ଆଦିକବିଙ୍କ ୬୦୦ ତମ ଜନ୍ମ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି : ‘ସାରଳା ଦାସ ଆଧୁନିକ ଓଡ଼ିଆ ଭାଷାର ଜନକ’

Advertisment

ବିଶ୍ବଭୂଷଣ ହରିଚନ୍ଦନଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନ

ବିଶ୍ବଭୂଷଣ ହରିଚନ୍ଦନଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନ

ଆଦିକବିଙ୍କ ୬୦୦ ତମ ଜନ୍ମ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି : ‘ସାରଳା ଦାସ ଆଧୁନିକ ଓଡ଼ିଆ ଭାଷାର ଜନକ’

କଟକ : ସାରଳା ଦାସ ହେଉଛନ୍ତି ଆଧୁନିକ ଓଡ଼ିଆ ଭାଷାର ଜନକ। ପଞ୍ଚଦଶ ଶତାବ୍ଦୀର ଆଦିକାଳରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ସେ ସାହିତ୍ୟକୁ ଲୋକାଭିମୁଖୀ କରିଥିଲେ। ମହାଭାରତରେ ସେ ଯେଉଁ ଶବ୍ଦାବଳୀ ପ୍ରୟୋଗ କରିଛନ୍ତି, ତାହା ବୁଝିବା ପାଇଁ ପାଠକଙ୍କୁ ଶବ୍ଦକୋଷ ଆବଶ୍ୟକ ହେବନାହିଁ। ସମସ୍ତେ ବୁଝିପାରିବା ଭଳି ସରଳ, କଥିତ ଭାଷାର ସେ ବ୍ୟବହାର କରିଛନ୍ତି। ଆଜି ସନ୍ଧ୍ୟାରେ ସ‌ାରଳା ଭବନ‌ରେ ଆୟୋଜିତ ଆଦି କବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଉତ୍ସବ, ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ ଏହା କହିଛନ୍ତି।

ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ କହିଛନ୍ତି ଯେ ସାରଳା ଦାସଙ୍କ ଦ୍ୱାରା ଲିଖିତ ମହାଭାରତ ବାସ୍ତବିକ ଅନନ୍ୟ। ସାରଳାଙ୍କ ମହାଭାରତ କେବଳ ଏକ ସାହିତ୍ୟ କୃତି ନୁହେଁ, ଏଥିରେ ତତ୍କାଳୀନ ଓଡିଶାର ରାଜନୈତିକ, ସାଂସ୍କୃତିକ ଇତିହାସ ଓ ଭୂଗୋଳ ସମ୍ପର୍କରେ ଅନେକ ତଥ୍ୟ ରହିଛି। ତେଣୁ ତାଙ୍କୁ ନିଃସନ୍ଦେହରେ ଆଦିକବି, ଆଦି ଐତିହାସିକ, ଆଦି ଭୂଗୋଳବିତ୍ ଓ ପ୍ରଥମ ସମାଜତତ୍ତ୍ବବିତ୍‌ ଭାବେ ମଧ୍ୟ ବର୍ଣ୍ଣନା କରାଯାଇପାରେ। ସାରଳା ମହାଭାରତରେ ବର୍ଣ୍ଣନା ହୋଇଥିବା ପର୍ବପର୍ବାଣି, ପଞ୍ଚଦଶ ଶତାବ୍ଦୀର ଲୋକ ଚରିତ୍ର ସଂପର୍କିତ ବର୍ଣ୍ଣନା ତତ୍କାଳୀନ ସାମାଜିକ ଓ ଆର୍ଥିକ ଅବସ୍ଥାର ସୂଚନା ପ୍ରଦାନ କରେ ଏବଂ ନାରୀ ଚରିତ୍ରର ଆତ୍ମବିଶ୍ବାସ ଓ ସାହସକୁ ଉନ୍ମୋଚିତ କରେ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କ ନାମ ନେଇ ଶ୍ରୀ ନାଇଡୁ କହିଥିଲେ ଯେ ଯାଜ୍ଞସେନୀରେ ଦ୍ରୌପଦୀଙ୍କୁ ବଳିଷ୍ଠ ଚରିତ୍ର ଭାବେ ଉପସ୍ଥାପନ କରି ସେ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି। ସାରଳା ଦାସଙ୍କ ମହାଭାରତରେ ସ୍ଥାନ ପାଇଥିବା ସ୍ଥାନୀୟ ଘଟଣା ପ୍ରତ୍ୟେକ ଓଡିଆଙ୍କ ଜୀବନରେ ପ୍ରତିଫଳିତ। ସାରଳା ସାହିତ୍ୟ ସଂସଦ ସାରଳା ଦାସଙ୍କ ୬୦୦ତମ ଜନ୍ମ ଶତବାର୍ଷିକୀ ପାଳନ କରିବା ଯଥାର୍ଥ।

ଏହି ଅବସରରେ ଉପରାଷ୍ଟ୍ରପତି ରାଜ୍ୟରେ ମାତୃଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁ‌ତ୍ୱ ଆରୋପ କରିଥିଲେ। ପ୍ରାଥମିକସ୍ତର ପର୍ୟ୍ୟନ୍ତ ବିଦ୍ୟାଳୟ ଶିକ୍ଷାର ମାଧ୍ୟମ ମାତୃଭାଷା ବା ସ୍ଥାନୀୟ ଭାଷାରେ ସୁନିଶ୍ଚିତ କରିବା, ଲୋକମାନଙ୍କ ସହ ଯୋଗାଯୋଗ ସ୍ଥାପନ ନିମନ୍ତେ ପ୍ରଶାସନ ଓ ବିଚାର ବିଭାଗରେ ସ୍ଥାନୀୟ ଭାଷାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି କହିବା ସହିତ ଆଜିକାଲିର ଯୁବପିଢି ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି କରିବା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂଜିନିୟର ଡକ୍ଟର ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ‌ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓଡ଼ିଆ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ସିଦ୍ଧେଶ୍ବର ପରିଡ଼ା ବା ସାରଳା ଦାସଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ। ‘କଳିଙ୍ଗ ରତ୍ନ’ ଉପାଧିରେ ଭୂଷିତ ହୋଇଥିବା ଆନ୍ଧପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାରଳା ଦାସଙ୍କ ମହାଭାରତ କେବଳ ଏକ ଅନୁବାଦ ଗ୍ରନ୍ଥ ନୁହେଁ ଏହା ତାଙ୍କର ନିଜସ୍ବ ମୌଳିକ କୃତି ବୋଲି କହିଥିଲେ। ସଂସ୍କୃତ ମହାଭାରତଠାରୁ ଏହା ସ୍ବତନ୍ତ୍ର। ସମାଜ ସଂସ୍କାର କ୍ଷେତ୍ରରେ ଏହି ଗ୍ରନ୍ଥର ପ୍ରମୁଖ ଭୂମିକା ରହିଥିଲା। ଯେଉଁଥିପାଇଁ ରାଜା କପିଳେନ୍ଦ୍ର ଦେବ ତାଙ୍କୁ ସମ୍ମାନିତ କରିଥିଲେ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ସେହିଭଳି ଅନ୍ୟତମ ସମ୍ମାନିତ ଅତିଥି କେନ୍ଦ୍ରମନ୍ତ୍ରୀ ‌ଧର୍ମେନ୍ଦ୍ର ପ୍ରଧାନ ଭାଷା ହିଁ ସଂସ୍କୃତିର ନାଭିକେନ୍ଦ୍ର ବୋଲି କହିଥିଲେ। ଓଡ଼ିଆ ଭାଷା‌ କେବଳ ଏକ ଆଞ୍ଚଳିକ ଭାଷା ନୁହେଁ, ହଜାର ହଜାର ବର୍ଷ ଧରି ଏ ଭାଷା ବଂଚିଛି। ଭାରତ ସରକାର ଓଡ଼ିଆ ଭାଷାକୁ ସାଂସ୍କୃତିକ ଭାଷାର ମାନ୍ୟତା ଦେବା ଆମ ପାଇଁ ଗୌରବର କଥା। ଆଉ ମାତ୍ର ୧୪ ବର୍ଷ ପରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ପାଳନକୁ ଶହେ ବର୍ଷ ପୂରିବ। ତେଣୁ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଓଡ଼ିଶା ପାଇଁ ଏହା ଏକ ବଡ ଆହ୍ବାନ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏହି ଅବସରରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାରଳା ସାହିତ୍ୟ ସଂସଦର ସର୍ବ‌ଶ୍ରେଷ୍ଠ ସମ୍ମାନ ‘କଳିଙ୍ଗ ରତ୍ନ’ ସମ୍ମାନରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ସମ୍ମାନିତ କରିଥିଲେ। ସାରଳା ସାହିତ୍ୟ ସଂସଦର ସଂପାଦକ ସହଦେବ ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥଲେ। କାର୍ଯ୍ୟକ୍ରମକୁ ସଂଜିତ ପଟ୍ଟନାୟକ ଓ ଦିପ୍ତୀ ସଂ‌ଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe