iStock
ରାଉରକେଲା: ସ୍କୁଲ ବସ୍ ଧକ୍କାରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସେକ୍ଟର-୩ ସି ବ୍ଲକର ବୈକୁଣ୍ଠ ବାରିକ୍ (୩୫)। ସେ ଶାରଳା ସିକ୍ୟୁରିଟି ସଂସ୍ଥାରେ ସୁରକ୍ଷାକର୍ମୀମାନେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ରେ ଡ୍ୟୁଟି କରୁଥିଲେ। ଛେଣ୍ଡ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଇଜିଏଚ୍ ମର୍ଗ ହାଉସ୍ରେ ରଖିଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ବୈକୁଣ୍ଠ ଶାରଳା ସିକ୍ୟୁରିଟିରେ ସୁରକ୍ଷାକର୍ମୀଭାବେ ବିପିୟୁଟିରେ ଡ୍ୟୁଟି କରନ୍ତି।
ପ୍ରତିଦିନ ପରି ସେ ଆଜି ସକାଳ ପ୍ରାୟ ସାଢ଼େ ୫ଟାରେ ନିଜର ମୋଟରବାଇକ୍ (ଓଡ଼ି୧୩ଏ-୦୬୩୬)ରେ ବିପିୟୁଟିକୁ ବାହାରିଥିଲେ। ରିଂରୋଡ ଅଭିଜ୍ଞାନ ଛକରେ ବିପିୟୁଟି ଭିତରକୁ ପଶୁଥିବାବେଳେ ପିଲାକୁ ନେଇ ଯାଉଥିବା ସେଣ୍ଟପଲ୍ ସ୍କୁଲ ବସ୍ ବୈକୁଣ୍ଠଙ୍କୁ ପଛରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଆଇଜିଏଚ୍କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବୈକୁଣ୍ଠଙ୍କ ପତ୍ନୀଙ୍କୁ ସ୍କୁଲରେ ଚାକିରି ଓ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଆଇଜିଏଚ୍ ମର୍ଗ ହାଉସ୍ ଆଗରେ ଧାରଣାରେ ବସିଥିଲେ। ଖବର ଲେଖା ପର୍ଯ୍ୟନ୍ତ ପରିବାର ଲୋକଙ୍କ ଦାବି ପୂରଣ ହୋଇ ନଥିବା ଜଣାପଡିଛି। ସେପଟେ ଯେ ପର୍ଯ୍ୟନ୍ତ ସ୍କୁଲ କର୍ତ୍ତୃପକ୍ଷ ଦାବି ପୂରଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ମର୍ଗରୁ ଶବ ଉଠାଇବେ ନାହିଁ ବୋଲି ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।
Follow Us