ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ

Advertisment
ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର ଆଣ୍ଡ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ‌ବେଳେ ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ସମ୍ପତ୍ତି ଦେଖି ଅଧିକାରୀ ତାଜୁବ୍‌ ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ ନି‌ର୍ଦ୍ଦେଶ କ୍ରମେ ଭିଜିଲାନ୍ସର ୯ଟି ଟିମ୍‌ ଗତକାଲି ଶ୍ରୀ ମିଶ୍ରଙ୍କ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅବାସିକ ଘର, କଟକ ଆଠଗଡ଼ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ କରି ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ।

ଚଢ଼ଉ ବେଳେ ଭୁବନେଶ୍ବର ଓ ଝାରସୁଗୁଡ଼ାରୁ ଶ୍ରୀ ମିଶ୍ରଙ୍କ ୧୦ଟି ବିଳାସପୂର୍ଣ୍ଣ ଫ୍ଲାଟ ଠାବ କରାଯଇଛି। କେବଳ ଭୁବନେଶ୍ବରର ନୀଳାଦ୍ରିବିହାର, ଆଇଗିଣିଆ, ଭରତପୁର, ହଂସପାଳ ଅଞ୍ଚଳରେ ଥିବା ପ୍ରତିଷ୍ଠିତ ଆପାର୍ଟମେଣ୍ଟରେ ବାବୁଙ୍କର ୭ଟି ଦାମୀ ଫ୍ଲାଟ ରହିଛି। ବାକି ଝାରସୁଗୁଡ଼ାରେ ୩ଟି ଫ୍ଲାଟ ରହିଛି। ୧୦ଟି ଫ୍ଲାଟର ମୂଲ୍ୟ ୧୫ କୋଟିରୁ ଊର୍ଧ୍ବ ଟଙ୍କା ହେବ। ସେହିପରି ଭୁବନେଶ୍ବର, କଟକ, ଜଟଣୀର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ ରହିଛି। ଯାହାର ମୂଲ୍ୟ ୨.୫ କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘରୁ ନଗଦ ୬ ଲକ୍ଷ ଟଙ୍କା, ୩୭୦ ଗ୍ରାମ ହୀରା, ୨.୫୫୫ କେଜି ସୁନା ଗହଣା, ୧୩ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ଘଡ଼ି, ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଗୋଟିଏ ମର୍ସିଡିଜ୍‌, ଗୋଟିଏ କିଆ କାର୍‌ ଠାବ କରାଯାଇଛି। ବୀମା ଓ ବଣ୍ଡ୍‌ ଜମା ମଧ୍ୟ ଥିବା ଜଣାପଡ଼ିଛି। ଏକାଧିକ ବ୍ୟାଙ୍କର ଲକର ଠାବ କରାଯିବା ସହ ‌କିଛି ବ୍ୟାଙ୍କର ଜମା ହିସାବ କରାଯାଇଛି। ଏପର୍ଯ୍ୟନ୍ତ ହୋଇଥିବା ହିସାବରୁ ବ୍ୟାଙ୍କରେ ୨.୭କୋଟି ଟଙ୍କା ଜମାଥିବା ଟିମ୍‌ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe