ବିଜୟଙ୍କ ଅଭିନୟ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ : ମୁଖ୍ୟମନ୍ତ୍ରୀ

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଶୋକ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଶୋକ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପ୍ରତିନ୍ଦ୍ବନ୍ଦ୍ବୀ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର  ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଦିବଂଗତ ବିଜୟଙ୍କ  ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଆସନ୍ତାକାଲି ସଂପନ୍ନ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଜୟ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରି କହିଛନ୍ତି-‘ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।’

ସେହିପରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜୟ ମହାନ୍ତିଙ୍କ ପରଲୋକ ନେଇ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଖ୍ୟାତିସମ୍ପନ୍ନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ପିଢି ପରେ ପିଢି ତାଙ୍କର ପ୍ରଶଂସକଙ୍କୁ ସେ କଳାର ଯାଦୁରେ ବାନ୍ଧି ରଖି ପାରିଥିଲେ ।

ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରି ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ‘ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଓଡ଼ିଶାର କଳା ଦୁନିଆ ଜଣେ ମୁରବୀଙ୍କୁ ହରାଇଲା । ଅଧ୍ୟାପନା ଓ ଅଭିନୟ ଉଭୟ କ୍ଷେତ୍ରରେ ସେ ପାରଦର୍ଶିତା ହାସଲ କରିଥିଲେ । ବ୍ୟକ୍ତିଗତ ଭାବେ ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ସହିତ ମିଶି ମୁଁ ଅନେକ ଚଳଚିତ୍ର ନିର୍ମାଣ କରିଛି । ସେ ମଧ୍ୟ "ଆମ ଓଡ଼ିଶା"ର ଓ ମୋର ବିଭିନ୍ନ କାର୍ଯ୍ୟକ୍ରମର ଜଣେ ଶୁଭେଛୁ ସମର୍ଥକ ଥିଲେ । ତାଙ୍କ ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଆମକୁ ବହୁତ ପରିଶ୍ରମ କରିବାକୁ ପଡିବ ।’

ବିଜୟ ମହାନ୍ତିଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକପ୍ରକାଶ କରିଛନ୍ତି । ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ସେ ସବୁଦିନ ପାଇଁ ମନେରହିବେ । ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ବୋଲି ସେ କହିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ମଧ୍ୟ ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଥିଲେ ଜଣେ ଦକ୍ଷ ଅଭିନେତା, ଚିରଦିନ ପାଇଁ ସ୍ମରଣୀୟ ରହିବେ । ଏତଦବ୍ୟତୀତ ବିଜୟଙ୍କ ପରଲୋକରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଭିନେତା ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅନୁ ଚୌଧୁରୀ, ନାଟ୍ୟକାର ମନୋଜ ପଟ୍ଟନାୟକ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ଜଣାଶୁଣା ବ୍ୟକ୍ତିତ୍ବ  ଶୋକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe