Advertisment

ବିକାଶର ଗୁମର ଖୋଲିଲେ କୁନି ଝିଅ: ଗାଁ ସମସ୍ୟା ଶୁଣି ଚକିତ ହେ​ଲେ ମନ୍ତ୍ରୀ

Advertisment

ପଦୁଗୁଡ଼ାର ବାସ୍ତବ ସମସ୍ୟା ବଖାଣିଲେ ଛାତ୍ରୀ

ପଦୁଗୁଡ଼ାର ବାସ୍ତବ ସମସ୍ୟା ବଖାଣିଲେ ଛାତ୍ରୀ

ବିକାଶର ଗୁମର ଖୋଲିଲେ କୁନି ଝିଅ: ଗାଁ ସମସ୍ୟା ଶୁଣି ଚକିତ ହେ​ଲେ ମନ୍ତ୍ରୀ

କୋରାପୁଟ: ଆମର ଗାଁକେ ଯିବାକେ ରାସ୍ତା ନାଏଁ, ପିଇବାକେ ପାଣି ନାଏଁ, ଚୁଆ ତାନୁ ପାଣି ଆଣି ପିଉଛୁ ବାବୁ, ଖଟିଆନେ ବୁହା ହୋଇ ମେଡିକାଲ୍ ଆସୁଛୁ, ଆମେ ବେଶୀ କଷ୍ଟରେ ଅଛୁ ବାବୁ...। ସ୍ବାଧୀନତା ଦିବସରେ ଗାଁ ସମସ୍ୟାକୁ ନେଇ ଆଦିବାସୀ ଭାଷାରେ ଏମିତି ମନ୍ତ୍ରୀଙ୍କ ଆଗରେ ବେଦନା ବଖାଣିଛି କୋରାପୁଟର କୁନି ଛାତ୍ରୀ। ଅଭିନୟ ମାଧ୍ୟମରେ ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତ ପଦଗୁଡା ଗାଁର ବାସ୍ତବ ଚିତ୍ରକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାପାଳ ମହମ୍ମଦ ଅବଦୁଲ୍ ଅଖତରଙ୍କ ଆଗରେ ରଖିଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଗ୍ରାମାଞ୍ଚଳର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଗୁମର ଖୋଲିଯାଇଛି।

ଦଶମନ୍ତପୁର ବ୍ଲକ୍ ପଦଗୁଡା ଗାଁରେ ସମସ୍ୟା ଖୁନ୍ଦିହୋଇ ରହିଛି। ଗାଁରେ ୬୬ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି। କିନ୍ତୁ ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନାହିଁ। ଲୁଲା ପଞ୍ଚାୟତରୁ ଏହି ଗାଁକୁ ଯିବାକୁ ହେଲେ ୩ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ବିଶୁଦ୍ଧ ପାଣି ପାଇଁ ଗାଁରେ କୂଅ, ନଳକୂପ ନଥିବାରୁ ଗ୍ରାମବାସୀ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି। ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନା ନାହିଁ। ଅସୁସ୍ଥ ହେଲେ କିମ୍ବା ଗର୍ଭବତୀଙ୍କୁ ଦୋଳାରେ ଆଣିବାକୁ ପଡୁଛି। ଗ୍ରାମରେ ବିଦ୍ୟୁତ୍ ଓ ମୋବାଇଲ୍ ସେବା ମଧ୍ୟ ଉପଲବ୍ଧ ନାହିଁ। ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟ ମଧ୍ୟ ନାହିଁ। ଗ୍ରାମାଞ୍ଚଳର ବିକାଶ ପାଇଁ ବିଡିଓ, ଜିଲ୍ଲାପାଳ ଘୂରି ବୁଲୁଥିଲେ ସୁଦ୍ଧା ଆମ ଦୁଃଖ ଦୂର ହେଉନି। ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ତୁମର ଧର୍ମ ହେବ ବୋଲି ମନ୍ତ୍ରୀଙ୍କୁ କୁନି ଛାତ୍ରୀ ଜଣକ ନିବେଦନ କରିଛନ୍ତି।

ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମନ୍ତ୍ରୀ, ଜିଲ୍ଲାପାଳ, ବିଧାୟକ, ପୁଲିସ୍ ଅଧିକାରୀଙ୍କ ସମ୍ମୁଖରେ ଗ୍ରାମାଞ୍ଚଳ ବିକାଶର ବିକଳ ଚିତ୍ରକୁ ଅଭିନୟ ମାଧ୍ୟମରେ ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟ ଶିଶୁ ମନ୍ଦିର ଶିଶୁ ବାଟିକାରେ ପଢ଼ୁଥିବା ୪ବର୍ଷର ସୋନାଲି ଦାସ। ପୁଲିସ ପଡ଼ିଆରେ ଆୟୋଜିତ ୭୭ତମ ସ୍ବାଧୀନତା ଦିବସରେ ସୋନାଲିଙ୍କ ଅଭିନୟକୁ ନେତା ଓ ପ୍ରଶାସକ ତାଳି ମାରି ପ୍ରଶଂସା କରିଥିବା ବେଳେ ଗାଁ ସମସ୍ୟାକୁ ନେଇ ତତ୍ପରତା ଦେଖାଇ ନଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe