ପୁଲିସ୍‌ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ କାଳୁ ଭୋଳ ଆହତ; ବାମଗୋଡ଼ରେ ଲାଗିଛି ଆଘାତ, ଡାକ୍ତରଖାନାରେ ଭର୍ତ୍ତି

ପୁଲିସ୍‌ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ କାଳୁ ଭୋଳ ଆହତ; ବାମଗୋଡ଼ରେ ଲାଗିଛି ଆଘାତ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗୁଳିମାଡ଼ରେ କାଳୁ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ କହିଛି ଯେ, ଆଜି ସତ୍ୟବାଦୀ ଥାନା ଅଧୀନ ସୁଆଣ୍ଡୋ ଗ୍ରାମ ନିକଟ ସାଗର ସ୍ନାନ ମେଳଣ ପଡ଼ିଆ ନିକଟରେ କୁଖ୍ୟାତ ଅପରାଧୀ ତଥା ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁର ଦ୍ବିଜ ଭୋଳଙ୍କ ପୁଅ କାଳୁ ଭୋଳ ବୁଲୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସତ୍ୟବାଦୀ ପୁଲିସ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କୁ ଏହି ସୂଚନା ମିଳିବା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ଆଜି ଅପରାହ୍‌ଣ ୪ଟା ୪୦ରେ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ସେଠାରେ ଦେଖିବାକୁ ପାଇଥିଲା ଯେ, କାଳୁ ଭୋଳ ସାଗର ସ୍ନାନ ମେଳଣ ପଡ଼ିଆରେ ବୁଲୁଛି।

କାଳୁ ଭୋଳକୁ ଯେତେବେଳେ ପୁଲିସ ଗୋଡ଼ାଇଥିଲା, ସେ ଏକ ରାଉଣ୍ଡ ଗୁଳି ଚଳାଇଥିଲା। କିନ୍ତୁ କାଳୁର ଏହି ଗୁଳି ପୁଲିସ ଟିମ୍‌ର ନିକଟ ଦେଇ ଅତିକ୍ରମ କରିଥିଲା। ଜୀବନ ସୁରକ୍ଷା ନୀତିରେ କାଳୁର ‌ବାମଗୋଡ଼କୁ ଲକ୍ଷ୍ୟ କରି ଆଇଆଇସି ବିଜୟ କେତନ ବେହେରା ଗୋଟିଏ ରାଉଣ୍ଡ ଗୁଳି କରିଥିଲେ। ଏହି ଗୁଳି କାଳୁ ଭୋଳର ଡାହାଣଗୋଡ଼ରେ ବାଜି ଥିଲା। ଫଳରେ ସେ ଆହତ ହୋଇଥିଲା। ଆହତ କାଳୁକୁ ପୁଲିସ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଘଟଣାସ୍ଥଳରୁ ୭.୬୫ ଏମ୍‌ଏମ୍‌ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଛି। ପୁଲିସ କହିଛି କାଳୁ ଭୋଳ ନାମରେ ପୁରୀ ଜିଲ୍ଲାର ସଦର ଥାନା, ଚନ୍ଦନପୁର ଥାନା, ସତ୍ୟବାଦୀ ଓ ବାସେଳିସାହି ଥାନାରେ ମୋଟା ୧୮ଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe