ଚିଲିକାରେ ଭସାପୋଲ ସେବା ବନ୍ଦ, ପୁଣି ଘରୋଇ ଡଙ୍ଗାରେ ବିପଜ୍ଜନକ ଯାତ୍ରା

ଚିଲିକାରେ ଭସାପୋଲ ସେବା ବନ୍ଦ, ପୁଣି ଘରୋଇ ଡଙ୍ଗାରେ ବିପଜ୍ଜନକ ଯାତ୍ରା

ବ୍ରହ୍ମଗିରି : ଚିଲିକାରେ ଭସାପୋଲ ସେବା ବନ୍ଦ ରହିଛି। ଗତ କିଛି ଦିନ ହେଲା ଗୋଟିଏ ଭସାପୋଲ ବନ୍ଦ ଥିବା ବେଳେ ଗୋଟିକରେ ସେବା ଚାଲିଥିଲା। କିନ୍ତୁ ଏବେ ଦୁଇଟିଯାକ ଭସାପୋଲ ବନ୍ଦ ହୋଇ ପଡ଼ିଛି। ଫଳରେ ଯାତ୍ରୀ ପରିବହନ ସେବା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଏବେ ଘରୋଇ ଡଙ୍ଗାରେ ଚାଲିଛି। ଦୀର୍ଘ ୪ ଦିନ ହେଲାଣି ଦୁଇଟି ଯାକ ଭସାପୋଲ ବନ୍ଦ ଯୋଗୁ ପୁରୀରୁ ବ୍ରହ୍ମପୁରକୁ ଯାଉଥିବା ଦୁଇଟି ଯାତ୍ରୀବାହୀ ବସ୍‌ ସେବା ବନ୍ଦ ପଡ଼ିଛି। ଅନ୍ୟପଟେ କୃଷ୍ଣପ୍ରସାଦ ବ୍ଳକ୍‌ରୁ ସାତପଡ଼ା ଘାଟକୁ ଯାତ୍ରୀ ପରିବହନ ମଧ୍ୟ ଘୋର ବାଧାପ୍ରାପ୍ତ ହୋଇଛି।

ଚିଲିକାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାଲିଥିବା ଏହି ଭସାପୋଲ ଚିଲିକା ମଧ୍ୟରେ ଥିବା ବହୁ ପଞ୍ଚାୟତବାସୀଙ୍କ ପାଇଁ ଦୀର୍ଘ ବର୍ଷ ଧରି ଜୀବନ ରେଖା ସାଜିଛି। କିନ୍ତୁ ଏବେ ଏହି ସେବା ବନ୍ଦ ହୋଇଯିବା ଫଳରେ ଯାତ୍ରୀ ଅନ୍ୟ ଉପାୟ ନପାଇ ଘରୋଇ ଡଙ୍ଗାରେ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି। ଜୀବନକୁ ବାଜି ଲଗାଇ ଘରୋଇ ଡଙ୍ଗାରେ ଯାତ୍ରୀ ପରିବହନ ଚାଲିଛି। କ୍ଷମତାଠାରୁ ଚାରିଗୁଣା ଯାତ୍ରୀ ପରିବହନ ଚାଲିଛି। କେବଳ ସେତିକି ନୁହେଁ, ସରକାରୀ ଧାର୍ଯ୍ୟ ଦରଠାରୁ ୫ ଗୁଣା ଯାତ୍ରୀ ଭଡ଼ା ମଧ୍ୟ ଆଦାୟ ଚାଲିଛି। ସିଡିଏ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା ଦୁଇଟି ଭସାପୋଲ ଖରାପ ହୋଇଛି। ଯାନ୍ତ୍ରୀକ ଟିମ୍‌ ଆସି କାମ କରୁଛନ୍ତି। ଆଉ ଦିନେ ଦୁଇ ଦିନ ମଧ୍ୟରେ ଗୋଟିଏ ଭସାପୋଲ ଠିକ ହୋଇଯିବ। ତେଣୁ ଖୁବ୍‌ ଶୀଘ୍ର ଯାତ୍ରୀ ପରିବହନ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

ଏବେ ଚିଲିକାରେ ଧର୍ମକୁ ଆଖିଠାର ଭଳି ଭସାପୋଲ ସେବା ଚାଲିଛି। ସରକାର ଓ ପ୍ରଶାସନର ନାକ ତଳେ ଅତ୍ୟନ୍ତ ବିପଦସଙ୍କୁଳ ଯାତ୍ରୀ ପରିବହନ ଚାଲିଛି। ଭସାପୋଲରେ ଯାତ୍ରୀ ପରିବହନ ଏକ ପ୍ରହସନରେ ପରିଣତ ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି। ନିକଟରେ ଡଙ୍ଗା ବୁଡି ଦୁଇ ଜଣ ଯାତ୍ରୀଙ୍କ ଜୀବନ ଯାଇଛି। ସାତପଡା ଘାଟରୁ ଜହ୍ନିକୁଦା ଘାଟକୁ ଦୀର୍ଘ ୫ କିଲୋମିଟର ଜଳପଥରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଛି। ଏଭଳି ସ୍ଥିତିରେ ଭସାପୋଲ ସେବାକୁ ତୁରନ୍ତ ସ୍ବାଭାବିକ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe