ତିନି ମାସ ମଧ୍ୟରେ ସରିବ କୁଳପତି ଚୟନ: ଓଡ଼ିଶା ଲୋକ କଠୋର ପରିଶ୍ରମ କରନ୍ତୁ

ଅଧିକାଂଶ ବିଶ୍ବବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ଅଛନ୍ତି। ବିଶ୍ବବିଦ୍ୟାଳୟରେ ବହୁ ଶିକ୍ଷକ ପଦବି ଖାଲି ପଡ଼ିଛି। ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ନୂଆ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ କୁଳପତି ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

dadadgadgzvc

ଭୁବନେଶ୍ବର: ଅଧିକାଂଶ ବିଶ୍ବବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ଅଛନ୍ତି। ବିଶ୍ବବିଦ୍ୟାଳୟରେ ବହୁ ଶିକ୍ଷକ ପଦବି ଖାଲି ପଡ଼ିଛି। ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ନୂଆ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ କୁଳପତି ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ତିନି ମାସ ମଧ୍ୟରେ ସବୁ କୁଳପତି ପଦବି ପୂରଣ ହେବ। ତାହା ପରେ ଅଧ୍ୟାପକ ପଦବି ପୂରଣ କରାଯିବ। ଆଜି ରାଜ୍ୟପାଳ ତଥା କୁଳାଧିପତି ହରିବାବୁ କମ୍ଭମପାଟି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି। 

ରାଜଭବନର ନିଉ ଅଭିଷେକ ହଲ୍‌ରେ ଏହି ଆଲୋଚନା ବେଳେ ରାଜ୍ୟପାଳ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜର ସ୍ପଷ୍ଟ ମତ ରଖିଥିଲେ। ଛାତ୍ରସଂସଦ ନିର୍ବାଚନ ନହେବା ନେଇ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟପାଳ କହିଥିଲେ, ଏହା ରାଜ୍ୟ ସରକାରଙ୍କ ବ୍ୟାପାର। ନିର୍ବାଚନ ହେବ କି ନାହିଁ, ତାହା ସରକାର ନିଷ୍ପତ୍ତି ନେବେ। ସେଥିରେ କୁଳାଧିପତିଙ୍କ କାର୍ଯ୍ୟାଳୟର କିଛି କରିବାର ନାହିଁ। ସ୍କୁଲ୍‌ରେ ଡ୍ରପ୍ ଆଉଟ୍‌ ହାରକୁ ନେଇ ରାଜ୍ୟପାଳ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ, ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ୍ ଆଉଟ୍ ହାର ସବୁଠୁ ଅଧିକ ରହିଛି। ବିଶେଷ କରି ଦଶମ ଶ୍ରେଣୀ ପରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ନକରି ରହି ଯାଉଛନ୍ତି। ଏହ‌ା ଚିନ୍ତାଜନକ। ଆଗାମୀ ଦିନରେ ୧୦ମ ଶ୍ରେଣୀକୁ ଉନ୍ନୀତ କରି ସେଠାରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲାଗଲେ ଏହି ସମସ୍ୟାକୁ ଅନେକ ମାତ୍ରାରେ ରୋକାଯାଇପାରିବ। ରାଜ୍ୟରେ ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ସେ କହିଥିଲେ, ଏହା ଏକ ସଙ୍ଗିନ ସମସ୍ୟା। ତ୍ବରିତ ଦଣ୍ଡବିଧାନ ହେଲେ ଏହି ହିଂସାକୁ ରୋକିହେବ। ତେବେ ଏ ନେଇ ସବୁ ସ୍ତରରେ ସଚେତନତା ସୃଷ୍ଟି ହେବା ଉଚିତ। 

ଓଡ଼ିଶା ଲୋକ କଠୋର ପରିଶ୍ରମ କରନ୍ତୁ 
ସୀମା ବିବାଦ ଆପୋସ ଆଲୋଚନାରେ ସମାଧାନ ହୋଇପାରିବ

ପଡ଼ୋଶୀ ରାଜ୍ୟ ସହ ଓଡ଼ିଶାର ସୀମା ବିବାଦ ଉପରେ ରାଜ୍ୟପାଳ କହିଥିଲେ, ଆମ ଦେଶରେ ରାଜ୍ୟ-ରାଜ୍ୟ ମଧ୍ୟରେ ସୁସମ୍ପର୍କ ରହିଛି। ସୀମା ବିବାଦ ଏହି ସମ୍ପର୍କକୁ ପ୍ରଭାବିତ କରିପାରି ନାହିଁ। ତେବେ ଆପୋସ ଆଲୋଚନା ମାଧ୍ୟମରେ ଏହାର ସମାଧାନ ନିଶ୍ଚିତ ହୋଇପାରିବ। ସୀମାବର୍ତ୍ତୀ ଅଞ୍ଚଳର ଲୋକେ ଦୁଇ ରାଜ୍ୟର ସମସ୍ତ ସୁବିଧା ପାଉଥାଇପାରନ୍ତି ବୋଲି ରାଜ୍ୟପାଳ ଲଘୁ ମନ୍ତବ୍ୟ ଦେଇଥିଲେ। 
ରାଜ୍ୟପାଳ କହିଥିଲେ, ସରକାରଙ୍କର ଅନେକ ଲୋକାଭିମୁଖୀ ଯୋଜନା ରହିଛି ଯାହା କି ନାଗରିକଙ୍କୁ ଆର୍ଥିକ ଓ ସାମାଜିକ ସୁରକ୍ଷା ଦେବ। ସେସବୁ ଗଣମାଧ୍ୟମରେ ବହୁଳ ପ୍ରଚାର ହେବା ଉଚିତ। ସବୁ ବର୍ଗର ନାଗରିକ ଏଥିରୁ କିପରି ଲାଭ ଉଠାଇପାରିବେ, ସେସମ୍ପର୍କରେ ସେମାନଙ୍କୁ ବୁଝାଇବାକୁ ପଡ଼ିବ। ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ଲକ୍ଷ୍ୟ ହାସଲ କରିବାର ସମ୍ଭାବନା ଉପରେ ରାଜ୍ୟପାଳ କହିଥିଲେ, ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ନିର୍ମାଣ ଓ ଶିଳ୍ପ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ରେଳ ସଂଯୋଗୀକରଣ ଓ ଗମନାଗମନକୁ ତ୍ୱରାନ୍ୱିତ କରିବା ଲାଗି ବହୁ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ରହିଛି। ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ବହୁ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି। ଏହାଦ୍ୱାରା ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧିତ ହୋଇପାରିବ।  

ଓଡ଼ିଶାକୁ ନେଇ ନିଜର ଅନୁଭୂତି ସମ୍ପର୍କରେ ଶ୍ରୀ କମ୍ଭମପାଟି କହିଥିଲେ, ଓଡ଼ିଶାର କଳା ଓ ଏଠାକାର ଲୋକଙ୍କର କଳା ପ୍ରତି ଭଲ ପାଇବା ମୋତେ ଅଭିଭୂତ କରିଛି। ଓଡ଼ିଶାର ପଟ୍ଟଚିତ୍ର ଓ ଟେରାକୋଟା ଅତ୍ୟନ୍ତ ଚମତ୍କାର। ଲୋକଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଓଡ଼ିଶାବାସୀ ଆହୁରି ପରିଶ୍ରମ କରନ୍ତୁ। ଓଡ଼ିଶାରେ ସମ୍ବଳର ଅଭାବ ନାହିଁ। ତାହାକୁ ସଦୁପଯୋଗ କରି ରାଜ୍ୟକୁ ନୂଆ ‌ସୋପାନକୁ ନିଅନ୍ତୁ। 
ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମ ଅଧ୍ୟକ୍ଷ ପଦକୁ ନେଇ ରାଜ୍ୟପାଳ କହିଥିଲେ, ମନ୍ତ୍ରୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ତେବେ ରାଜ୍ୟରେ ବିଭିନ୍ନ ସରକାରୀ ସଂସ୍ଥାରେ ମୁଖ୍ୟ ପଦବି ପୂରଣ ହେବାର ଆବଶ୍ୟକତା ରହିଛି। ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe