ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚ‌ କଡ଼ାକଡ଼ି, ସିସିଟିଭି ଫୋକସ୍‌ରେ ରାଜ୍ୟ ବାହାର ଲୋକ

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚ‌ କଡ଼ାକଡ଼ି, ସିସିଟିଭି ଫୋକସ୍‌ରେ ରାଜ୍ୟ ବାହାର ଲୋକ

ନୂଆପଡ଼ା: ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚକୁ‌ କଡ଼ାକଡ଼ି କରାଯାଇଛି। ପୁଲିସ, ଅବକାରୀ ଓ ବନ ବିଭାଗ ମିଳିତ ଭାବେ ୨୪ ଘଣ୍ଟା ଯା‌ଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ନୂଆପଡ଼ା ଏସ୍‌ପି ଜି.ଆର୍‌. ରାଘବେନ୍ଦ୍ରଙ୍କ ନିର୍ଦେଶକ୍ରମେ ଜୋଙ୍କ ଥାନା ଖରିଆରରୋଡ଼-ଜୋଙ୍କ ନଦୀ ଏବଂ ସିନାପାଲି ଥାନା କୁସୁମଯୋ ଓ କେନ୍ଦୁମୁଣ୍ତା ଧିଙ୍ଗିଆମୁଣ୍ତା‌ ରାଜ୍ୟ ସୀମାନ୍ତରେ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ଜୋଙ୍କ ଆଇଆଇସି ଗୁରୁଦେବ କର୍ମୀଙ୍କ ନେତୃତ୍ବରେ ଜୋଙ୍କ ନଦୀତଟ ସୀମାନ୍ତରେ ଯାତ୍ରୀଙ୍କୁ ଅଟକାଇ ପଚରାଉଚୁରା କରାଯାଉଛି। ଏହି ଚେକ୍ ପଏଣ୍ଟରେ ଦୁଇଟି ସିସିଟିଭି କ୍ୟାମେରା ଲାଗିଛି। ଯାହାକି ରାଜ୍ୟ ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖିଛି। ଧରମବନ୍ଧା ଥାନା ପୁଲିସ ପକ୍ଷରୁ ଧରମବନ୍ଧା ଓ ଆମାନାରା, ବେଲଟୁକୁରୀ ଥାନା ଆମୋଦୀ, ନୂଆପଡ଼ା ଥାନା ସାଇପଲା ଓ ଲଖନା ଥାନା ବଣକିମହୁଲଠାରେ ଚେକିଂ ପଏଣ୍ଟ ଖୋଲାଯାଇଛି।

ସେହିପରି କୋମନା ଥାନା ସେମେଲପାଲି ଓ ଖଡ଼ିଆଳ ଥାନା ଅମଲାପାଲିଠାରେ ଏବଂ ହାତୀବନ୍ଧା ସୀମାନ୍ତରେ ଯାଞ୍ଚ‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିଦିନ ମାରାଥନ ବୈଠକ ଚାଲିଛି। ପୁଲିସ, ଅବକାରୀ, ରାଜସ୍ବ, ପଞ୍ଚାୟତିରାଜ, ଶିକ୍ଷା, ସ୍ବାସ୍ଥ୍ୟ, ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଉଛି। ଭୋଟ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସବୁ ବୁଥର ଭିତ୍ତିଭୂମି ତଦାରଖ କରାଯାଉଛି। ନୂଆପଡ଼ା ଏକ ମାଓପ୍ରବଣ ଜିଲ୍ଲା ହୋଇଥିବାରୁ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇ ଏଥିପାଇଁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର କୋମନା ବ୍ଲକର ସୁନାବେଡ଼ା, ସୋସେଙ୍ଗ, ମିଛାପାଲି, ବୋଡ଼େନ ବ୍ଲକର ଭଇଁଷାଦାନୀ, ସିନାପାଲି ବ୍ଲକର ନଙ୍ଗଳବୋଡ଼, ଘାଟମାଲ ଭଳି ମାଓ ପ୍ରବଣ ଅଞ୍ଚଳରେ ମତଦାନକୁ ସୁରୁଖୁରୁରେ ସମାପନ କରିବାକୁ ଆବଶ୍ୟକ ପ୍ରସ୍ତୁତି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe