ୍ଚଳରୁ ରାଜଧାନୀକୁ ପରିବା ଆସିଥାଏ।
ତେବେ ବ୍ୟବସାୟୀମାନଙ୍କ କହିବା କଥା ଗତ କିଛି ଦଶନ୍ଧି ହେଲା, ସ୍ଥାନୀୟ ପରିବା ବହୁ ପରିମାଣରେ ହ୍ରାସ ପାଇଛି। ଯାହା ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି।
Follow Us