ଭୁବନେଶ୍ବର: ରାଜ୍ୟର ସରକାରୀ ବାବୁମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ରାଜଧାନୀ ଭୁବନେଶ୍ବରରେ ଏହାର ମାତ୍ରା ଆହୁରି ଅଧିକ ବଢ଼ିବାରେ ଲାଗିଛି। ଆଜି ସନ୍ଧ୍ୟାରେ ଜଣେ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଖୋର୍ଦ୍ଧା ଏସିଏସ୍ଓ ବିଷ୍ଣୁଚରଣ ପରିଡ଼ାଙ୍କୁ ଭିଜିଲାନ୍ସ ଧରିଛି।
ସୂଚନା ଅନୁସାରେ ଖୋର୍ଦ୍ଧା ଏସିଏସ୍ଓ ବିଷ୍ଣୁଚରଣ ପରିଡ଼ା ଏକ ରାଇସମିଲ ପରିଚାଳନା କରିବା ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗ ଅଭିଯୋଗକାରୀଙ୍କୁ ରଂଗବୋଳା ଟଙ୍କା ଦେଇଥିଲା ଏବଂ ଏହାକୁ ଶ୍ରୀ ପରିଡ଼ା ଗ୍ରହଣ କରିଥିଲେ। ତେବେ ଟଙ୍କା ଗ୍ରହଣ କରିବାର ଅଳ୍ପ ସମୟ ମଧ୍ୟରେ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଅତର୍କିତ ଭାବେ ଚଢ଼ଉ କରିଥିଲା। ଘଟଣା ସମୟରେ ଶ୍ରୀ ପରିଡ଼ାଙ୍କ ଠାରୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ରଂଗବୋଳା ଟଙ୍କା ଜବତ କରିଥିଲେ।
ଶ୍ରୀ ପରିଡ଼ାଙ୍କ ଠାରୁ ୫୦ ହଜାର ଟଙ୍କା ଜବତ କରାଯିବା ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ତାଙ୍କ ଭୁବନେଶ୍ବରର ଭୋଇନଗରସ୍ଥିତ ସରକାରୀ ଆବାସିକ ଘର ୨ଆରବି/୩ରେ ଅଧିକ ତଦନ୍ତ କରୁଛନ୍ତି। ଏହି ମାମଲାରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି।
Follow Us