ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ; ଏକାସଙ୍ଗରେ ୫ଟି ସ୍ଥାନରେ ଚଢ଼ଉ, ଆୟଠାରୁ ୨ ଶହ ଗୁଣା ସମ୍ପତ୍ତି ଠାବ

Advertisment
ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ; ଏକାସଙ୍ଗରେ ୫ଟି ସ୍ଥାନରେ ଚଢ଼ଉ, ଆୟଠାରୁ ୨ ଶହ ଗୁଣା ସମ୍ପତ୍ତି ଠାବ

ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ବାରିପଦା ଜନସ୍ଵାସ୍ଥ୍ୟ ବିଭାଗ-୧’ର କୋଟିପତି ସହକାରୀ ଯନ୍ତ୍ରୀ ବ‌ାଣେଶ୍ବର ନାୟକ। ଆଜି ଏକା ସଙ୍ଗେ ୫ଟି ସ୍ଥାନରେ; ବାରିପଦା ରଘୁନାଥପୁରସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ, ବଡ଼ସାହି ଥାନା ତାଳନ୍ଦ ଗାଁରେ ପୈତୃକ ଘର ଓ ନିଜସ୍ବ ୨ ମହଲା ଘର, ବୈଶିଙ୍ଗା ଥାନା ମାଣତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଏହି ଚଢ଼ଉ ହୋଇଛି।

ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ବାରେଣ୍ଟ ବଳରେ କଟକ, ବାଲେଶ୍ବର ଓ ବାରିପଦା ଭିଜିଲାନ୍ସ ବିଭାଗର ୨ ଜଣ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ଜଣେ ଇନ୍‌ସପେକ୍ଟର, ୭ ଜଣ ସବ୍‌ ଇନିସ୍‌ପେକ୍ଟର, ୭ ଜଣ ଏଏସ୍‌ଆଇ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଶ୍ରୀ ନାୟକଙ୍କର ରଘୁନାଥପୁରରେ ୩ ହଜାର ୨୫୦ ସ୍କୋୟାର ଫୁଟ୍‌ର ୩ ମହଲା କୋଠା, ପୈତୃକ ତାଳନ୍ଦା ଗାଁରେ ୨୧ ଶହ ସ୍କୋୟାର ଫୁଟ୍‌ର ୨ ମହଲା କୋଠା, ଗାଁ ପାଖକୁ ଲାଗି ଚାଉଳିଆସୋଳରେ ୨ ହଜାର ୫୦୦ ସ୍କୋୟାର ଫୁଟ୍‌ର ୨ ମହଲା କୋଠା, ବାରିପଦାରେ ୨ଟି ଓ ଗାଁରେ ଗୋଟିଏ ପ୍ଲଟ୍‌ ଠାବ ହୋଇଛି। ଏଥିସହ ତାଙ୍କ ନାଁରେ ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମ‌ା ଓ ବୀମା, ୨୫୦ ଗ୍ରାମ୍ ସୁନା ଗହଣା, ଗୋଟିଏ କାର୍‌ ଓ ଦୁଇଟି ବାଇକ୍‌ ରହିଥିବା ଭିଜିଲାନ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଚାଲିଛି। ସରିଲା ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ତେବେ ଶ୍ରୀ ନାୟକଙ୍କର ସମ୍ପତ୍ତି ୩ କୋଟିରୁ ଅଧିକ ଓ ଏହା ଆୟଠାରୁ ୨୦୦ ଗୁଣା ଅଧିକ ହେବ ବୋଲି ପ୍ରାକ୍‌ ଆକଳନ କରାଯାଉଛି। ସୂଚନାଯୋଗ୍ୟ; ଶ୍ରୀ ନାୟକ ମୟୂରଭଞ୍ଜ ଜିଲ୍ଲାରେ ଦୀର୍ଘବର୍ଷ ହେଲା ଚାକିରି କରୁଛନ୍ତି। ଜଣେ ପ୍ରଭ‌ାବଶାଳୀ ନେତାଙ୍କର ସେ ଖାସ୍ ଲୋକ। ତ‌ାଙ୍କ ନାଁରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ହେଲେ ଉକ୍ତ ନେତାଙ୍କ ଚାପରେ କୌଣସି କାର୍ଯ୍ୟ‌ାନୁଷ୍ଠାନ ହେଉନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe