ଲୁଟିନେଲେ ବିଧାନସଭା ସମ୍ପତ୍ତି

Advertisment

ଏସି, ଟିଭି, କବାଟ, ଝରକା ତାଡ଼ିନେଲେ

ଏସି, ଟିଭି, କବାଟ, ଝରକା ତାଡ଼ିନେଲେ

ଲୁଟିନେଲେ ବିଧାନସଭା ସମ୍ପତ୍ତି

ଅବାଟରେ ସରକାରୀ ଅର୍ଥ, ଜଙ୍ଗଲ ପାଲଟିଛି ଅତିଥିଗୃହ

ପୁରୀ : ଆଉ କାହାର ସମ୍ପତ୍ତି ନୁହେଁ, ଖୋଦ୍‌ ବିଧାନସଭାର ସମ୍ପତ୍ତି। ଆକଳନ କଲେ ମୂଲ୍ୟ କୋଟି କୋଟି ଟଙ୍କା ହେବ। ସବୁକିଛି ଲୁଟି ନେଇଛନ୍ତି ଦୁର୍ବୃତ୍ତ। କାଠ ପଟାଟିଏ ବି ଛାଡ଼ିନାହାନ୍ତି। ଏଭଳି ଦୟନୀୟ ସ୍ଥିତିରେ ପଡ଼ିଛିି ପୁରୀ ତାଳବଣିଆରେ ଥିବା ବିଧାନସଭା ଅତିଥି ଭବନ । ୯ ବର୍ଷ ତଳେ ତିଆରି ହୋଇଥିବା ଏହି ଅତିଥି ଭବନ ଜଗାରଖା ଅଭାବରୁ ଏବେ ଭୂତକୋଠି ପାଲଟିଛିି। ଦୁର୍ବୃତ୍ତମାନେ ଏହା ଭିତରେ ଅବାଧରେ ପଶି ଟିଭି, ଏସି ଭଳି ଦାମୀ ଜିନିଷ ସବୁ ଲୁଟି ନେଇଛନ୍ତି। କବାଟ, ଝରକା ବି ଛାଡ଼ି ନାହାନ୍ତି ଏମାନେ। ଅବସ୍ଥା ଏପରି ହୋଇଛି ଯେ ସଂଧ୍ୟା ଗଡ଼ିଲେ ନିତି ଏଠାରେ ମଦ୍ୟପ, ଜୁଆଡ଼ିଙ୍କ ଭିଡ଼ ଜମୁଛି।

ଶ୍ରୀକ୍ଷେତ୍ର ପୁରୀ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାଙ୍ଗକୁ ଜଗତରନାଥ ଜଗନ୍ନାଥଙ୍କ କ୍ଷେତ୍ର ହୋଇଥିବାରୁ ମନ୍ତ୍ରୀ, ବିଧାୟକମାନେ ଅଧିକାଂଶ ସମୟ ଏଠାକୁ ଗସ୍ତ କରନ୍ତି। କିନ୍ତୁ ଗସ୍ତ ସମୟରେ ମନ୍ତ୍ରୀ, ବିଧାୟକମାନେ ରହଣି ପାଇଁ ଅସୁବିଧା ଭୋଗିବାରୁ ଏହାକୁ ନଜରରେ ରଖି ପୁରୀରେ ବିଧାନସଭା ଅତିଥି ଭବନର ପରିକଳ୍ପନା କରାଯାଇଥିଲା। ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ବାଚସ୍ପତି ଥିବା ସମୟରେ ଏହି ଯୋଜନା ପ୍ରସ୍ତୁତ ହୋଇଥିଲା। ବିଧାନସଭା ଅତିଥି ଭବନର ପ୍ରସ୍ତାବ ପାରିତ ହେବା ପରେ ଏ ନେଇ ତାଳବଣିଆଠାରେ ଏକ ସରକାରୀ ଜାଗା ଚିହ୍ନଟ ହୋଇଥିଲା। ୨ ଏକରରୁ ଅଧିକ ପରିସୀମା ବିଶିଷ୍ଟ ଏହି ସରକାରୀ ଜାଗାରେ ଅଭ୍ୟର୍ଥନା କକ୍ଷ ସାଙ୍ଗକୁ ୪ଟି ଅତିଥି ଗୃହ କରିବାକୁ ସ୍ଥିର ହୋଇଥିଲା। କୋଟିଏରୁ ଅଧିକ ଟଙ୍କାର ଅନୁମୋଦନ ପରେ ପୂର୍ତ ବିଭାଗକୁ ଏହି କାର୍ଯ୍ୟ ହସ୍ତାନ୍ତର କରାଯାଇଥିଲା। ୨୦୦୮-୦୯ ଆର୍ଥିକ ବର୍ଷରେ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସଂପୃକ୍ତ ବିଭାଗୀୟ କର୍ତୃପକ୍ଷଙ୍କୁ ଏହା ହସ୍ତାନ୍ତର କରାଯାଇଥିଲା। ୨୦୦୯ ମାର୍ଚ୍ଚ ୨ରେ ତତ୍କାଳୀନ ବାଚସ୍ପତି କିଶୋର ମହାନ୍ତି ତତ୍କାଳୀନ ସରକାରୀ ମୁଖ୍ୟ ସଚେତକ ବିକ୍ରମ କେଶରୀ ଆରୁଖ ଓ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଥିଲେ। ସଂପୂର୍ଣ୍ଣ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି ବିଧାନସଭା ଅତିଥି ଭବନରେ ଦାମୀ ଏୟାର କଣ୍ଡିସନର୍‌ ସାଙ୍ଗକୁ ଟିଭି, ଫ୍ୟାନ୍‌ ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ ଜିନିଷ ବି ଲଗାଯାଇଥିଲା। ଦାମୀ ଖଟ, ସୋଫା ଓ ଅନ୍ୟାନ୍ୟ ଜିନିଷରେ ଏହାକୁ ସଜାଇ ରଖାଯାଇଥିଲା। ଆଲୁମିନିୟମ୍‌ ଚ୍ୟାନେଲ୍‌ରେ ଦାମୀ କାଚ, ମିରର୍‌ ବି ଲଗାଯାଇଥିଲା। ଆରମ୍ଭରୁ ଏଠାରେ କର୍ମଚାରୀ ନିଯୁକ୍ତିକୁ ନେଇ ବିବାଦ ଦେଖା ଦେଇଥିଲା। ଶେଷରେ ରକ୍ଷଣାବେକ୍ଷଣ ପାଇଁ ଜନୈକ ଜଗୁଆଳିଙ୍କୁ ଏଠାରେ ନିୟୋଜିତ କରାଯାଇଥିଲା। କିନ୍ତୁ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେବେଠୁ ଆଉ କୌଣସି ବ୍ୟକ୍ତିଙ୍କୁ ଏଠାରେ ନିଯୁକ୍ତି ଦିଆଯାଇନି। ସେବେଠୁ ଏହା ସଂପୂର୍ଣ୍ଣ ଶ୍ରୀହୀନ ହୋଇଯାଇଛି।

ସେପଟେ ଯେଉଁ ଲକ୍ଷ୍ୟ ନେଇ ଏହି ଅତିଥି ଭବନକୁ ପ୍ରସ୍ତୁତ କରାଯାଇଥିଲା, ଉଦ୍‌ଘାଟନର ବହୁ ବର୍ଷ ପରେ ବି ତାହା ପୂରଣ ହେଲାନି। ଉଦ୍‌ଘାଟନଠାରୁ ଆଜି ପର୍ଯ୍ୟନ୍ତ ଏଠାରେ କୌଣସି ମନ୍ତ୍ରୀ, ବିଧାୟକଙ୍କୁ ଦେଖିବାକୁ ମିଳିନି। ସେପଟେ ଜଗୁଆଳିଙ୍କ ମୃତ୍ୟୁଠାରୁ ଏଠାରେ ତାଲା ଝୁଲୁଥିବା ଓ କେହି ଏହି ଜାଗା ମାଡ଼ୁନଥିବାରୁ ଘର ଭିତର ଓ ବାହାର ଜଙ୍ଗଲ ପାଲଟିଗଲାଣି। ଲଟାବୁଦାରେ ଏହାର ପରିପୂର୍ଣ୍ଣ ହୋଇଗଲାଣି। ଏହାର ସୁଯୋଗରେ ଦୁର୍ବୃତ୍ତମାନେ କବାଟ, ଝରକା ସବୁ ତାଡ଼ି ଅତିଥି ଗୃହ ଭିତରେ ଲାଗିଥିବା ଏସି, ଟିଭି, ଫ୍ୟାନ୍‌ ଲୁଟି ନେଇଛନ୍ତି। ଦାମୀ ଖଟ, ସୋଫାର ବି ଆଉ ଚିହ୍ନବର୍ଣ୍ଣ ନାହିଁ। ଏପରିକି ଏଠାରେ ଲାଗିଥିବା ବେସିନ୍‌କୁ ବି ଲୋକେ ଚୋରି କରି ନେଇଛନ୍ତି। କବାଟ, ଝରକା ବି ତାଡ଼ି ନିଆଯାଇଛି। ପୁରୀର ଛାତି ଉପରେ ବିଧାନସଭା ସମ୍ପତ୍ତିର ଏପରି ଶ୍ରୀହୀନ ଅବସ୍ଥା ପ୍ରଶାସନିକ ପାରିଆ ପଣିଆ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ଏ ସଂପର୍କରେ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିରୋଜ କୁମାର ଦାଶ କହିଛନ୍ତି, ବିଧାନସଭା ଅତିଥି ଭବନ କାର୍ଯ୍ୟ ଶେଷ ପରେ ବିଧାନସଭା ବିଭାଗୀୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ହସ୍ତାନ୍ତର ପରେ ଏହାର ତତ୍ତ୍ଵାବଧାନ ଦାୟିତ୍ଵ ସେମାନଙ୍କର। ତଥାପି ଅତିଥି ଭବନର ଏପରି ଅବସ୍ଥା ନେଇ ବିରୋଧାଭାଷ ଉଠିବା ପରେ ୪ ମାସ ତଳେ ବିଭାଗୀୟ ସଚିବକୁ ପୂର୍ତ ବିଭାଗ ପକ୍ଷରୁ ଏ ସଂପର୍କରେ ଚିଠି କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ଉତ୍ତର ଆସିନାହିଁ ବୋଲି ସେ କହିଛନ୍ତି। ଚିଠି କରିବା ଗୋଟିଏ ଥର ନୁହେଁ, ଏଥିପୂର୍ବରୁ ବାରମ୍ବାର ଚିଠି କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe