୧୬ରେ ଆସିବେନି ଉପରାଷ୍ଟ୍ରପତି, ଘୁଞ୍ଚିବ ସମାବର୍ତନ ଓ ଶିଳାନ୍ୟାସ ପର୍ବ

Advertisment
୧୬ରେ ଆସିବେନି ଉପରାଷ୍ଟ୍ରପତି, ଘୁଞ୍ଚିବ ସମାବର୍ତନ ଓ ଶିଳାନ୍ୟାସ ପର୍ବ

ଭୁବନେଶ୍ୱର : ଚଳିତ ମାସ ୧୬ ତାରିଖରେ ହେବାକୁ ଥିବା ଭୁବନେଶ୍ୱର ଏମ୍‌ସର ସମାବର୍ତନ ଉତ୍ସବ ପୁଣି କିଛି ଦିନ ଘୁଞ୍ଚିବ। ସେଦିନ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟାନାଇଡ଼ୁ ଯୋଗ ଦେଇପାରୁ ନଥିବାରୁ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଥିବା ସୂଚନା ମିଳିଛି। ତେଣୁ ସମାବର୍ତନ ଉତ୍ସବ ସହ ପ୍ରସ୍ତାବିତ ବହୁ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ବାତିଲ୍‌ ହୋଇଯାଇଛି। ଏ ନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ କୌଣସି ଲିଖିତ ଚିଠି ଏମ୍‌ସ କର୍ତୃପକ୍ଷଙ୍କ ନିକଟକୁ ଆସି ନଥିଲେ ମଧ୍ୟ ଫୋନ୍‌ ଯୋଗେ ଏହି ସୂଚନା ମିଳିଛି। ଚିଠି ଖୁବ୍‌ ଶୀଘ୍ର ପହଞ୍ଚିବାର ସୂଚନା ନଥିବାରୁ ସମାବର୍ତନ ଉତ୍ସବ ପାଇଁ ଯେଉଁ ଯୁଦ୍ଧକାଳୀନ ପ୍ରସ୍ତୁତି ଚାଲିଥିଲା, ତାହା ଧିମେଇ ଯାଇଛି। ଆପାତତଃ ୧୬ ତାରିଖର କାର୍ଯ୍ୟକ୍ରମ ବନ୍ଦ ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପାସ୍‌ ଆଉଟ୍‌ ଛାତ୍ରଛାତ୍ରୀମାନଙ୍କ ବହୁ ପ୍ରତୀକ୍ଷିତ ସମାବର୍ତନ ଉତ୍ସବ ଘୁଞ୍ଚି ଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେହିଭଳି ବାଲେଶ୍ୱରରେ ଶିଳାନ୍ୟାସ ହେବାକୁ ଥିବା ସାଟେଲାଇଟ୍‌ ସେଣ୍ଟର୍‌ ପୁଣି ଘୁଞ୍ଚି ଯାଉଥିବାରୁ ସେଠାରେ ମଧ୍ୟ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜି ଏହି ଖବର ପ୍ରଚାରିତ ହେବା ପରେ ବିଶେଷକରି ପାସ୍‌ ଆଉଟ୍‌ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୨୦୧୨ ମସିହାର ମେଡିକାଲ ଛାତ୍ରଛାତ୍ରୀ ଓ ୨୦୧୩ ମସିହାର ନର୍ସିଂ ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ସମ୍ବର୍ଧିତ ହୋଇଥାଆନ୍ତେ। ଉପରାଷ୍ଟ୍ରପତିଙ୍କ ହାତରୁ ପ୍ରମାଣପତ୍ର ପାଇବା ଓ ସମ୍ବର୍ଧିତ ହେବେ ବୋଲି ସେମାନେ ବହୁ ଖୁସି ଥିଲେ। ତେଣୁ ରାଜ୍ୟ ବାହାରର ଛାତ୍ରଛାତ୍ରୀମାନେ ୧୬ ତାରିଖରେ ଭୁବନେଶ୍ୱର ଆସିବା ପାଇଁ ଆଗୁଆ ଫ୍ଲାଇଟ୍‌ ଓ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରି ସାରିଥିଲେ। ମାତ୍ର ଆଜି ବାତିଲ୍‌ ହୋଇଯିବା ଖବର ପାଇବା ପରେ ସେମାନେ ହତାଶ ହୋଇପଡ଼ିଛନ୍ତି। ଗତ ଡିସେମ୍ବରରେ ହେବାକୁ ଥିବା ଏହି ଉତ୍ସବ ବାରମ୍ବାର ବାତିଲ୍‌ ହେଉଥିବାରୁ ଛାତ୍ରଛାତ୍ରୀ ତଥା ଏମ୍‌ସ ପ୍ରତି ସରକାରଙ୍କ ଦରଦ ନାହିଁ ବୋଲି ବହୁ ଛାତ୍ରଛାତ୍ରୀ ଜଣାଇଛନ୍ତି। ପାର୍ଲ୍ୟାମେଣ୍ଟ ଚାଲିଥିବାରୁ କିଛି ମନ୍ତ୍ରୀଙ୍କ ଅନୁପସ୍ଥିତି ପାଇଁ ଏହି କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି ବୋଲି ଅଭିଯୋଗ ହେଉଛି। ସେହିଭଳି ଏମ୍‌ସ କର୍ତୃପକ୍ଷ ମଧ୍ୟ ୧୬ ତାରିଖ ପାଇଁ ବିଭିନ୍ନ ବାବଦରେ ଆଡ୍‌ଭାନ୍‌ସ କରିଥିଲେ। ଉତ୍ସବ ଘୁଞ୍ଚୁଥିବାରୁ ସେ ବାବଦରେ କ୍ଷତିଗ୍ରସ୍ତ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୧୬ ତାରିଖ ସମାବର୍ତନ ଉତ୍ସବରେ ଯୋଗ ଦେଇ ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟାନାଇଡ଼ୁ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ବାଲେଶ୍ୱର ସାଟେଲାଇଟ୍‌ ସେଣ୍ଟର୍‌ର ଶିଳାନ୍ୟାସ କରିବାର ଥିଲା। ସେହିଭଳି ଏମ୍‌ସ ପରିସରରେ ତରଳ ଅମ୍ଳଜାନ ପ୍ଲାଣ୍ଟ ଉଦ୍‌ଘାଟନ ସହ ନାଲ୍‌କୋ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଧର୍ମଶାଳା, ଏନ୍‌ଟିପିସି ଦ୍ୱାରା ନିର୍ମାଣ ହେବାକୁ ଥିବା ବର୍ଣ ୟୁନିଟ୍‌ର ଶିଳାନ୍ୟାସ କରିଥାନ୍ତେ। ସୂଚନାନୁସାରେ ଏହି ଉତ୍ସବକୁ ଚଳିତ ମାସରେ ହିଁ ସମ୍ପନ୍ନ କରିବାକୁ ପ୍ରସ୍ତୁତି ଚାଲିଛି ଓ ୨୬ ତାରିଖରେ ଏହା ସମାହିତ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe