Veteran Odia sound engineer Photograph: (sambad.in)
ଭୁବନେଶ୍ବର: ବଲିଉଡ ହରାଇଲା ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର । ଭେଟେରାନ୍ ସାଉଣ୍ଡ ଇଞ୍ଜିନିୟର ସମୀର କୁମାର ପାତ୍ରଙ୍କ ପରଲୋକ । ୫୦ ବର୍ଷ ବୟସରେ ସମୀରଙ୍କ ଦେହାନ୍ତ । ୭୫ରୁ ଅଧିକ ସିନେମାରେ କାମ କରି ନିଜ ଯାଦୁଗରୀ କାମର ଛାପ ଛାଡ଼ି ଯାଇଥିବା ସମୀର ପାତ୍ରଙ୍କ ଅକାଳ ବିୟୋଗ ସିନେ ଜଗତରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି କରିଥିବା ବେଳେ ତାଙ୍କ ଦେହାନ୍ତ ଖବର ଶୋକର ଛାୟା ଖେଳାଇ ଦେଇଛି ।
ସମୀର ! ଭାରତୀୟ ଚଳଚ୍ଚିତ୍ର ଜଗତରେ ଜଣେ ଜଣାଶୁଣା ନାଁ । ଅତ୍ୟନ୍ତ ବିଶ୍ୱସ୍ତ ତଥା ନିଜ କାମ ପାଇଁ ବେଶ ପରିଚିତ ବରିଷ୍ଠ ଶବ୍ଦ ଯନ୍ତ୍ରୀ ତଥା ରେକର୍ଡିଷ୍ଟ ଇଂ. ସମୀର କୁମାର ପାତ୍ର ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ପ୍ରଶଂସିତ ହିନ୍ଦୀ ଚଳଚ୍ଚିତ୍ରର ଶବ୍ଦ ସଂଯୋଜନାରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ବଲିଉଡର ସାଉଣ୍ଡ ବିଭାଗରେ ନିଜର ଏକ ସ୍କତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଳ୍ପ କିଛି ଓଡ଼ିଆ ପେଶାଦାରଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସମୀର । ଯଦିଓ ସେ ପ୍ରଚାର ପ୍ରସାର ଠାରୁ ଦୂରରେ ରହୁଥିଲେ, ତଥାପି ମୁଖ୍ୟସ୍ରୋତ ଏବଂ ସ୍ୱାଧୀନ ଚଳଚ୍ଚିତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ।
ଓଡ଼ିଆ ସାଉଣ୍ଡ ଡିଜାଇନର ଓ ରେକଡିଷ୍ଟ ଭାବେ ବଲିଉଡ ଚଳଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ନାଁ ସମୀର ପାତ୍ର ୧୯୭୬ ମସିହା ଡିସେମ୍ବର ୮ ତାରିଖରେ ଗଞ୍ଜାମର ଭଞ୍ଜନଗରରେ ଜନ୍ମଗ୍ରହଣ କରି ସ୍ଥାନୀୟ ସ୍କୁଲରୁ ଶିକ୍ଷା ଗ୍ରହଣ କରିବା ସହ ଭଞ୍ଜନଗର କଲେଜରୁ ବିଜ୍ଞାନରେ ସ୍ନାତକ ସମାପ୍ତ କରିଥିଲେ । ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ (୧୯୯୬ ରୁ ୨୦୦୦ ମସିହା) ସାଉଣ୍ଡ ଆଣ୍ଡ ଟେଲିଭିଜନ ଇଞ୍ଜିନିୟରିଂରେ ଡିପ୍ଲୋମା ପାଠ୍ୟ ଶେଷ କରି ମୁମ୍ବାଇ ଚଳଚିତ୍ର ଇଣ୍ଡଷ୍ଟ୍ରିରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ।
୨୦୦୦ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ... ୨୬ ବର୍ଷ ଧରି ମୁମ୍ବାଇରେ ନିଜର ଛାପ ଛାଡି ଅନୁନ୍ୟ ୭୫ରୁ ଅଧିକ ସିନେମାରେ ନିଜର ଶବ୍ଦ ଯାଦୁଗରୀର ସ୍ପର୍ଶ ସେ ଦେଇଛନ୍ତି । ସେଥିମଧ୍ୟରୁ- ଚକ ଦେ ଇଣ୍ଡିଆ, ରକେଟ ସିଂ, ତେରେ ବିନ ଲାଡେନ, ଫୁକ୍ରେ ଭଳି ଅନେକ ସୁପର ହିଟ ଚଳଚ୍ଚିତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଏହି ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଧୁରନ୍ଧରର ସେ ଥିଲେ ସାଉଣ୍ଡ ଇଞ୍ଜିନିୟର ।
ଜଣେ ଓଡ଼ିଆ ଟେକନସିଆନ ଭାବେ ସେ ମୁମ୍ବାଇ ଚଳଚିତ୍ର ଦୁନିଆରେ ଖୁବ ପରିଚୟ ଏବଂ ସୁନାମ ଅର୍ଜନ କରିଥିଲେ । ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ସେ ଥିଲେ ସାଉଣ୍ଡ ବିଭାଗର ପ୍ରଥମ ବର୍ଷର ଛାତ୍ର । ତେବେ ​IMDb ଅନୁଯାୟୀ- ସେ ସାଉଣ୍ଡ ମିକ୍ସର, ଆଡିସନାଲ୍ ସାଉଣ୍ଡ ମିକ୍ସର, ଲୋକେସନ ସାଉଣ୍ଡ ରେକର୍ଡିଷ୍ଟ ଏବଂ ସାଉଣ୍ଡ ଇଞ୍ଜିନିୟର ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ...
​ତାଙ୍କର କିଛି ପ୍ରମୁଖ ସିନେମା
​-ଚକ୍ ଦେ ଇଣ୍ଡିଆ
​-ରକେଟ୍ ସିଂ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର
​-ଫୁକ୍ରେ
-ବୀରେ ଦି ୱେଡିଂ
-ଗୋଲ୍ଡ
​-ଦୃଶ୍ୟମ୍ ୨
-ମିମି
-ଯୁଗ ଯୁଗ୍ ଜିଓ
-​ଫିଲ୍ମିସ୍ତାନ
-ସଡ଼କ ୨
-ଧୁରଦ୍ଧର
​OTT ସିରିଜ୍
-କ୍ରିମିନାଲ୍ ଜଷ୍ଟିସ୍
-ୟେ କାଲି କାଲି ଆଖେଁ
​ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ 'କାଲିର ଅତୀତ' ଚଳଚ୍ଚିତ୍ରରେ ତାଙ୍କର କାମ ସାମାଜିକ ସମସ୍ୟା ଓ ଭାବପ୍ରବଣତାକୁ ଶବ୍ଦ ମାଧ୍ୟମରେ ପ୍ରକାଶ କରିବାରେ ତାଙ୍କର ଦକ୍ଷତାକୁ ପ୍ରମାଣିତ କରିଥିଲା। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର 'ଧୁରନ୍ଧର' ଥିଲା ତାଙ୍କର ଶେଷ କାର୍ଯ୍ୟ।
​ତାଙ୍କର ସହକର୍ମୀ ଏବଂ ଜୁନିୟରମାନେ ସମୀରଙ୍କୁ ଜଣେ ମିଷ୍ଟଭାଷୀ, ଦୟାଳୁ ଏବଂ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ ମନେରଖିଛନ୍ତି । ଅନେକ ବଡ ବଡ ପ୍ରୋଜେକ୍ଟରେ କାମ କରିଥିଲେ ମଧ୍ୟ ସେ ଅତ୍ୟନ୍ତ ସରଳ ଥିଲେ ଏବଂ ନୂତନ ଟେକ୍ନିସିଆନମାନଙ୍କ ପାଇଁ ଜଣେ ପରାମର୍ଶଦାତା (Mentor) ସଦୃଶ ଥିଲେ। ତାଙ୍କ ବିୟୋଗରେ BPFTIO ପରିବାର, ଓଡ଼ିଆ ଚଳଚ୍ଚିତ୍ର ଜଗତ ଏବଂ ଭାରତୀୟ ସିନେମାର ବୈଷୟିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।
Follow Us