ଚିକିତ୍ସାଳୟକୁ ‌କେମିତି ଯିବେ ରୋଗୀ? ପହଞ୍ଚୁନି ଗାଡି, ଚିକିତ୍ସା ପାଇଁ ଚାଲି ଯିବାକୁ ପଡୁଛି

Advertisment
ଚିକିତ୍ସାଳୟକୁ ‌କେମିତି ଯିବେ ରୋଗୀ? ପହଞ୍ଚୁନି ଗାଡି, ଚିକିତ୍ସା ପାଇଁ ଚାଲି ଯିବାକୁ ପଡୁଛି

ଜୟପୁର (ଜ୍ଞାନଚାନ୍ଦ୍ ଜଗନ୍ନାଥ): ଯିବାକୁ ରାସ୍ତାଟିଏ ନାହିଁ। ମଇଳା ପାଣି ଓ କାଦୁଅ ଭର୍ତ୍ତି ହୋଇଛି। ଗାଡିତ ଦୂରର କଥା ଚାଲି ଯିବାକୁ ମଧ୍ୟ ସୁବିଧା ନାହିଁ। ଚାଲି ଗଲେ ବି ପାଦ ଖସି ଯାଉଛି। କାଦୁଅ ମାଟିରୁ ଗୋଟିଏ ପାଦ ଆଗକୁ ପକାଇବାକୁ ମଧ୍ୟ ଭୟ ଲାଗୁଛି। ଏଭଳି ରାସ୍ତାରେ ଦେଇ ‌ରୋଗୀକୁ ଚିକିତ୍ସାଳୟକୁ ଯିବାକୁ ପଡୁଛି। ଏହା କେଉଁ ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ। କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଅନ୍ତର୍ଗତ ଏଲ୍‌ଆର ଠାରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର)ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ କରୁଥିବା ବେଳେ ଚିକିତ୍ସାଳୟକୁ ଯିବା ପାଇଁ ରାସ୍ତାଟିଏ ନଥିବାରୁ ଲୋକେ କେମିତି ସ୍ବାସ୍ଥ୍ୟ ସେବା ପାଉଛନ୍ତି ତାହା ସ୍ପଷ୍ଟ ବାରି ହେଉଛି। ୪ ବର୍ଷ‌ ହୋଇଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନିର୍ମାଣ ହୋଇପାରୁ ନାହିଁ।

ସହରାଞ୍ଚଳ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୨୦୧୬ ମସିହାରୁ ପୁରୁଣାଗଡ ଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆରମ୍ଭ ହୋଇଥିଲା। ଏହାପରେ କୁମ୍ଭାର ସାହିରେ ଏକ ଭଡା ଘରେ ଚିକିତ୍ସାଳୟ ଚାଲିଥିଲା। ୨୦୧୭ ମସିହାରେ ଏଲଆର ମୌଜା ଠାରେ ୫୫ ଲକ୍ଷ ୭୮ ହଜାରରେ ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ ହେବା ପରଠାରୁ ସେଠାରେ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇଥିଲା। ଏହି ଚିକିତ୍ସାଳୟରେ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ଜଣେ ଡାକ୍ତର, ଫାର୍ମାସିଷ୍ଟ, ଲ୍ୟାବ ଟ୍ୟାକ୍ନିନିଆନ୍, ଆକାଉଣ୍ଟାଣ୍ଟ, ୨ ଜଣ ଷ୍ଟାଫନର୍ସ ଓ ୨ ଜଣ ସହାୟିକା ନିୟୋଜିତ ରହିଛନ୍ତି। ଏବେ ସରକାର ତରଫରୁ ପୁଣି ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଚିକିତ୍ସାଳୟରେ ସାଧାରଣ ସ୍ବାସ୍ଥ୍ୟସେବା, ‌ରୋଗ ନିର୍ଦ୍ଧାରକ ସାଧାରଣ ପରୀକ୍ଷା, ପ୍ରସବ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସେବା ଓ ପରୀକ୍ଷା, ଟୀକାକରଣ ବ୍ୟବସ୍ଥା, ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ସମ୍ବନ୍ଧୀୟ ସାଧାରଣ ସ୍ବାସ୍ଥ୍ୟସେବା, ନିର୍ଦ୍ଧାରିତ ରୋଗ ପାଇଁ ମାଗଣା ଔଷଧ ବ୍ୟବସ୍ଥା ଓ ପୃଷ୍ଟି ସାଧାନ ସମ୍ବନ୍ଧୀୟ ପରାମର୍ଶ ଯୋଗାଇ ଦିଆଯାଉଛି। ଏଠାରେ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ରୋଗୀକୁ ସେବା ଯୋଗଇ ଦିଆଯାଉଛି।

publive-image

ଏଥିସହ କରୋନା ମାହମାରୀରୁ ପ୍ରତିହତ ପାଇଁ ଟୀକାକରଣ ପାଇଁ ମଧ୍ୟ ଏହି ଚିକିତ୍ସାଳୟକୁ ଚୟନ କରାଯାଇଛି। ଯାହାଫଳରେ ଲୋକେ ଟିକା ପାଇଁ ସେହି ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଥିଲେ। ଗାଡିକୁ କୁମ୍ଭାର ସାହି ଛକ ଠାରେ ରଖି ଚିକିତ୍ସାଳୟ ପର୍ଯ୍ୟନ୍ତ ଚାଲିଚାଲି ଯାଉଥିଲେ। ସେହି ସମୟରେ କିଏ କାଦୁଅରେ ଖସି ତଳେ ପଡୁଥିଲା ତ ଆଉ କିଏ କାଦୁଅରେ ପଶି ଟିକାପାଇଁ ଯାଉଥ‌ିଲେ। ବର୍ଷା ହେଲେ ସ୍ଥିତି ଆହୁରି ଭୟଙ୍କର ହୋଇପଡୁଛି, ମଇଳା ପାଣି ଜମି ରହୁଛି। ଚିକିତ୍ସାଳୟ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ରାସ୍ତା ନଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ତ୍ତବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ଚିକିତ୍ସାଳୟ ନିର୍ମାଣ ସମୟ‌ରେ ରାସ୍ତା ନିର୍ମାଣ ପାଇଁ ଜାଗା ମାଗିଥିଲେ। କିନ୍ତୁ ଚିକିତ୍ସାଳୟ ସ୍ଥାନଟି ସରକାରୀ ଜାଗା ରହିଥିବା ବେଳେ ସେଠାକୁ ଯିବା ରାସ୍ତାରେ କିଛି ବ୍ୟକ୍ତିଗତ ଜମି ରହିଛି। ଯାହା ଫଳରେ ଚିକିତ୍ସାଳୟ ଆରମ୍ଭ ହୋଇଗଲା କିନ୍ତୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଏଣୁ ଲୋକ‌େ ସେହି ମାଟି ଓ କାଦୁଅ ରାସ୍ତା ଦେଇ ଯାତାୟତ କରୁଥିବା ନେଇ କହିଛନ୍ତି। ଏନେଇ ପୌରପାଳିକାକୁ ଅବଗତ କରାଯାଇଥିବା ବ‌େଳେ ସେମାନେ ରାସ୍ତା ତିଆରି କରିବା ନେଇ ସୂଚନା ମିଳିଛି। କିନ୍ତୁ ଚିକିତ୍ସାଳୟକୁ କେବେ ଉତ୍ତମ ରାସ୍ତା ନିର୍ମାଣ ହେବ ଓ ରୋଗୀ ସୁବିଧାରେ ପହଞ୍ଚିବେ‌ ନେଇ ଲୋକେ ଚାହଁ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe