ବାଲିଯାତ୍ରା ଆୟୋଜନକୁ ନେଇ ଅସନ୍ତୁଷ୍ଟ ପ୍ରଭାତ ତ୍ରିପାଠୀଙ୍କର ଭିନ୍ନ ଭିଡିଓ ଭାଇରାଲ୍

ବାଲିଯାତ୍ରା ଆୟୋଜନକୁ ନେଇ ଅସନ୍ତୁଷ୍ଟ ପ୍ରଭାତ ତ୍ରିପାଠୀଙ୍କର ଭିନ୍ନ ଭିଡିଓ ଭାଇରାଲ୍

କଟକ: ବାଲିଯାତ୍ରା ଆୟୋଜନକୁ ନେଇ ପ୍ରଥମେ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ପ୍ରଭାତ ତ୍ରିପାଠୀଙ୍କର ଅନ୍ୟ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ବାଲିଯାତ୍ରାକୁ ନେଇ ଜିଲା ପ୍ରଶାସନକୁ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ଏହାଏକ ନୂଆ ମୋଡ଼ ନେଇଛି।
ତେବେ ଏହି ଇନଷ୍ଟାଗ୍ରାମ ଭାଇରାଲ ଭିଡିଓ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ। ଏହି ଭିଡିଓ ମୋ ବିରୋଧରେ ଖରାପ ଉଦ୍ଦେଶ୍ୟ ରଖି କରାଯାଇଛି। ମୁଁ ମୋର କଥାକୁ ପରିବର୍ତ୍ତନ କରିନି। ୧୮ ତାରିଖରେ ସାମ୍ବାଦିକ ସମ୍ମିଳନୀରେ ମୋର ଯେଉଁ ମତ ରହିଥିଲା ସେହି ମତ ମହାନଗର ପୂଜା କମିଟି ଓ ଶାନ୍ତି କମିଟି ବଜାୟ ରଖିଛି। ସମ୍ପୂର୍ଣ୍ଣ ବାଲିଯାତ୍ରାରେ କେତେ ଆୟ ବ୍ୟୟ ହୋଇଛି ତାହା ଅଡିଟ ହେବା ଆବଶ୍ୟକ। ଏହାଛଡା ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବରେ ବାଲିଯାତ୍ରାରେ ହସ୍ତକ୍ଷେପ କରନ୍ତୁ ବୋଲି ପୁଣି ଦାବି କରିଛନ୍ତି ପ୍ରଭାତ ତ୍ରିପାଠୀ।

ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ନିର୍ଦ୍ଦିଷ୍ଟ କେତେଜଣ ଅଧିକାରୀଙ୍କ ମନମାନିରେ ଆୟୋଜନ ହେଲା। କଟକର ପ୍ରଚଳିତ ପରଂପରା ଅନୁଯାୟୀ କାର୍ଯ୍ୟକ୍ରମ ଆୟୋଜନରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ପୂଜା କମିଟି, ଶାନ୍ତି କମିଟି କର୍ମକର୍ତ୍ତା ଅଥବା ଲୋକ ପ୍ରତିନିଧିଙ୍କୁ ସାମିଲ କରାଗଲା ନାହିଁ। ଅତିଥି ନିମୟନ୍ତ୍ରଣ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖାହେଲା। ଏଥର ବାଲିଯାତ୍ରାକୁ ଯେଭଳି ଢଙ୍ଗରେ ଆୟୋଜନ କରାଯାଇଛି, ତାହାର ଆୟବ୍ୟୟର ଅଡିଟ୍ ହେବା ଆବଶ୍ୟକ। କଟକ ବାଲିଯାତ୍ରାକୁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ହାତରେ ନ ଛାଡ଼ି ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ବ ନିଅନ୍ତୁ। ଆଜି କଟକର ସର୍କିଟ୍ ହାଉସଠାରେ ଶାନ୍ତି କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ମହାନଗର ପୂଜା କମିଟିର ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବାଲିଯାତ୍ରା ଆୟୋଜନକୁ ନେଇ ଏଭଳି କ୍ଷୋଭ ପ୍ରକାଶ କରିଥିଲେ।
ଶ୍ରୀ ତ୍ରିପାଠୀ କହିଥିଲେ ଯେ କଟକ ଜିଲ୍ଲା ସଂସ୍କୃତି ସମିତି ପକ୍ଷରୁ ବାଲିଯାତ୍ରା ଆୟୋଜନ କରାଯାଇଥିଲା। ମାତ୍ର ଯେଉଁଭଳି ଢଙ୍ଗରେ ଆୟୋଜନ କରାଯିବାର ଥିଲା, ସମିତି ତାହା କରିବାରେ ବିଫଳ ହୋଇଛି। ଉତ୍ସବର ପରିଚାଳନା ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ନିଗମକୁ ଦୂରେଇ ରଖାଯାଇଛି। ସେହିପରି ଜିଲ୍ଲାର ନିର୍ବାଚିତ ପ୍ରତିନିଧି, ମହାନଗର ଅର୍ନ୍ତଭୁକ୍ତ ତିନି ବିଧାୟକ, ମେୟର, କର୍ପୋରେଟରଙ୍କ ସମେତ ପୂଜା କମିଟି ଓ ଶାନ୍ତି କମିଟିକୁ ମଧ୍ୟ ବାଲିଯାତ୍ରା ଆୟୋଜନରେ ସାମିଲ କରାଯାଇ ନାହିଁ। ସହରରେ ଦଶହରା, ଗଣେଶ ପୂଜା, କାଳୀ ପୂଜା, କାର୍ତ୍ତିକେଶ୍ବର ପୂଜା ପରି ବିଭିନ୍ନ ଉତ୍ସବ ଆୟୋଜନ ପୂର୍ବରୁ ପୂଜା କମିଟି ଓ ଶାନ୍ତି କମିଟିକୁ ଡାକି ପ୍ରଶାସନ ଆଲୋଚନା କରିଥାଏ। ମାତ୍ର ବାଲିଯାତ୍ରା ପୂର୍ବରୁ ପ୍ରଶାସନ ତାହା କରିବାରେ ବିଫଳ ହୋଇଛି। ଜିଲ୍ଲା ସଂସ୍କୃତି ସମିତି ସଭାପତି ଜିଲ୍ଲାପାଳ ଓ ହାତଗଣତି କିଛି ଅଧିକାରୀଙ୍କ ନିଷ୍ପତ୍ତିରେ ବାଲିଯାତ୍ରା ଆୟୋଜନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe