ବିଜୟନଗରମ୍ ଟ୍ରେନ୍ ​ଦୁର୍ଘଟଣା: ୧୧ ଜଣଙ୍କ ପରିଚୟ ମିଳିଲା, ଓଡ଼ିଶାରୁ କେହି ନାହାନ୍ତି

Advertisment

ଲୋକୋ ପାଇଲଟ୍‌, ଗାର୍ଡଙ୍କ ସମେତ ୧୩ ମୃତ, ୧୯ ଘଣ୍ଟା ପରେ ଟ୍ରାକ୍‌ରେ ପୁଣି ଗଡ଼ିଲା ଟ୍ରେନ୍

ଲୋକୋ ପାଇଲଟ୍‌, ଗାର୍ଡଙ୍କ ସମେତ ୧୩ ମୃତ, ୧୯ ଘଣ୍ଟା ପରେ ଟ୍ରାକ୍‌ରେ ପୁଣି ଗଡ଼ିଲା ଟ୍ରେନ୍

ଲାଇନ୍‌ରୁ ଖସୁଛି ରେଳ: କୋଭିଡ୍‌ ପରେ ବଢ଼ିଛି ଦୁର୍ଘଟଣା, ଏବର୍ଷ ଓଡ଼ିଶାରେ ମଲେଣି ୩୦୦ରୁ ଅଧିକ

ରାୟଗଡ଼ା: ଆନ୍ଧ୍ରପ୍ରଦେଶ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ​ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ର ଲୋକୋ ପାଇଲଟ୍ ଏସଏମଏସ୍ ରାଓ, ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ଗାର୍ଡ ଏମ୍. ଶ୍ରୀନିବାସ ରହିଛନ୍ତି। ପରିଚୟ ମିଳିଥିବା ଅନ୍ୟ ୯ମୃତକ ହେଲେ କେ. ରବି, ଜି. ଲକ୍ଷ୍ମୀ, କେ. ଆପାଲା ନାଇଡ଼ୁ, ସିଏଚ୍. ସତୀଶ୍, ଚିନ୍ତାଲା କ୍ରିଷ୍ଣମ ନାଇଡ଼ୁ, ପି. ନାଗରାଜୁ, ଟି. ସୁଗୁନାମା, ରେଡ୍ଡି ସିତମ୍ ନାଇଡ଼ୁ, ମାଝି ରାମୁ। ୨ ମୃତକଙ୍କ ପରିଚୟ ମିଳିପାରିନି। ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ଓଡ଼ିଶାରୁ କେହି ନଥିବା ରେଳ ବିଭାଗ ସ୍ପଷ୍ଟ କରିଛି।

ଦୁର୍ଘଟଣାର ୨୪ଘଣ୍ଟା ମଧ୍ୟରେ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିଛି ରେଳ ବିଭାଗ। ଏନ୍‌ଡିଆରଏଫ୍ ସହ ୧ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ, ରାୟଗଡ଼ା, କୋରାପୁଟ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିଲେ। ସେହିପରି ୧୦ଟି ପ୍ରୋକୋଲିନ୍, ୧୪୦ ଟନ୍ ବିଶିଷ୍ଟ କ୍ରେନ୍, ୩ଟି ଓଏଚ୍‌ଇ ଟ୍ରେନ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ୧୯ ଘଣ୍ଟା ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ବଗି ଗୁଡ଼ିକୁ ଟ୍ରାକ୍‌ରୁ ହଟାଇ ମରାମତି କାମ ସାରି ରେଳ ଚଳାଚଳକୁ ସ୍ବାଭାବିକ କରିଛି ବିଭାଗ। ଯାହାଫଳରେ ଅପରାହ୍ନ ୨ଟା ୨୩ ମିନିଟ୍‌ରେ ଡାଉନ୍ ଲାଇନରେ ପ୍ରଥମ ମାଲବାହୀ ଟ୍ରେନ୍ ଗଡ଼ିଥିଲା। ଏହାପରେ ୨ଟା ୩୬ ମିନିଟ୍‌ରେ ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ ଅପ୍‌ଲାଇନରେ ଆଲମଣ୍ଡା ଷ୍ଟେସନ୍ ଅତିକ୍ରମ କରିଥିଲା। ଟ୍ରେନ୍ ଦୁର୍ଘଟଣା ପରେ ରବିବାର ସନ୍ଧ୍ୟାରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ୪୭ଟି ଟ୍ରେନ୍‌କୁ ବାତିଲ୍ କରିଥିଲା ରେଳ ବିଭାଗ। ୨୪ଟି ଟ୍ରେନ୍‌ର ଗତିପଥକୁ ବଦଳାଯାଇଥିଲା। ୮ଟି ଟ୍ରେନ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିବା ବେଳେ ୮ଟି ଟ୍ରେନ୍‌ର ସମୟ ନିର୍ଘଣ୍ଟ ବଦଳାଯାଇଥିଲା।

ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବା ପରେ ବିଭିନ୍ନ ଷ୍ଟେସନରେ ଅଟକି ଥିବା ଟ୍ରେନ୍ ଗୁଡ଼ିକ ଚଳାଚଳ ଆରମ୍ଭ କରିଛନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ଟ୍ରେନ୍‌ରେ ଅଟକି ରହିଥିବା ଶହ ଶହ ଯାତ୍ରୀ ଆଶ୍ବସ୍ତ ହୋଇଛନ୍ତି। ଇଷ୍ଟକୋଷ୍ଟ୍ ରେଲୱେ ଜିଏମ୍ ମନୋଜ ଶର୍ମା, ୱାଲଟିୟର୍ ଡିଆରଏମ୍ ସୌରଭ ପ୍ରସାଦ ଓ ଅନ୍ୟ ବରିଷ୍ଠ ଅଧିକାରୀ ଦୁଘର୍ଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଗତକାଲି ସନ୍ଧ୍ୟାରେ ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଥିଲା। ପଲାସା ପାସେଞ୍ଜର ଉପରେ ରାୟଗଡ଼ା ପାସେଞ୍ଜର୍ ଚଢ଼ି ଯିବାରୁ ୫ଟି ବଗି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe