କମିଲା ପାଣି, ବଢ଼ିଲା ସମସ୍ୟା: ପୁଣି ମଝି ଚିଲିକାରେ ଫସିଲା ଭସାପୋଲ

Advertisment
କମିଲା ପାଣି, ବଢ଼ିଲା ସମସ୍ୟା: ପୁଣି ମଝି ଚିଲିକାରେ ଫସିଲା ଭସାପୋଲ

ବ୍ରହ୍ମଗିରି : ଚିଲିକାରେ ଜଳସ୍ତର କମିବାରେ ଲାଗିଛି। ଖରାଦିନ ଆରମ୍ଭ ହେବାମାତ୍ରେ ଚିଲିକାରେ ଏହିଭଳି ପରିସ୍ଥିତି ସୃଷ୍ଟିହୋଇଛି। ସାତପଡ଼ାଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଥିବା ଭସାପୋଲ ଚ୍ୟାନେଲ୍‌ ଦୀର୍ଘ ୧୨ ବର୍ଷ ହେଲାଣି ଖୋଳା ହୋଇନାହିଁ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି। ଯେଉଁଥିପାଇଁ, ପୁଣିଥରେ ରବିବାର ଅପରାହ୍ନରେ ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଭସାପୋଲ ଅଟକି ରହିଥିଲା। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ) ତୁରନ୍ତ ପଦକ୍ଷେପ ନେବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି।

ସୂଚନା ଅନୁଯାୟୀ ରବିବାର ଅପରାହ୍ନ ୫ଟାରେ ସାତପଡ଼ାରୁ ଭସାପୋଲ ଜହ୍ନିକୁଦା ଘାଟକୁ ଯାତ୍ରା ଆରମ୍ଭ କରିଥିଲା। ଭସାପୋଲରେ ଏକ ପର୍ଯ୍ୟଟକ ଗାଡ଼ି ସହିତ ୩୦ ପର୍ଯ୍ୟଟକ, ୧୫ ବାଇକ୍‌ ଏବଂ ଅନ୍ୟ ୨୦ ଜଣ ଯାତ୍ରୀ ରହିଥିଲେ। ଭସାପୋଲଟି ସାତପଡ଼ା ଘାଟରୁ ବାହାରିବାର କିଛି ସମୟ ମଧ୍ୟରେ ମଝି ଚିଲିକାରେ ଚ୍ୟାନେଲର ବୁଲାଣି ସ୍ଥାନରେ ବୁଲାଇବା ବେଳେ ଅଟକି ଯାଇଥିଲା। ପାଣି କମ୍‌ ଥିବାରୁ ଏକ କୁଦରେ ଲାଗିଯାଇଥିଲା। ଫଳରେ ପର୍ଯ୍ୟଟକଙ୍କ ସହିତ ଗାଡ଼ି ଓ ଅନ୍ୟଯାତ୍ରୀମାନେ ଫସି ରହିଥିଲେ। ୬୫ ଜଣ ଯାତ୍ରୀ ଫସି ରହିବାପରେ ସାତପଡ଼ାଠାରେ ଥିବା ସ୍ବତନ୍ତ୍ର ଏସ୍କାଭେଟର ଏକ ଜେସିବିକୁ ନେଇ ଘଟଣାସ୍ଥଳରେ ପହ‌ଞ୍ଚି ଥିଲା। ସେଠାରେ ୨୦ ମିନିଟ୍‌ ଧରି ଚ୍ୟାନେଲରୁ ବାଲି ଖୋଳିବା ପରେ ଭସାପୋଲ ପୁଣିଥରେ ଚ୍ୟାନେଲକୁ ଯାଇଥିଲା। ଏହାପରେ ଭସାପୋଲରେ ଥିବା ଯାତ୍ରୀ ସୁରକ୍ଷିତ ଭାବରେ ଜହ୍ନିକୁଦା ଘାଟରେ ପହ‌ଞ୍ଚିଥିଲେ। ଏନେଇ ସିଡିଏ ଅଧିକାରୀ କହିଛନ୍ତି ଯେ ଭସାପୋଲ ଯାଉଥିବା ସ୍ବତନ୍ତ୍ର ଚ୍ୟାନେଲ ପୋତି ହୋଇଗଲାଣି। ଫଳରେ ଯାତ୍ରୀ ନେଇ ଯିବାବେଳେ ସମସ୍ୟା ଦେଖାଦେଉଛି। ଆଜି ସାତପଡ଼ା ଘାଟଠାରୁ କିଛି ଦୂରରେ ଭସାପୋଲ ତାର ଚ୍ୟାନେଲ୍‌ରେ ବୁଲିବା ବେଳେ ଫସି ଯାଇଥିଲା। ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁଣି ଥରେ ଜହ୍ନିକୁଦା ଘାଟରେ ସୁରକ୍ଷିତ ଭାବରେ ପହ‌ଞ୍ଚିଥିଲା।

ଏଠାରେ ଉଲ୍ଲେଖ‌‌ଯୋଗ୍ୟ ଯେ ଚିଲିକାରେ ବାରମ୍ବାର ଭସାପୋଲ ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଅଟକି ରହୁଛି। ନିକଟରେ ଦୁଇ ଘଣ୍ଟା ଧରି ଦୁଇଟି ବସ୍‌ ସହିତ ୩ ଶହ ଯାତ୍ରୀ ମଝି ଚିଲିକାରେ ଫସି ରହିଥିଲେ। ପ୍ରତିବର୍ଷ ଫେବ୍ରୁଆରିରୁ ଜୁନ୍ ମାସ ପର୍ଯ୍ୟନ୍ତ ଚିଲିକାରେ ଭସାପୋଲ ବାରମ୍ବାର ଏଭଳି ଦୁର୍ଘଟଣା ହେଉଥିବା ନଜିର ରହିଛି। ଅନ୍ୟପଟେ ସାତପଡ଼ାଠାରୁ ଜହ୍ନିକୁଦା ଦୀର୍ଘ ୫ କିଲୋମିଟର ଜଳପଥରେ କୃଷ୍ଣପ୍ରସାଦ ବ୍ଲକ୍‌ର ୧୪ ପଞ୍ଚାୟତର ଲୋକେ ପ୍ରତିଦିନ ଯାତାୟାତ କରିଥା’ନ୍ତି। ଏଥିରେ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଯାତାୟାତ କରିଥାନ୍ତି। ଦୁଇଟି ଘରୋଇ ଯାତ୍ରୀବାହୀ ବସ୍‌ ପୁରୀରୁ ବ୍ରହ୍ମପୁର ଏହି ଭସାପୋଲ ଦେଇ ଯାଇଥାଏ। କିନ୍ତୁ ଚିଲିକାର ଜଳସ୍ତର କମୁଥିବାରୁ ଆଗକୁ ସମସ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe