Photograph: (https://www.freepressjournal.in/)
ରାୟଗଡା: ମୁନିଗୁଡ଼ା ବ୍ଲକ ଅମ୍ବାଦଳା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୪ଜଣ ଛାତ୍ରଙ୍କୁ ଟିସି ଦେବା ଘଟଣାରେ ନୂଆ ମୋଡ୍। ଛାତ୍ରଙ୍କ ଭିଡିଓ ଭାଇରାଲ୍ କଲେ ପ୍ରଧାନଶିକ୍ଷକ କୋଲା ବାମନମୂର୍ତ୍ତି। ଯେଉଁଥିରେ ୭ରୁ ୮ଜଣ ଛାତ୍ର ଏକାଠି ବସି ନିଶାସେବନ କରୁଛନ୍ତି।
ବିଶୃଙ୍ଖଳା କରୁଥିବା ଦର୍ଶାଇ ଉପରୋକ୍ତ ବିଦ୍ୟାଳୟର ୪ଜଣ ଛାତ୍ରଙ୍କୁ ଟିସି ଦେଇଥିଲେ ପ୍ରଧାନଶିକ୍ଷକ। ଏହାପରେ ପରୀକ୍ଷରୁ ବଞ୍ଚିତ ହୋଇ ଜଣେ ଛାତ୍ର ମୂଲ ଲାଗିବାକୁ କେରଳ ଚାଲି ଯାଇଥିବା ବେଳେ ଅନ୍ୟ ୩ଜଣ ଛାତ୍ର ପାଠପଢ଼ାରୁ ବଞ୍ଚିତ ହୋଇଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଧାନଶିକ୍ଷକ କୋଲା ବାମନମୂର୍ତ୍ତି ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଛାତ୍ରମାନେ ନିଶାସବନ କରୁଥିବା ଭିଡିଓ ହ୍ବାଟସ୍ଆପ୍ ଗ୍ରୁପ୍ରେ ପୋଷ୍ଟ କରିଥିଲେ। ସାମାଜିକ ଗଣମାଧ୍ୟମରେ ବିଦ୍ୟାଳୟ ପରିସରରେ ଛାତ୍ର ନିଶାସେବନ କରୁଥିବା ଭିଡିଓ ଭାଇରାଲ୍ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟର ପିଲା ଅବାଟରେ ଯିବା ଘଟଣାକୁ ନେଇ ଜିଲ୍ଲା ବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। ଅବାଟରେ ଯାଉଥିବା ପିଲାଙ୍କୁ ସୁଧାରିବା ପାଇଁ ସୁଯୋଗ ଦେବା ସହ ଶୃଙ୍ଖଳିତ କରିବା ପ୍ରଧାନଶିକ୍ଷକଙ୍କ ଦାୟିତ୍ବ। କିନ୍ତୁ ପ୍ରଧାନଶିକ୍ଷକ ପ୍ରଥମେ ଟିସି ଦେଲେ, ଏହାପରେ ଭିଡିଓ ଭାଇରାଲ୍ କରି କ’ଣ ପ୍ରମାଣିତ କରିବାକୁ ଚାହୁଛନ୍ତି ବୋଲି ପ୍ରଶ୍ନ ଉଠିଛି। ପ୍ରଧାନଶିକ୍ଷକଙ୍କ ଏଭଳି ଦାୟିତ୍ବହୀନତା ଆଦୌ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।
ପୂର୍ବରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ଟିସି ଦିଆଯିବା ଘଟଣାର ତଦନ୍ତ କରିବେ ବୋଲି କହିଥିଲେ। ଏବେ ପ୍ରଧାନଶିକ୍ଷକ ନିଶାସେବନ ଭିଡିଓ ପୋଷ୍ଟ କରିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତାଗିଦ୍ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତାଗିଦ୍ ପରେ ପ୍ରଧାନଶିକ୍ଷକ ଉକ୍ତ ଭିଡିଓଙ୍କୁ ଡିଲିଟ୍ କରିଛନ୍ତି। କିନ୍ତୁ ସେତେବେଳକୁ ଭିଡିଓ ଭାଇରାଲ୍ ହୋଇ ସାରିଥିଲା। ତେଣୁ ଖୁବ୍ଶୀଘ୍ର ଏଡିଡବ୍ଲ୍ୟୁଓ, ଡିଆଇ ଓ ଅନ୍ୟ ଅଧିକାରୀ ମିଳିତ ଭାବେ ଏହି ଘଟଣାରେ ତଦନ୍ତ କରିବେ। ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଓ ବିଭାଗକୁ ପ୍ରଦାନ କରାଯିବ ବୋଲି ଡିଡବ୍ଲ୍ୟୁଓ ଶ୍ରୀମତୀ ରାଓ ପ୍ରକାଶ କରିଛନ୍ତି। ଟିସି ଦିଆଯାଇଥିବା ଛାତ୍ରଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି। ଅନ୍ୟପଟେ ମଙ୍ଗଳ ବିଭାଗରେ ଏଭଳି କାର୍ଯ୍ୟଶୈଳୀକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
Follow Us