ସମ୍ବଲପୁରରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ସମୀକ୍ଷା: ଶତ ପ୍ରତିଶତ ଘରକୁ ବିଦ୍ୟୁତ୍‌ ଯୋଗାଣ ହେବ

Advertisment

ଭୂମିହୀନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ପାଇଁ ସରକାରଙ୍କୁ ଦେବେ ରିପୋର୍ଟ

ଭୂମିହୀନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ପାଇଁ ସରକାରଙ୍କୁ ଦେବେ ରିପୋର୍ଟ

ସମ୍ବଲପୁରରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ସମୀକ୍ଷା: ଶତ ପ୍ରତିଶତ ଘରକୁ ବିଦ୍ୟୁତ୍‌ ଯୋଗାଣ ହେବ

ସମ୍ବଲପୁର: ଅଧ୍ୟକ୍ଷ ସୁବ୍ରତ ତରାଇଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ଦଶମର ୪ ଜଣିଆ ଦଳ ଶୁକ୍ରବାର ସମ୍ବଲପୁର ସର୍କିଟ ହାଉସ୍‌ ପରିସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଅବକାରୀ ବିଭାଗର ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାର ସହରାଞ୍ଚଳରେ ବିଶେଷ କରି ସମ୍ବଲପୁର, ବୁର୍ଲା ଓ ହୀରାକୁଦରେ ଥିବା ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ସମ୍ପର୍କିତ ସମସ୍ୟା ରହିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ସମସ୍ତ ବସ୍ତି ବାସିନ୍ଦାଙ୍କୁ କିଭଳି ତୁରନ୍ତ ଜମି ପଟ୍ଟା ପ୍ରଦାନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। କେବଳ ଯେ ଜମି ପଟ୍ଟା ନୁହେଁ ବରଂ ସମଗ୍ର ଜିଲ୍ଲାରେ ଜମି ସଂକ୍ରାନ୍ତୀୟ କୌଣସି ବି କାଗଜପତ୍ର ପାଇଁ ଲୋକେ ଯେଭଳି ନିରାଶ ନ ହୁଅନ୍ତି କି ହଇରାଣ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କମିଟି ପରାମର୍ଶ ଦେଇଥିଲେ।

ବର୍ତ୍ତମାନ ଯାଏଁ ଜିଲ୍ଲାସ୍ତରରେ ଏହି କମିଟିର ରିପୋର୍ଟ ପ୍ରାୟତଃ ଠିକ୍‌ ରହିଥିବା ସମୟରେ କମିଟିର ଆସନ୍ତା ଗସ୍ତ ପୂର୍ବରୁ ଯେମିତି ବକେୟା ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେଥିପାଇଁ ଧ୍ୟାନ ଦେବାକୁ କମିଟି ପରାମର୍ଶ ଦେଇଥିଲେ। ସମ୍ବଲପୁର ଜିଲ୍ଲାର ସମସ୍ତ ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲେ ହେଁ ସମସ୍ତ ଘରକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରି ନ ଥିବା କଥା କମିଟି ସ୍ୱୀକାର କରିଥିଲେ। ଏନେଇ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ରିପୋର୍ଟ ପ୍ରଦାନ କରିବେ। ସମସ୍ତ ବିପିଏଲ୍‌ ପରିବାରକୁ ବିଦ୍ୟୁତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଥିବା ଅଧ୍ୟକ୍ଷ ସୁବ୍ରତ ତରେଇ କହିଥିଲେ।

ଘରୋଇ ଶିଳ୍ପାନୁଷ୍ଠାନଗୁଡ଼ିକରେ ଶହ ଶହ କୋଟି ଟଙ୍କା ବକେୟା ରହିଥିବା ସମୟରେ ଏହା ବିଚାରଧୀନ ଥିବା କହି ସରକାର କମ୍ପାନିଗୁଡ଼ିକରୁ ବିଲ୍‌ ଆଦାୟ କରୁନଥିବା ବେଳେ ଗରିବ ଲୋକଙ୍କ ବିଦ୍ୟୁତ୍‌ସଂଯୋଗ କାଟିବା ପାଇଁ ଚେତାବନୀ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ମଧ୍ୟ ସମୀକ୍ଷା କରୁଛନ୍ତି ଓ ଗ୍ରାହକଙ୍କ ବିଦ୍ୟୁତ୍‌ ସଂଯୋଗ ଯେଭଳି ନକଟିବ ସେଥିପାଇଁ ଆଲୋଚନା ଚାଲିଥିବା ସେ କହିଥିଲେ। ସମ୍ବଲପୁର ଜିଲ୍ଲାରେ ଅବକାରୀ ବିଭାଗର ସୀମିତ ମାନବ ସମ୍ବଳରେ କାମ ଠିକ୍‌ ଚାଲିଥିବା କମିଟି ପକ୍ଷରୁ କୁହାଯାଇଥିଲା।

ତେବେ ବିଭାଗରେ କର୍ମଚାରୀଙ୍କ ଘୋର ସଙ୍କଟ ରହିଥିବାରୁ ନିଯୁକ୍ତି ପାଇଁ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଥିଲେ। କିନ୍ତୁ ବିଭାଗର ଜାଣତରେ ବୁର୍ଲା ସହରରେ ବେଆଇନ୍‌ ଭାବେ ମଦ ବିକ୍ରି, ମଦ ଦୋକାନଗୁଡ଼ିକ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ହୋଇଥିଲା।

ବୈଠକରେ କମିଟିର ଅନ୍ୟ ସଦସ୍ୟ ସମ୍ବିତ ରାଉତ, ପର୍ଶୁରାମ ଧଡ଼ା ଓ ମେଷଧୀ ବାଗ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାଏକ, ଉତ୍ତରାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ, ଜିଲ୍ଲାପାଳ ଶୁଭମ୍‌ ସକ୍ସେନା, ଏସ୍‌ପି କନୱର ବିଶାଳ ସିଂହ, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ପିଡି ଡିଆର୍‌ଡିଏ ସୁକାନ୍ତ ତ୍ରିପାଠୀ, ଅବକାରୀ ସୁପରିଟେଣ୍ଡେଣ୍ଟ ହରିଶ୍ଚନ୍ଦ୍ର ସେଠୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe