ଭୁବନେଶ୍ବର/ସୁବର୍ଣ୍ଣପୁର: ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସ୍ପେସାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଦୀପକ କୁମାର ଅଗ୍ରୱାଲ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଆଜି ଉଭୟଙ୍କୁ ରାଉରକେଲାରୁ ଗିରଫ କରିଛି ଭିଜିଲାନ୍ସ। ସୋନପୁର ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ଶହେ ସିଟ୍ ବିଶିଷ୍ଟ ହଷ୍ଟେଲର ନିର୍ମାଣରେ ଅର୍ଥ ତୋଷାରପାତ ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭଲ ଜିନିଷ ଲଗେଇବା ବଦଳରେ ଚାଲୁ ଜିନିଷ ବ୍ୟବହାର କରାଯାଇଛି। ବ୍ରାଣ୍ଡେଡ ଓ ଦାମୀ କମ୍ପାନିର ଉପକରଣ ବ୍ୟବହାର ପାଇଁ ନିର୍ଦେଶ ଥିବା ବେଳେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଛନ୍ତି କଣ୍ଟ୍ରାକ୍ଟର। ଭିଜିଲାନ୍ସ ଏ ମାମଲାର ତଦନ୍ତ କରୁଥିବା ଶୁଣି କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲ ଫେରାର ହୋଇଯାଇଥିଲେ।
ସୂଚନାଯୋଗ୍ୟ, ଅନୁସୂଚିତ ଜାତି ଛାତ୍ରନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୫ ତାରିଖ ଦିନ ଜିଲ୍ଲା କାର୍ଯ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ପତ୍ର ସଂଖ୍ୟା ୧୧୧୧, ତା. ୫.୭.୨୦୨୩ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ସୋନପୁର ଭିଜିଲାନ୍ସ ଟିମ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ। ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଥିଲେ।
ଭୁବନେଶ୍ବର ଆଇଆର୍ସି ଭିଲେଜର ପ୍ଲଟ ନଂ. ୧/୨୦୭ରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନ୍ଷ୍ଟ୍ରକସନ ଲିଃ.(ଏଚ୍ଏସ୍ସିଏଲ୍) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭-୧୮ରେ ସ୍ବତନ୍ତ୍ର ଆର୍ଏଲ୍ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା।
Follow Us