ବିଜୟିନୀର ପାଠପଢ଼ା ଖର୍ଚ୍ଚ ବହନ କରିବେ ଡା. ରାମଚନ୍ଦାନୀ

ବିଜୟିନୀର ପାଠପଢ଼ା ଖର୍ଚ୍ଚ ବହନ କରିବେ ଡା. ରାମଚନ୍ଦାନୀ

ସମ୍ବଲପୁର: ବୋର୍‌ୱେଲ୍‌ରୁ ଉଦ୍ଧାର ଶିଶୁକନ୍ୟାର ବାପାମା’ଙ୍କ ପରିଚୟ ମିଳିଥିବା ନେଇ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ମଙ୍ଗଳବାର ସୂଚନା ଦେଇଥିବାବେଳେ ଭବିଷ୍ୟତରେ ତାର ପାଠପଢ଼ା ବାବଦ ସମସ୍ତ ଖର୍ଚ୍ଚ ନିଜେ ବହନ କରିବେ ବୋଲି ଭିମ୍‌ସାର ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀ ଆଜି ଘୋଷଣା କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋର୍‌ୱେଲ୍‌ ଭିତରୁ ଡିସେମ୍ବର ୧୨ ତାରିଖରେ ଏକ ଶିଶୁକନ୍ୟା ଉଦ୍ଧାର ହୋଇଥିଲା। ଶିଶୁକନ୍ୟା ଏବେ ଭିମ୍‌ସାରରେ ଚିକିତ୍ସାଧୀନ। ସୋମବାର ଡାକ୍ତରଖାନା ପରିସରରେ ଶିଶୁକନ୍ୟାର ଏକୋଇଶା ପାଳନ କରାଯାଇ ତାର ନାଁ ‘ବିଜୟିନୀ ରଖାଯାଇଥିଲା।

ଡା. ରାମଚନ୍ଦାନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜୟିନୀର ମାବାପାଙ୍କ ପରିଚୟ ଜଣାପଡ଼ିଥିବା ମୁଁ ଜାଣିବାକୁ ପାଇଲି। ତେବେ ମୁଁ ଆରମ୍ଭରୁ ଚାହୁଥିଲି ବିଜୟିନୀକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ। ତାଙ୍କ ମା’ଙ୍କ ପରିଚୟ ସାମ୍ନାକୁ ଆସିବା ପରେ ହୁଏତ ପୋଷ୍ୟ ଗ୍ରହଣ କରିବା ପ୍ରକ୍ରିୟା ହେବନାହିଁ କିମ୍ବା ବିଳମ୍ବ ହେବ। ତେବେ, ଯେହେତୁ ମୁଁ ଆରମ୍ଭରୁ ଏହା ଭାବିଥିଲି, ସେ ମୋ ପାଖରେ ରହୁ କି, ଆଉ କାହା ପାଖରେ ତାର ସମ୍ପୂର୍ଣ୍ଣ ପାଠପଢ଼ା ଖର୍ଚ୍ଚ ମୁଁ ବହନ କରିବି। ସେ ଯେତେ ଯାଏ ପଢ଼ିବ, ଇଞ୍ଜିନିୟରିଂ ପଢ଼ୁ କି ମେଡିକାଲ୍‌, ଯାହା ଖର୍ଚ୍ଚ ହେବ ସବୁ ମୁଁ ଦେବି ବୋଲି ଡା. ରାମଚନ୍ଦାନୀ କହିଛନ୍ତି। ଅନ୍ୟପଟେ ବିଜୟିନୀର ସ୍ବାସ୍ଥ୍ୟାବସ୍ଥାରେ ଧୀରେଧୀରେ ସୁଧାର ଆସୁଥିବା ବେଳେ ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଡା. ରାମଚନ୍ଦାନୀ କହିଛନ୍ତି। ସୁସ୍ଥ ହେବା ପରେ ଭିମ୍‌ସାର୍‌ କର୍ତ୍ତୃପକ୍ଷ ବିଜୟିନୀଙ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବ। ଶିଶୁଟି ହସ୍ତାନ୍ତର ହେବା ପରେ ଶିଶୁ ପାଳନ କେନ୍ଦ୍ରରେ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe