ଭିଜିଲାନ୍ସ ଜାଲରେ ଚାନ୍ଦବାଲି ଆର୍‌ଆଇ, ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ନେଉଥିଲେ ୩ ହଜାର

Advertisment

ବାଲେଶ୍ବର/ଚାନ୍ଦବାଲି: ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଲାଞ୍ଚ ନେବା ଅଭିଯୋଗରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ସୁବ୍ରତ କୁମାର ମଲ୍ଲିକଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଏ ନେଇ କେସ୍‌ ନଂ ୨୧, ଦୁର୍ନୀତି ନିବାରଣ ଆଇନ୍‌ ୨୦୧୮ ଧାରା ୭ରେ ଏକ ମାମଲା ରୁଜୁ କରି ଭିଜିଲାନ୍ସ ଶ୍ରୀ ମଲ୍ଲିକଙ୍କୁ କୋର୍ଟ ଚାଲାଣ କରିଛି।

ଚାନ୍ଦବାଲି ତହସିଲ ପଣସପଡ଼ା ଅଞ୍ଚଳର କିଶୋର କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତି ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ‌ତେବେ ପ୍ରମାଣପତ୍ର ବାବଦକୁ ଆର୍‌ଆଇ ଶ୍ରୀ ମଲ୍ଲିକ ଆବେଦନକାରୀଙ୍କୁ ୩ ହଜାର ଟଙ୍କା ମାଗିବା ସହ ଟଙ୍କା ନଦେଲେ ପ୍ରମାଣପତ୍ର ମିଳିବ ନାହିଁ ବୋଲି ରୋକଠୋକ କହିଥିଲେ। ଏ ସଂକ୍ରାନ୍ତରେ ଶ୍ରୀ ପଣ୍ଡା ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ରଙ୍କ ନିକଟରେ ଅଭିଯୋଗ କରିବା ପରେ ରାଜସ୍ବ ନିରୀକ୍ଷକଙ୍କୁ ଧରିବାକୁ ଯୋଜନା କରାଯାଇଥିଲା। ତଦନୁଯାୟୀ ଆଜି ସକାଳେ ଶ୍ରୀ ପଣ୍ଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରମାଣପତ୍ର ବାବଦକୁ ଭିଜିଲାନ୍ସ ଦ୍ବାରା ଦିଆଯାଇଥିବା ରାସାୟନିକ ପ୍ରଲେପଯୁକ୍ତ ୩ ହଜାର ଟଙ୍କା ଆର୍‌ଆଇ ଶ୍ରୀ ମଲ୍ଲିକଙ୍କୁ ଦେଇଥିଲେ। କିଛି ସମୟ ପରେ ଭିଜିଲାନ୍ସ ଇନ୍ସପେକ୍ଟର ସୁଲୋଚନା ନାୟକ, ଇନ୍ସପେକ୍ଟର ଡି.କେ.ନାୟକ ଓ ବିଭାଗୀୟ ଷ୍ଟାଫ୍‌ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିଥିଲେ। ଶ୍ରୀ ମଲ୍ଲିକଙ୍କ ପ୍ୟାଣ୍ଟ ପକେଟ୍‌ରୁ ରାସାୟନିକ ବ୍ୟବହୃତ ୩ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସର ଆଉ ଏକ ଟିମ୍‌ ଭଦ୍ରକ ବଡ଼କିଆରିସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ ଜାରି ରଖିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe