ଥାନା ଭିତରକୁ ଧସେଇ ପଶିଲା ଗାଡ଼ି : ଫ୍ଲାଗ୍ ପୋଷ୍ଟ ଭାଙ୍ଗିଲା, କାରଣ ଅସ୍ପଷ୍ଟ

Advertisment
ଥାନା ଭିତରକୁ ଧସେଇ ପଶିଲା ଗାଡ଼ି : ଫ୍ଲାଗ୍ ପୋଷ୍ଟ ଭାଙ୍ଗିଲା, କାରଣ ଅସ୍ପଷ୍ଟ

ଜୟପୁର : ଆଜି ଅପରାହ୍ନରେ ଏକ ଟାଭେରା ଗାଡି ଅତର୍କିତ ଭାବେ ଜୟପୁର ଟାଉନ୍ ଥାନା ଭିତରକୁ ଧସେଇ ପଶିଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। କିଏ ଓ କାହିଁକି ଏଭଳି ଥାନା ଭିତରକୁ ଧସେଇ ପଶିଛି ସେଥିନେଇ ପୁଲିସ କୌଣସି ସ୍ପଷ୍ଟ ଉତ୍ତର ଦେଉନଥିବା ବେଳେ ଗଂଜେଇ କାରବାରକୁ ନେଇ ହୋଇଥାଇପାରେ ବୋଲି ପ୍ରାଥମିକ ଆକଳନ କରାଯାଇଛି। ନକ୍ସଲ ଅଧ୍ୟୁ‌ଷିତ କୋରପୁଟ ଜିଲ୍ଲାରେ ଏଭଳି ଏକ ଗାଡି ଥାନା ଭିତରକୁ ଧସେଇ ପଶିବା ଘଟଣା ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଥାଉକି ପୂର୍ବରୁ କୋରାପୁଟ ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣ ବେଳେ ଜିଲ୍ଲାର ସମସ୍ତ ଥାନା ଗୁଡିକ ସତର୍କତା ସ୍ବରୂପ ମୁଖ୍ୟ ଫାଟକ ବନ୍ଦ କରି ରଖିବା ସହ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଆଜି ବି ଜିଲ୍ଲାର ମାଓପ୍ରବଣ ଇଲାକାର ଥାନା ଗୁଡିକରେ ଫାଟକ ବନ୍ଦ ରହିବା ସହ ସଶସ୍ତ୍ର ପୁଲିସ ମୁତୟନ ହୋଇଛି। ଅପରାହ୍ନରେ ଟାଭେରା( ଓଆର ୦୨ପି ୭୨୨୪)ଟି ଦ୍ରୁତ ଗତିରେ ଆସି ଥାନା ପରିସରରେ ଥିବା ଫ୍ଲାଗ୍ ପୋଷ୍ଟକୁ ଧକ୍କା ଦେବା ଫଳରେ ଏହାର କିଛି ଅଂଶ ଭାଂଗି ଯାଇଥିବା ଦେଖାଦେଇଛି। ଡ୍ରାଇଭର ଜଣକ ଅନୁଗୁଳ ଅଂଚଳର ହୋଇଥିବା ବେଳେ ସେଥିରେ ଥିବା ଦୁଇ ଯୁବକ ଖୋର୍ଦ୍ଧା ଅଂଚଳର ବୋଲି ଥାନା ଅଧିକାରୀ ବାଲେଶ୍ବର ଗିଧି ସୂଚନା ଦେଇଛନ୍ତି । ଭଡ଼ାରେ ଗାଡିଟି ଆସିଥିବା ବେଳେ ଡ୍ରାଇଭର ଜଣକ କିଛି ଆଶଙ୍କା କରି ଥାନା ଭିତରକୁ ଆସିଯାଇଥିବା କହୁଛନ୍ତି। ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଦୁଇ ପାର୍ଟି ମଧ୍ୟରେ କିଛି ଡିଲକୁ ନେଇ ଟଙ୍କା କାରବାର ହେବାର ଥିଲା। ଟଙ୍କା ନେବା ପାଇଁ ସେମାନେ ଜୟପୁର ଆସିଥିଲେ। କିଛି ଆଶଙ୍କା କରି ଡ୍ରାଇଭର ଜଣକ ଥାନାକୁ ଧସେଇ ପଶିଥିବା କହିଛନ୍ତି। ତେବେ ସେମାନେ କେଉଁ କାରବାରକୁ ‌େନଇ ଆସିଥିଲେ ଏବଂ କିଏ କାହିଁକି ଟଙ୍କା ଦେବାର ଥିଲା ସେଥିନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe