Medical Air Service
ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାକୁ ନିର୍ଦେଶ
ସତର୍କ ରହି କାମ କରିବାକୁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଆଲୋଚନା ବେଳେ ବିଜୁ ବାବୁଙ୍କୁ ମନେ ପକାଇଲେ ନବୀନ
ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଜିଲ୍ଲାର ପ୍ରତି ବ୍ଲକ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଲେଖାଏ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଦିଆଯିବ। କେନ୍ଦ୍ରାପଡା ପ୍ରତି ସେ ସବୁବେଳେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି। ଏଥିସହିତ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରାସନ୍ କାର୍ଡ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ ଓ ସରପଞ୍ଚଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା େହାଇଥିଲେ। ମୁଖ୍ୟତଃ କରୋନା ସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ସରପଞ୍ଚମାନେ ଯେଭଳି ସେବା କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଜୁ ବାବୁଙ୍କ କଥା ମନେ ପକାଇ କହିଥିଲେ ଯେ ଯଦି ବିଜୁବାବୁ ଆଜି ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ। ସେମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ। ତେବେ କରୋନା ବିରୋଧରେ ଚାଲିଥିବା ଏହି ଲମ୍ବା ଲଢେଇରେ ଆଗକୁ ସତର୍କ ରହି କାମ କରିବାପାଇଁ ସେ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ।
କେନ୍ଦ୍ରାପଡା ଜିଲ୍ଲାକୁ ୫୫ହଜାର ଲୋକ ଫେରିଥିଲେ ହେଁ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭% ରହିଛି। ସେହିଭଳି ମୃତ୍ୟୁ ହାର ୦.୩୩% ରହିଛି, ଯାହା କି ସାରା ଦେଶରେ ସର୍ବନିମ୍ନ। କେନ୍ଦ୍ରାପଡାରେ ସଂକ୍ରମଣ ହାର ୨.୨୫% ଓ ଏହା ମଧ୍ୟ ରାଜ୍ୟରେ ସବୁଠାରୁ କମ୍।
ସରପଞ୍ଚମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତାକୁ ସେମାନେ ଦକ୍ଷତାର ସହ କରୋନା ନିୟନ୍ତ୍ରଣରେ ଉପଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। କହିଥିଲେ ଯେ ତାଙ୍କ ଭରସା ଦୃଢୀଭୂତ ହୋଇଛି।
ଲଘୁଚାପଜନିତ ବର୍ଷା ଜାରି ରହିଥିବାରୁ କେନ୍ଦ୍ରାପଡା ଜିଲ୍ଲାର ଆବଶ୍ୟକତାକୁ ଭିତ୍ତିକରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବର୍ତ୍ତମାନ ବଡ ଧରଣର ବନ୍ୟାର ଆଶଙ୍କା ନାହିଁ ଏବଂ ଜଳାବଦ୍ଧ ସମସ୍ୟା ଦୂର କରିବାପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସ୍ବତନ୍ତ୍ର ରିଲିଫ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେହିଭଳି କେନ୍ଦ୍ରାପଡାରେ କରୋନା ନିୟନ୍ତ୍ରଣ ସହିତ ବିକାଶ କାର୍ଯ୍ୟ ଜାରି ରଖିବାରେ କୌଣସି ଅସୁବିଧା ନାହିଁ ବୋଲି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଦେଇଥିଲେ।
ଜିଲ୍ଲାର ବିଧାୟକ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଲୋକପ୍ରତିନିଧି ସେମାନଙ୍କର ମତାମତ ଦେଇଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ରାପଡାର କୋଭିଡ୍ ପର୍ଯ୍ୟବେକ୍ଷକ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
Follow Us