ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ମାଲକାନଗିରି: ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। କଟକର ଭିଜିଲାନ୍ସ ଟିମ୍ ମାଲକାନଗିରିରେ ପହଞ୍ଚି ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି। ଆଇନଜୀବୀ ନୃସିଂହ ଚରଣ ମହାନ୍ତି ଏହି ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ଲାଗି ଲୋକାୟୁକ୍ତଙ୍କ ନିକଟରେ ମକଦ୍ଦମା କରିଥିଲେ।

publive-image
ସୂଚନାଯୋଗ୍ୟ, ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ନାଁରେ ୨୦୨୧ ଜୁନରେ କଂଗ୍ରେସ ପକ୍ଷରୁ ଟେଣ୍ଡର ଫିକ୍ସିଂ ଅଭିଯୋଗ ହୋଇଥିଲା।
କଂଗ୍ରେସ ପକ୍ଷରୁ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ୟେଦୁଲା ବିଜୟଙ୍କ ବିରୋଧରେ ବି ଏତଲା ଦାୟର ହୋଇଥିଲା। ଏତଲାରେ ଦର୍ଶାଯାଇଥିଲା ଯେ ଗତ ମାର୍ଚ୍ଚ ମାସରେ ମାଲକାନଗିରି ଜିଲ୍ଲାର ସବୁ ତହସିଲ ଅଧୀନରେ ରହିଥିବା ଲଘୁ ଖଣିଜ ସଂପଦର ନିଲାମ ପାଇଁ ଉଦ୍ଧିଷ୍ଟ ଆଇନଗତ ବିଧି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଲଙ୍ଘନ କରି ତତ୍କାଳୀନ ଜିଲ୍ଲାପାଳ ଟେଣ୍ଡର ବିଜ୍ଞପ୍ତିକୁ ନିଜ କାର୍ଯ୍ୟାଳୟରୁ ଆହ୍ବାନ କରିଥିଲେ। ଟେଣ୍ଡର ଆବେଦନର ସମାପ୍ତି ପରେ ମାର୍ଚ୍ଚ ୨୦ ତାରିଖ ଦିନ ସଂଧ୍ୟା ୫ଟା ୩୦ ମିନିଟ୍ ସମୟରେ ଟେଣ୍ଡର ବାକ୍ସଗୁଡିକକୁ ନେଇ ନିଜ ବାସଭବନରେ କିଛି ଅସାଧୁ କର୍ମଚାରୀଙ୍କ ସହାୟତାରେ ସିଲ ଥିବା ଦୁଇଟି ଟେଣ୍ଡର ବାକ୍ସକୁ ଖୋଲାଯାଇଥିଲା । ଆନ୍ଧ୍ରପ୍ରଦେଶର ଜଣେ ଖଣି ବ୍ୟବସାୟୀ ସି.ଏଚ.ବେଣୁଗୋପାଲଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଇ ଟେଣ୍ଡର ବାକ୍ସରେ ଥିବା ଟେଣ୍ଡର ପେପରକୁ ହେରଫେର କରି ଅତି ଚତୁରତାର ସହ ତିନି ଦିନ ପରେ ଅର୍ଥାତ ମାର୍ଚ୍ଚ ୨୩ ତାରିଖ ଦିନ ୧ ଘଣ୍ଟା ୪୦ ମିନିଟରେ ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗ ରୁମରେ ପଠାଇଥିଲେ।
ଗତ ମାର୍ଚ୍ଚ ୨୦ ତାରିଖରେ ଟେଣ୍ଡର ପକାଇଥିବା ବ୍ୟକ୍ତି ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟର କିଛି ଅଧିକାରୀମାନଙ୍କ ଉପସ୍ଥିତିରେ ଟେଣ୍ଡର ବାକ୍ସରେ ଦସ୍ତଖତ କରାଗଲା ଏବଂ ଏହାକୁ କୋଷାଗାରକୁ ପଠାଇ ଦିଆଯାଉଛି ବୋଲି କୁହାଗଲା।କିନ୍ତୁ ତାହା ସେହି ଦିନ ବଦଳରେ ତିନି ଦିନ ପରେ ଅର୍ଥାତ ୨୩ ତାରିଖରେ କୋଷାଗାରରେ ପହଞ୍ଚିଥିଲା।ସେହିପରି ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମ ମୋଟୁ ତହସିଲଦାର କୌଣସି ତଥ୍ୟ ନଥାଇ ବେଣୁଗୋପାଳଙ୍କ ଜମି ଓ କୋଠାବାଡ଼ିର ମୂଲ୍ୟ ୫ କୋଟି ଟଙ୍କା ଥିବାର ରିପୋର୍ଟ ପ୍ରଦାନ କଲେ ଏବଂ ଉପଜିଲ୍ଲାପାଳଙ୍କୁ ଏକ କୋଟି ଟଙ୍କାର ସଲଭେନସି ପ୍ରମାଣ ପତ୍ର ଦେବା ପାଇଁ ସୁପାରିଶ କରିଥିଲେ। ପରବର୍ତ୍ତୀ ସମୟରେ ଉପଜିଲ୍ଲାପାଳ ମଧ୍ୟ ଏକ କୋଟି ଟଂକାର ସଲଭେନସି ପ୍ରମାଣ ପତ୍ର ତରବରିଆ ଭାବେ ବେଣୁ ଗୋପାଲଙ୍କୁ ପ୍ରଦାନ କରିଥିଲେ।ଏହି ଏକ କୋଟି ସଲଭେନସି ପ୍ରମାଣ ପତ୍ରକୁ ଆଧାର କରି ତତ୍କାଳୀନ ଜିଲ୍ଲାପାଳ ବେଣୁ ଗୋପାଲଙ୍କୁ ୭ଟି ଲଘୁ ଖଣିଜ ସଂପଦ ଯାହାର ମୂଲ୍ୟ ୨ କୋଟି ୪୦ ଲକ୍ଷ ହେବ ତାହାକୁ ବେନିୟମ ଭାବେ ପ୍ରଦାନ କରିଥିଲେ। ବେଣୁଗୋପାଲଙ୍କଠାରୁ ତତ୍କାଳୀନ ଜିଲ୍ଲାପାଳ ୧ କୋଟି ଟଂକା ଲାଞ୍ଚ ସହ ଗୋଟିଏ ଏମଜି ହେକ୍ଟର ଗାଡି ଉପହାର ସ୍ବରୂପ ଗ୍ରହଣ କରିଥିବା ଅଭିଯୋଗ କରାଯାଇଛି। ତୁରନ୍ତ ବିଜୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe