ବ୍ରହ୍ମଗିରି : ଚିଲିକାରେ ଏବେ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଛି। ଆଉ ଗୋଟିଏ ଭସାପୋଲ ଖରାପ ହୋଇ ପଡ଼ିଛି। ଫଳରେ ଯାତ୍ରୀ ପରିବହନରେ ସମସ୍ୟା ଯେତିକି ଦେଖା ଦେଇଛି ତା’ଠାରୁ ଅଧିକ ସମସ୍ୟା ହେଉଛି ଘରୋଇ ଡଙ୍ଗାରେ ବିପଦସଙ୍କୁଳ ଯାତ୍ରୀ ପରିବହନ। ତେବେ ଗୋଟିଏ ଭସାପୋଲ ବନ୍ଦ ରହିବା ଗତ କିଛି ବର୍ଷ ଧରି ଏକ ନିୟମିତ ଘଟଣାରେ ପରିଣତ ହୋଇଗଲାଣି। କାରଣ ଚିଲିକା ଦ୍ବିପାଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଦୁଇଟି ଭସାପୋଲ ଚଳାଚଳ ସୁବିଧା କରିଥିଲେ ମଧ୍ୟ ବର୍ଷର ଅଧିକାଂଶ ସମୟ କେବଳ ଗୋଟିଏ ଭସାପୋଲରେ ହିଁ କାମ ଚଳିଯାଉଛି। ଅନେକ ସମୟରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଗୋଟିଏ ବନ୍ଦ ରହୁଥିବାର ଦେଖାଯାଉଛି।
/sambad/media/post_attachments/wp-content/uploads/2022/09/vessal-f.jpg)
ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଭସାପୋଲ ସୁରକ୍ଷିତ ଭାବେ ଯାତ୍ରୀ ପରିବହନ କରିଥାଏ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ଭସାପୋଲ ସେବା ଚାଲିଛି। ଚିଲିକାରାଣୀ ଓ ଭାବକୁଣ୍ଡଳେଶ୍ବର ନାମକ ଦୁଇଟି ବଡ ଭସାପୋଲ ରହିଛି। ବସ୍ ସହିତ ଅନ୍ୟ ବଡ଼ଗାଡି ଏବଂ ଯାତ୍ରୀଙ୍କୁ ନେଇ ଏହି ଭସାପୋଲ ଚିଲିକାର ୫ କିଲୋମିଟର ଜଳଯାତ୍ରା କରିଥାଏ। ଭାବକୁଣ୍ଡଳେଶ୍ବର ନାମକ ଭସାପୋଲ ଏବେ ଖରାପ ହୋଇ ପଡିଛି। ଫଳରେ ସାତପଡା ଘାଟରୁ ସକାଳୁ ଆଉ ଭସାପୋଲ ଯାତ୍ରୀ ପରିବହନ କରି ପାରୁ ନାହିଁ। ଜହ୍ନିକୁଦା ଘାଟରୁ ସକାଳୁ ଭସାପୋଲ ଯାତ୍ରୀ ନେଇ ଆସୁଥିବା ବେଳେ ସକାଳ ଦଶଟା ବେଳକୁ ସାତପଡା ଘାଟରୁ ଯାତ୍ରୀ ପରିବହନ ଆରମ୍ଭ କରୁଛି। ପୂର୍ବରୁ ସକାଳ ୭ଟାରୁ ସାତପଡା ଘାଟରୁ ଭସାପୋଲ ଯାତ୍ରୀ ନେଇ ଜହ୍ନିକୁଦା ଘାଟକୁ ଯାଉଥିଲା।
ସକାଳୁ ଭସାପୋଲ ଯାତ୍ରୀ ପରିବହନ କରୁ ନ ଥିବାରୁ ଲୋକେ ନାକେଦମ ହେଉଛନ୍ତି। ଅନ୍ୟପଟେ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଥିବା ଯୋଗୁ ଏହାର ଫାଇଦା ଉଠାଇ ଘରୋଇ ଡଙ୍ଗାରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ ଚାଲୁଥିବା ଜଣାପଡିଛି। ଏହି କାରଣରୁ ଚିଲିକାରେ ବାରମ୍ବାର ନୌକା ଦୁର୍ଘଟଣା ଘଟୁଛି।
Follow Us