ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ : ବାହୁଡ଼ିଗଲେ ବିଜୟ

Advertisment
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ : ବାହୁଡ଼ିଗଲେ ବିଜୟ

ଦେଢ଼ଶହରୁ ଅଧିକ ସିନେମାରେ କରିଥି‌ଲେ ଅଭିନୟ
୬ଥର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ
ମିଳିଥିଲା ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ଜୟଦେବ ପୁରସ୍କାର

ଭୁବନେଶ୍ୱର : ନିଜର ବଳିଷ୍ଠ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଢେର୍‌ କନ୍ଦାଇବା ପରେ ଆଜି ସତରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ଓଲିଉଡ୍‌ର ବେତାଜ ବାଦଶାହ ବିଜୟ ମହାନ୍ତି। ମାସାଧିକ କାଳ ‌ରୋଗଶଯ୍ୟାରେ ପଡ଼ିବା ପରେ ଆଜି ରାତି ୯ଟାରେ ଭୁବନେଶ୍ୱର କେୟାର ହସ୍ପିଟାଲ୍‌ରେ ତାଙ୍କର ପରଲୋକ ହୋଇଯାଇଛି। ଖଳନାୟକରୁ ନାୟକ ଓ ଚରିତ୍ର ଅଭିନେତା, ବିଭିନ୍ନ ଭୂମିକାରେ ଦେଢ଼ଶହରୁ ଊର୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିବା ଏହି କିଂବଦନ୍ତି ଅଭିନେତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଛି। ନିଜର ଜୀବନ୍ତ ଅଭିନୟର ଯାଦୁରେ ୬ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରପ୍ରେମୀଙ୍କୁ ବାନ୍ଧି ରଖିଥିବା ଏହି ବରିଷ୍ଠ ଅଭିନେତାଙ୍କ ଚିର ବିଦାୟ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

publive-image

ବେଶ୍ କିଛି ମାସ ହେଲା ଅସୁସ୍ଥ ଥିବା ଶ୍ରୀ ମହାନ୍ତି ଆଜି ସନ୍ଧ୍ୟାରେ ପୁଣି ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କେୟାର ‌ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ସେଠାରେ ଏକ ଡାକ୍ତରୀ ଦଳ ତାଙ୍କ ଜୀବନ ରକ୍ଷା ପାଇଁ ଉଦ୍ୟମ କରିଥିଲେ। ତେବେ କିଛି ସମୟ ଚିକିତ୍ସା ପରେ ସେମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦେହ ଭଲ ରହୁନଥିବାରୁ କିଛି ମାସ ହେଲା ଶ୍ରୀ ମହାନ୍ତି ଅଭିନୟଠାରୁ ଦୂରେଇ ରହିଥି‌ଲେ। ଭୁବନେଶ୍ବରରେ ରସୁଲଗଡ଼ ଶିଳ୍ପାଞ୍ଚଳରେ ଘର ଥିଲେ ମଧ୍ୟ ହାଇଦ୍ରାବାଦସ୍ଥିତ ନିଜ ଝିଅ ଘରେ ପତ୍ନୀ ତନ୍ଦ୍ରାଙ୍କ ସାଙ୍ଗେ ରହି ଆସୁଥିଲେ। ଗତ ମେ’ ୨୫ ତାରିଖରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଯାଇଥିବା ବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇଥିଲା। ତେବେ ଓଡ଼ିଶା ଫେରି ଆସିବାକୁ ଇଚ୍ଛା ପ୍ରକାଶ କରିବାରୁ ଗତ ଜୁନ୍‌ ୧୩ରେ ତାଙ୍କୁ ଓଡ଼ିଶା ଅଣାଯାଇଥିଲା। ୨୨ଘଣ୍ଟାର ଯାତ୍ରା ପରେ ସ୍ବତନ୍ତ୍ର ଆମ୍ବୁଲାନ୍‌ସ ଭ୍ୟାନ୍‌ ଯୋଗେ ଭୁବନେଶ୍ବରରେ ପହଞ୍ଚି ସେ କେୟାର ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। କିଛିଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପାଣ୍ଡିରିରେ ଜନ୍ମିତ ଶ୍ରୀ ମହାନ୍ତି ବାରିପଦାର ଏମ୍‌.କେ.ସି ହାଇସ୍କୁଲ୍‌ରେ ସ୍କୁଲ୍‌ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ବାରିପଦାର ଏମ୍‌ପିସି କଲେଜରେ ପାଠ ପଢ଼ିଲାବେଳେ କଲେଜ ଡ୍ରାମାରେ ଅଭିନୟ କରି ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ। ପିଲାବେଳୁ ଅଭିନେତା ହେବାର ନିଶାକୁ ସାକାର କରିବା ପାଇଁ ସେ ପ୍ରଥମ ଓଡ଼ିଆ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ରେ ସ୍ନାତକ କରିବା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ।

publive-image

ବଲିଉଡ୍‌ର ଦିଗ୍‌ଗଜ ଅଭିନେତା ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ବରିଷ୍ଠ ଅଭିନେତା ନାସିରୁଦ୍ଦିନ ସାହ, ରାଜ ବବ୍ବର ଓ ଓମ୍‌ ପୁରୀ ପ୍ରମୁଖ ଏନ୍‌ଏସ୍‌ଡିରେ ତାଙ୍କର ସହପାଠୀ ଥିଲେ। ସେଠାରେ ସେ ଅଭିନୟ ଶିକ୍ଷା ସହ ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ବିଭିନ୍ନ ଥିଏଟର୍‌ରେ ଅଭିନୟ କ‌ଲେ। ଏହାପରେ ସେ ଓଡ଼ିଶା ଫେରି ନାଟକରେ ନିର୍ଦେଶନା ଦେଇଥିଲେ। ୧୯୭୭ ମସିହାରେ ‘ଚିଲିକା ତୀରେ’ ଫିଲ୍ମରେ ଅଭିନୟ ସହ ଓଲିଉଡ୍‌ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ସେହିବର୍ଷ ଜାତୀୟ ପୁରସ୍କାର ଲାଭ କଲା। ପରେ ସେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ ଓ ଚକା ଆଖି ସବୁ ଦେଖୁଛି ଭଳି ଫିଲ୍ମରେ ଖଳନାୟକ ଭୂମିକାରେ ବି ନିଜର ଦକ୍ଷତାର ପ୍ରମାଣ ଦେଲେ। ତେବେ ପରେ ଆରତି, ମମତା ମାଗେ ମୂଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଆଇ ଲଭ୍‌ ମାଇ ଇଣ୍ଡିଆ ଭଳି ଫିଲ୍ମରେ ନାୟକ ଓ ଚରିତ୍ର ଅଭିନେତା ଭାବେ ସେ ଦର୍ଶକଙ୍କ ମନ ଜିଣିଲେ। ‘ଭୁଲି ହୁଏନା’ ଫିଲ୍ମରେ ସେ ନିର୍ଦେଶକର ଭୂମିକା ମଧ୍ୟ ତୁଲାଇଥିଲେ।

୨୦୧୪ ମସିହା ଫେବ୍ରୁଆରି ୨୭ ତାରିଖରେ ସେ କଂଗ୍ରେସରେ ଯୋଗଦେବା ସହ ଭୁବନେଶ୍ବର ଲୋକସଭା ଆସନରୁ ଲଢ଼ିଥିଲେ ହେଁ ପରାଜୟ ବରଣ କରିଥିଲେ। ତେବେ ପରବର୍ତୀ ସମୟରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଅଭିନୟ ସହ ସେ ୧୯୭୭ ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ବାରିପଦାରେ ‘ଯୁଗେଚ୍ଛା’ ନାମରେ ଏକ ନାଟକ ଦଳ ଗଢ଼ି ସେ ରାଜ୍ୟର ବିଭିନ୍ନ ସ୍ଥାନରେ ନାଟକ ମଧ୍ୟ ପରିବେଷଣ କରିଥିଲେ। ଏହା ବ୍ୟତୀତ ଦୂରଦର୍ଶନରେ ବହୁ ଲୋକପ୍ରିୟ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ସେ ୨୦୧୪ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ। ଏହାବ୍ୟତୀତ ୬ଥର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe