ରାତିଅଧିଆ ପୁଲିସ ବାରାକ୍‌ରେ ପହଞ୍ଚିଲା ସମୁଦ୍ରର ଚୋରା ବାଲିରେ ଫସିଥିବା ଗାଡ଼ି

ଅନ୍ତ ହେଲା ୫୫ ଘଣ୍ଟାର ଅପ‌ରେସନ୍‌, ନମ୍ବର ପ୍ଲେଟ୍‌ରୁ ନମ୍ବର ଲିଭାଯିବା ନେଇ ସନ୍ଦେହ ବଢ଼ିଲା

ରାତିଅଧିଆ ପୁଲିସ ବାରାକ୍‌ରେ ପହଞ୍ଚିଲା ସମୁଦ୍ରର ଚୋରା ବାଲିରେ ଫସିଥିବା ଗାଡ଼ି

ବାଲେଶ୍ବର : ପାଖାପାଖି ୫୫ ଘଣ୍ଟାର ଅପରେସନ୍‌ ପରେ ସମୁଦ୍ରର ଚୋରା ବାଲିରେ ଫସିଥିବା ଜିଲ୍ଲା ପୁଲିସ ଗାଡ଼ି ଉଦ୍ଧାର କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଓଡ୍ରାଫ୍‌ ଦଳ ଗାଡ଼ିଟିକୁ ଟ୍ରଲର୍ ଟଣା ମେସିନ୍ ସାହାଯ୍ୟରେ ଉପରକୁ ଉଠାଇ ପୁଲିସ ବାରାକ୍‌କୁ ଆଣିଥିଲେ। ବାରାକ୍‌ରେ ଗାଡ଼ିର ଆଗ ଓ ପଛପଟେ ଲାଗିଥିବା ନମ୍ବର ପ୍ଲେଟ୍‌ରୁ ନମ୍ବର ଲିଭାଇ ରଖାଯିବା ଘଟଣାକୁ ସନ୍ଦେହଘେରକୁ ଟାଣିଛି।

ଗତ ବୁଧବାର ସନ୍ଧ୍ୟା ସମୟରେ ଚାନ୍ଦିପୁରସ୍ଥିତ ଡିଆରଡିଓର ନିଷିଦ୍ଧାଞ୍ଚଳ ତଥା ସମୁଦ୍ର ଭିତରକୁ ଯାଇ ଡ୍ରାଇଭିଂ ବେଳେ ଜିଲ୍ଲା ପୁଲିସର ଏହି ନୂଆ ବୋଲେରୋ ଗାଡ଼ିଟି କାଦୁଅ ମିଶା ବାଲିରେ ଫସିରହିଥିଲା। ଗତକାଲି ରାତି ପର୍ଯ୍ୟନ୍ତ ଗାଡ଼ିଟି ସେମିତି ସେଠାରେ ଫସି ରହିବା ସହ ଲୁଣି ଜୁଆ‌ରରେ ବୁଡ଼ିଥିଲା। ଏହି ଗାଡ଼ିଟିକୁ ବାଲେଶ୍ବର ଏସ୍‌ପି ସେଠାକୁ ନେଇ ଡ୍ରାଇଭିଂ ଅଭ୍ୟାସ କରୁଥିବା ବେଳେ ଏପରି ହୋଇଥିବା ଯେତେବେଳେ ଅଭିଯୋଗ ଆସିଥିଲା ସେନେଇ ଏସ୍‌ପି କିମ୍ବା ଜିଲ୍ଲା ପୁଲିସର ଅନ୍ୟକୌଣସି ଅଧିକାରୀ ପ୍ରତିକ୍ରିୟା ନରଖିବା ଯୋଗୁଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଗତକାଲି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ନିଜେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଧରି ଘଟଣା ସ୍ଥଳକୁ ଯାଇ ଗାଡ଼ିଟିକୁ ଯୁଦ୍ଧକାଳୀନ ଭିତ୍ତିରେ ସେଠାରୁ ଉଦ୍ଧାର କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଗାଡ଼ିଟି ଆଜି ପୁଲିସ ବାରାକ୍‌ ପରିସରରେ ତାକୁ ଧୁଆହୋଇ ରଖାଯାଇଥିବା ବେଳେ ସେଥିରେ ଥିବା ନମ୍ବର ପ୍ଲେଟ୍‌ରୁ ନମ୍ବର ଲିଭାଯାଇଥିବା ଦେଖାଯାଇଥିଲା। ତା ପଛକୁ ଥିବା ସମାନ ଧରଣର ଆଉ ଏକ ବୋଲେରୋ ପିକ୍‌ଅପ (ଓଡି-୦୫ବିଏ-୪୫୬୫) ସେଠାରେ ରଖାଯାଇଥିଲା।

ତେବେ ଏହି ଘଟଣା ପଛରେ ଲୁଚି ରହିଥିବା ସତକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା ଚାଲିଥିବା ଅଭିଯୋଗ ହେଉଛି। ବାଲେଶ୍ବର ପୁଲିସ ବିଭା‌ଗର ବ୍ୟବହାର ପାଇଁ ଗତ ଏପ୍ରିଲରେ ଦୁଇଟି ବୋଲେରୋ ( ନମ୍ବର ଓଡି-୦୫ବିଏ-୪୫୬୫ ଏବଂ ଓଡି-୦୫ବିଏ-୪୬୪୬) କିଣାଯାଇଥିଲା। ଚଳିତ ମାସ ପ୍ରଥମ ସପ୍ତାହରେ ଉକ୍ତ ଗାଡ଼ି ଦୁଇଟି ବାଲେଶ୍ବର ଜିଲ୍ଲାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe